ବ୍ରହ୍ମପୁର: ଗଂଜେଇ ଚୋରାଚାଲାଣ ମାମଲାକୁ ନେଇ କନ୍ଧମାଳ ଜିଲ୍ଲା ପିରିଙ୍ଗିଆ ଥାନା ଅଂଚଳରେ ହୋଇଥିବା ଅପ୍ରୀତିକର ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ମିଳିତ ମଂଚ ପକ୍ଷରୁ ଆଜି ଏକ ପ୍ରତିନିଧି ମଣ୍ଡଳୀ ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ପୁଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ପୁଲିସର ଅମାନୁଷିକ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର୍ କରିବା ସହ ତତ୍କାଳୀନ ପିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଓ ପୁଲିସ କର୍ମୀଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି।

Advertisment

ଶ୍ରୀ ନାହାକ କ୍ଷମତାର ଦୁରୁପଯୋଗ କରି ପୁଲିସ ଗାଡ଼ିରେ ଦୁଇଜଣ ହୋମଗାର୍ଡ଼ ଏବଂ ଡ୍ରାଇଭରଙ୍କ ସହାୟତାରେ ଗଂଜେଇ ଚାଲାଣ କରୁଥିବା ବେଳେ ଗତ ୩ତାରିଖ ଭୋର୍‌ରେ ସ୍ଥାନୀୟ ଅଂଚଳବାସୀଙ୍କ ହାତରେ ଧରାପଡ଼ିଥିଲେ। କିନ୍ତୁ ତାଙ୍କ ବିରୋଧରେ ଉଚ୍ଚ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତ ୫ତାରିଖରେ ବଡ଼ ଅଘଟଣ ଘଟିଥିବା ଦର୍ଶାଇଛନ୍ତି। କିନ୍ତୁ ତାପରେ ପୁଲିସର ସାଧାରଣ ଜନତାଙ୍କ ପ୍ରତି ବର୍ବରୋଚିତ ଆକ୍ରମଣ କରି ଗିରଫ କରିଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା ସମ୍ପୃକ୍ତ ଥାନା ଅଧିକାରୀ ଏବଂ ତାଙ୍କୁ ଏଥିରେ ସହଯୋଗ କରିଥିବା ଅନ୍ୟ ପୁଲିସ କର୍ମୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଆଇଜି ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହ ତିନି ଦିନ ସମୟ ମାଗିଥିବା ନେଇ ଉକ୍ତ ମଂଚର ନେତୃତ୍ବ ନେଇଥିବା ଆଦିବାସୀ ସମନ୍ବୟ ସମିତିର ନେତା ଲମ୍ବୋଦର କହଁର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ। ତାଙ୍କ ସହ କନ୍ଧମାଳ ମିଳିତ ମଂଚର ସଭାପତି ସମୀର ଘଟାଲ, ସମ୍ପାଦକ ସତ୍ୟ ନାରାୟଣ ବେହେରା, ପ୍ରଦୀପ କହଁର, ତ୍ରିନାଥ ମାଝୀ, ନିରଂଜନ ସାହୁ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ୍ ଥିଲେ।
ତେବେ ପୁଲିସ ଉକ୍ତ ଘଟଣାରେ ୨୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ, ସ୍ଥାନୀୟ ଅଂଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି। ତତ୍କାଳୀନ ଥାନା ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ଏସ୍‌ପିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ମୁତାବକ, ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି ସତ୍ୟବ୍ରତ ଭୋଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।