ଜଗନ୍ନାଥଙ୍କୁ ଦର୍ଶନ କଲେ କଙ୍ଗନା, ‘ଅପେକ୍ଷାର ରାତି ଗୋଟିଏ ଯୁଗ ଭଳି ଲାଗୁଥିଲା’

ପୁରୀ : ବଲିଉଡ୍‌ର ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ଏଠାକୁ ଆସି ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ସେ ଭାବବିହ୍ବଳ ‌ହୋଇଉଠିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଅଭିନେତ୍ରୀ କଙ୍ଗନା ଶୁକ୍ରବାର ସକ‌ାଳ ପ୍ରାୟ ୬ଟା ୧୫ ମିନିଟ୍‌ ସମୟରେ ୱାଇ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚିଥିଲେ। ସିଂହଦ୍ବାର ନିକଟ‌ରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ପାଖାପାଖି ସାଢ଼େ ୬ଟାରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ବାଇଶିପାହାଚ ଦେଇ ଭିତରକାଠ ନିକଟରେ ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।

ନିଜ ଭାବନାକୁ ସେ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତ କରି ଲେଖିଛନ୍ତି, ‘ସକାଳ ୬ଟାରେ ଦର୍ଶନ କରିବାକୁ ଥିବାରୁ ଏ ରାତି କେମିତି ବିତିବ ଭାବିଭାବି ମୁଁ ଉତ୍ସାହରେ ଶିହରି ଉଠୁଥିଲି। ଗତକାଲିର ରାତି ମୋତେ ଗୋଟେ ଯୁଗ ଭଳି ମନେ ହେଉଥିଲା।’ ‘ ଆମେ ସବୁବେଳେ ରାଧାକୃଷ୍ଣଙ୍କୁ ଏକାଠି ଦେଖୁ। ମାତ୍ର ପୁରୀରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀ ବଳରାମ ଓ ସୁଭଦ୍ରାଙ୍କ ସହ ଦର୍ଶନ ଦେଉଛନ୍ତି। ଏଠାରେ ପହଞ୍ଚିବା ପ‌ରେ ଏକ ଅଦ୍ଭୁତ ଉର୍ଜା ପାଇବା ଭଳି ଅନୁଭବ କରୁଛି। ଏ ସମଗ୍ର ସ୍ଥାନ ସ୍ପନ୍ଦିତ, ମନ୍ତ୍ରମୁଗ୍ଧ ଓ ମଧୁମୟ କରୁଛି। ’ ମହାପ୍ରଭୁଙ୍କୁ କୃଷ୍ଣ ଭଗବାନ ବୋଲି ସମ୍ବୋଧନ କରି ସେ କହିଲେ, କୃଷ୍ଣ କେବଳ ମାନବ ଜାତିକୁ ପ୍ରେମ କରନ୍ତି ନାହିଁ। ବରଂ ସେ ଯେତେବେଳେ ବଂଶୀ ବାଦନ କରନ୍ତି, ପଶୁ ଓ ସରୀସୃପ ବି ସମ୍ମୋହିତ ହୋଇଯାଆନ୍ତି।

ତାଙ୍କର ଆସନ୍ତା ଚଳଚ୍ଚିତ୍ର ‘ଧକ୍କଡ଼’ ଫିଲ୍ମ ଟିମ୍‌ ପକ୍ଷରୁ ସେ ଆସିଥିବା ବେଳେ ଆଧ୍ୟାତ୍ମିକ ଭାବନା ତାଙ୍କୁ ଏଠାକୁ ଟାଣି ଆଣିଛି ବୋଲି ସେ କହିଥିଲେ। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ କହିଛନ୍ତି, ଚାରି ଧାମ ମଧ୍ୟରୁ ଏହା ଗୋଟିଏ ଧାମ ହୋଇଥିବାବେଳେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ଏହା ବାସ। ଶ୍ରୀଜଗନ୍ନାଥ ଜଗତର ରାଜା। ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିଛି। ସେ ଏକଥା ବି କହିଛନ୍ତି , ‘ ମୁଁ ପ୍ରଥମଥର ପାଇଁ ପୁରୀ ଆସିଛି। ହେଲେ ଜାଣିନି ମୋତେ ଏଠାକୁ ଆସିବାକୁ କାହିଁକି ଏତେ ବର୍ଷ ଲାଗିଗଲା? ବୋଧେ ଈଶ୍ବରଙ୍କର ସେୟା ଇଚ୍ଛା ଥିଲା।’

ଏହି ଅବସରରେ ଶ୍ରୀ ସିଂହାରୀ କଙ୍ଗନାଙ୍କୁ ମହାପ୍ରଭୁଙ୍କ ହୃଦ ପଲ୍ଲବ, ସୁନାବେଶର ଏକ ଫଟୋଚିତ୍ର ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଅନ୍ୟ ସେବାୟତ ଓ ପୁଲିସ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର