ବଲାଙ୍ଗୀର : ଭୋଟ୍ ପାଇଁ କଙ୍ଗାରୁକୋର୍ଟ! ନିର୍ଦ୍ଦିଷ୍ଟ ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେବାପାଇଁ ମନା କରିଦେବାରୁ ଏକ ଦଳିତ ପରିବାରକୁ ଗାଁ ଛାଡ଼ିବାକୁ ପଡ଼ିଛି। ଜୀବନ ପ୍ରତି ଭୟ ରହିଥିବା ଆଶଙ୍କାରେ ପରିବାର ପୁଲିସ ପାଖକୁ ବି ଯାଇନାହାନ୍ତି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ମଣ୍ଡଳ ପଞ୍ଚାୟତରେ ଏହିଭଳି ଏକ ସମ୍ବେଦନହୀନ ଘଟଣା ସାମ୍ନାକୁ ଆସିଛି।
ଆସନ୍ତା ୧୬ ତାରିଖରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକ୍ରେ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଗାଁ ଗାଁରେ ନିର୍ବାଚନ ପାଇଁ ଜୋର୍ ଧରିଛି ରାଜନୀତି। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାକୁ ପୁଲିସ ଏବଂ ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ବି ଚାଲିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଏହଭିଳି ଏକ ସମୟରେ ମଣ୍ଡଳ ପଞ୍ଚାୟତର କଙ୍ଗାରୁ କୋର୍ଟ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁସାରେ, ମଣ୍ଡଳ ପଞ୍ଚାୟତର ଜାମଖାରୀ ଗାଁରେ ନିର୍ବାଚନ ପାଇଁ ଭୋଜିଭାତ ହୋଇଥିଲା।
ଭୋଜିଭାତ ଖାଇ ସାରିବାପରେ ସରପଞ୍ଚ ପ୍ରାର୍ଥୀ ଦାମୋଦର ଯୋଶୀଙ୍କ ସମର୍ଥକମାନେ ସେମାନଙ୍କ ସପକ୍ଷରେ ଭୋଟ୍ ପାଇଁ କହିଥିଲେ। ଏପରିକି, ଜୋର୍ଜବରଦସ୍ତ ଟଙ୍କା ବି ବାଣ୍ଟିଥିଲେ। କିନ୍ତୁ, ଗ୍ରାମର ଅନନ୍ତ ମହାନନ୍ଦ ନାମକ ଜଣେ ବ୍ୟକ୍ତି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ଦେବେ ବୋଲି ରୋକ୍ଠୋକ୍ କହିଥିଲେ। ଗ୍ରାମବାସୀ ଓ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ଏହାପରେ ତାଙ୍କ ଉପରେ ଜୁଲମ୍ ଆରମ୍ଭ ହୋଇଥିଲା। ସୁଦାମ ବାରିକ, ଦୟା ବାରିକ ଓ ଅନ୍ୟମାନେ ମିଶି ଅନନ୍ତଙ୍କୁ ମାଡ଼ ମାରିଥିବା ଅଭିଯୋଗରୁ ଜଣାପଡ଼ିଛି। ଏତିକିରେ ବି ମନ ଶାନ୍ତି ହୋଇନଥିଲା। ଏହାପରେ ଗଁାରେ କଙ୍ଗାରୁକୋର୍ଟ ବସିଥିଲା। କଙ୍ଗାରୁକୋର୍ଟ ଅନନ୍ତଙ୍କୁ ଗାଁରୁ ବିତାଡ଼ିତ କରିଥିଲେ। ଏବେ ସେ ପରିବାର ସହ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।
ପ୍ରତିକ୍ରିୟାରେ ଅନନ୍ତ କହିଛନ୍ତି, ଜୀବନ ପ୍ରତି ଭୟ ଥିବାରୁ ସେ ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି। ଅନ୍ୟପକ୍ଷରେ, ଏହି କଙ୍ଗାରୁକୋର୍ଟ ଘଟଣା ସାରାଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲେ ବି ଯେଉଁ ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ ଆସିଛି ସେ ମୁହଁ ଖୋଲିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/bala.jpg)