ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଉଖମା ଗ୍ରାମରେ ବାସନ୍ଦର ଶିକାର ହୋଇଛନ୍ତି ଜଣେ ପୁଲିସ ଅଧିକାରୀଙ୍କ ପରିବାର। କଙ୍ଗାରୁ କୋର୍ଟରେ ଏହି ପରିବାରକୁ ଅର୍ଥନୈତିକ, ସାମାଜିକ ଓ ଧାର୍ମିକ ବାସନ୍ଦ କରାଯାଇଛି। ଏପରିକି ଏହି ପରିବାର ସହିତ କେହି କଥା ନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ କେହି ଅବମାନନା କଲେ ଜରିମାନା ଦେବାକୁ ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ପୁଲିସ ଅଧିକାରୀଙ୍କ ପରିବାର ଜମି ମାଡ଼ି ବସିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

Advertisment

ନିୟମ ଉଲ୍ଲଂଘନ କଲେ ଜରିମାନା
ଗ୍ରାମବାସୀଙ୍କ ଅଭିଯୋଗ: ଜମି ମାଡ଼ି ବସିଛନ୍ତି

ସୂଚନା ଅନୁଯାୟୀ, ଅଉଖମା ଗ୍ରାମ ଉପରସାହିର ସୁରେଶ କୁମାର ବେହେରା ତାଙ୍କ ପୈତୃକ ଜମିରେ ଘର କରି ରହିଛନ୍ତି। ତାଙ୍କ ଭାଇ ଜଣେ ପୁଲିସ ଅଧିକାରୀ।  ୨୦୨୩ ସେପ୍ଟେମ୍ବରରେ ସାହି ବୈଠକରେ ରାସ୍ତାକୁ ମାଡ଼ି କରାଯାଇଥିବା ବେଆଇନ୍‌ ନିର୍ମାଣକୁ ଭାଙ୍ଗିବା ଲାଗି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଶ୍ରୀ ବେହେରା ନିଜ ଘର ସମ୍ମୁଖରେ ରାସ୍ତାକୁ ମାଡ଼ିଥିବା ୪ ଫୁଟ୍‌ କଂକ୍ରିଟ୍‌ ନିର୍ମାଣକୁ ଭାଙ୍ଗି ବାକି ୨ ଫୁଟ୍‌ ସ୍ଥାନରେ ଫୁଲଗଛ ଲଗାଇଥିଲେ। ଏହାର ଦୁଇମାସ ପରେ ଗ୍ରାମବାସୀ ସେହି ସ୍ଥାନକୁ ଭାଙ୍ଗିବାକୁ ପୁଣି ଚାପ ପକାଇଥିଲେ। ଏଭଳି ନିଷ୍ପତ୍ତିକୁ ଶ୍ରୀ ବେହେରା ବିରୋଧ କରିବା ସହ ରାସ୍ତା ମାପ ଲାଗି  ଆବେଦନ କରିଥିଲେ। ତେବେ ମାପରେ ବିଳମ୍ବ ହେବାରୁ ସାହି ବୈଠକ ଡକାଯାଇ ଶ୍ରୀ ବେହେରାଙ୍କ ପରିବାରକୁ ମନ୍ଦିରରେ ପୂଜା ନ କରିବା, ତାଙ୍କ ପରିବାର ସହ କଥା ନ ହେବା, ତାଙ୍କ ଅଟୋକୁ ଭଡ଼ାରେ ନ ନେବା, ଗାଁ କଳସଯାତ୍ରାକୁ ବାରଣ କରିବା, ପୂଜା ଚାନ୍ଦା ନ ନେବା ଆଦି ସାମାଜିକ, ଅର୍ଥନୈତିକ ଏବଂ ଧାର୍ମିକସ୍ତରରେ ବାସନ୍ଦ କରିଛନ୍ତି। ଯଦି କେହି ଏହି ନିମୟକୁ ଉଲ୍ଲଂଘନ କରନ୍ତି 
ତେବେ ତାଙ୍କୁ ଜରିମାନା  ଦେବାକୁ  ପଡ଼ିବ ବୋଲି ଗ୍ରାମସଭାରେ ନିଷ୍ପତ୍ତି  ନିଆଯାଇଥିବା ଶ୍ରୀ ବେହେରା ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଡାକିବା ପରେ ଶ୍ରୀ ବେହେରାଙ୍କ ପରିବାରକୁ ବାସନ୍ଦମୁକ୍ତ କରିବା ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତହସିଲ ପକ୍ଷରୁ ଗତ ଏପ୍ରିଲ୍‌ ୧୦ ଓ ଜୁଲାଇ ୨ରେ ୨ ଥର ରାସ୍ତା ମାପ କରାଯାଇଥିଲା। ଏଥିରେ ଶ୍ରୀ ବେହେରା ନିଜ ଜମିରେ ଗଛ ଲଗାଇଥିବା ଜଣାପଡ଼ିଥିଲେ ମଧ୍ୟ ଗ୍ରାମବାସୀ ଚୁକ୍ତି କିମ୍ବା ରାସ୍ତା ମାପକୁ ମାନି ନଥିଲେ। ଶ୍ରୀ ବେହେରାଙ୍କ ଭାଉଜଙ୍କୁ ଗ୍ରାମର ଜଣେ ବ୍ୟକ୍ତି ଗାଳିଗୁଲଜ କରିବା ସହ ଧମକ ଦେଉଥିବାରୁ ସେମାନଙ୍କ ଜୀବନପ୍ରତି ଭୟ ରହିଥିବା ନେଇ ଆଜି ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ଅନ୍ୟପକ୍ଷରେ ଉପରସାହିବାସୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି କହିଛନ୍ତି, ଗ୍ରାମର ଯେଉଁ ବ୍ୟକ୍ତିମାନେ ଜମି ଦଖଲ କରିଥିଲେ ସେମାନେ ଛାଡ଼ି ଦେଇଥିବା ବେଳେ ପୁଲିସ ଅଧିକାରୀଙ୍କ ପରିବାର ବିଭିନ୍ନ ଆଳ ଦେଖାଇ ଛାଡ଼ୁନାହାନ୍ତି। ଏଥିସହ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସଦର ତହସିଲଦାର ଲିତୁସ୍ମିତା ମିଶ୍ର କୁହନ୍ତି, ଅଉଖମା ଗ୍ରାମରେ ଆରଆଇ, ଅତିରିକ୍ତ ତହସିଲଦାର ଯାଇ ରାସ୍ତା ମାପିଥିଲେ। ଶେଷରେ ନିଜେ ଯାଇ ସଂପୂର୍ଣ୍ଣ ଗାଁ ରାସ୍ତା ମାପିବା ପରେ ଏକ ସ୍ଥାନରେ ୮ ଫୁଟ ଥିବା ବେଳେ ଅନ୍ୟ ସ୍ଥାନରେ ୧୦ ଫୁଟ ରାସ୍ତା ଥିଲା। ସମସ୍ତେ କିଛି କିଛି ଜମି ମାଡ଼ିଥିବା ଜଣାଯାଇଥିଲା। ଶ୍ରୀ ବେହେରାଙ୍କ ଘର ଜମି ମାପିବାକୁ ଗ୍ରାମବାସୀ ଦେଲେ ନାହିଁ। ମାପଚୁପ କରିବା ଆବଶ୍ୟକ ନାହିଁ ବୋଲି ଲେଖି କରି ଦେଇଥିଲେ। ଏ ବିଷୟରେ ସାହି ସଭାପତି ସରୋଜ ମହାପାତ୍ର କୁହନ୍ତି ଯେ ଶ୍ରୀ ବେହେରାଙ୍କ ୫ ଭାଇ ଥିବା ବେଳେ ଜଣେ ପୁଲିସରେ ଥିବାରୁ ଭୟ ସୃଷ୍ଟି କରି ହଇରାଣ କରୁଛନ୍ତି। ତାଙ୍କ ପରିବାରକୁ ବାସନ୍ଦ କରାଯାଇ ନାହିଁ। ତାଙ୍କର ୧୮ ଡେସିମିଲ୍‌ ଜାଗା ଥିବା ବେଳେ ସେ ୧୯ ଡେସିମିଲ୍‌ ଜମି ଅକ୍ତିଆର କରିଛନ୍ତି ବୋଲି କହିଥିଲେ।