ବରାହମାଲ ଗାଁରେ କଂଗାରୁ କୋର୍ଟ: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୮ ଅଟକ

ସଇନ୍ତଳା/ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବଡ଼ମାଳ ଫାଣ୍ତି ଅର୍ନ୍ତଗତ ବରାହମାଲ ଗାଁରେ ଗୁଣିଗାରେଡ଼ି ସନ୍ଦେହ କରି ନିତ୍ୟା ଭୋଇ (୬୫ବର୍ଷ) ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଗାଁରେ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇ ନିତ୍ୟାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ସୁନାଧର ଭୋଇ ଥାନାରେ ଅଭିଯାଗ କରିଛନ୍ତି। ଏହି ଘଟଣାରେ ପୁଲିସ ୮ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗ୍ରାମର ବୈଶାଖୁ ବଗର୍ତ୍ତିଙ୍କ ଝିଅଠାରେ ଗତ କିଛିଦିନ ହେଲା ଅସ୍ବାଭାବିକ ଲକ୍ଷଣମାନ ଦେଖାଦେଉଥିଲା। ତିନିଦିନ ତଳେ ଏହାକୁ ନେଇ ବୈଶାଖୁଙ୍କ ପଡ଼ାରେ କଙ୍ଗାରୁ କୋର୍ଟ ବସିଥିଲା ଏବଂ ଏଥିରେ ନିତ୍ୟାଙ୍କୁ ଦାୟୀ କରାଯାଇଥିଲା। ରବିବାର କଳାହାଣ୍ତି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅର୍ନ୍ତଗତ ସିର୍ଜାପାଲି ଗାଁର ଗୁଣିଆ ଲକ୍ଷପତି ବାବାଙ୍କୁ ଆଣି ବୈଶାଖୁ ପୂଜାପାଠ କରାଇଥିଲେ। ନିତ୍ୟା ହିଁ ବୈଶାଖୁଙ୍କ ଝିଅକୁ ଗୁଣିଗାରେଡ଼ି କରିଦେଇଥିବାରୁ ଏଭଳି ହେଉଛି। ପୂଜାର ସମସ୍ତ ସାମଗ୍ରୀ ନିତ୍ୟା କୌଣସି ବିଲରେ ଫିଙ୍ଗିଦେଲେ ଝିଅ ଠିକ୍‌ ହୋଇଯିବ ବୋଲି ବାବା କହିଥିଲେ। ବୈଶାଖୁ ନିତ୍ୟାଙ୍କୁ ଡାକି ପୂଜା ସାମଗ୍ରୀ ଫିଙ୍ଗିଦେବାକୁ କହିଥିଲେ। ନିତ୍ୟା ପୂଜା ସାମଗ୍ରୀକୁ ନେଇ ଏକ ବିଲରେ ଫିଙ୍ଗିଦେଇଥିଲେ। ବିଲର ମାଲିକ ରୋହିତ ବଗର୍ତ୍ତି ଓ ତାଙ୍କ ମା’ କିଆ ବଗର୍ତ୍ତି ଏଥିରେ ଉତ୍‌କ୍ଷିପ୍ତ ହୋଇ ନିତ୍ୟାଙ୍କୁ ମାଡ଼ ମାରିଥିଲେ। ସନ୍ଧ୍ୟାରେ ନିତ୍ୟା ନଖାଇ ଶୋଇପଡ଼ିଥିଲେ ଏବଂ ବିଳମ୍ବିତ ରାତିରେ ଘରୁ ନିଖୋଜ ହୋଇଯାଇ‌ଥିଲେ।

ରାତିସାରା ଖୋଜାଖୋଜି କରି ପାଇ ନଥିଲେ। ସକାଳୁ ବାଡ଼ିପଟ ଲେମ୍ବୁ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିଥିଲେ। ନିତ୍ୟାଙ୍କ ହାତ ଆଙ୍ଗୁଳିରେ କ୍ଷତ ଚିହ୍ନ ଥିବା ଓ ବେକରେ ଦଉଡ଼ି ଲାଗିଥିଲେ ମଧ୍ୟ ବସିଥିବା ଅବସ୍ଥାରେ ଶବ ଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ତ ବୋଲି ସୁନାଧର ଅଭିଯୋଗ କରୁଛନ୍ତି। ଘଟଣାସ୍ଥଳରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ସଇନ୍ତଳା ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଥାନା କେସ୍‌ ନଂ.୨୦୨/୨୧ରେ ମାମଲା ରୁଜୁକରି ଗାଁର ତହସିଲ ବଗର୍ତ୍ତି, ରାଜେଶ ବଗର୍ତ୍ତି, ଲିଙ୍ଗ ବଗର୍ତ୍ତି, ନବ ବଗର୍ତ୍ତି, ଦୁଃଖୁ ବଗର୍ତ୍ତି, ଲକ୍ଷପତି ବାବା, ରୋହିତ ଓ କିଆଙ୍କୁ ଅଟକ ରଖି ତଦନ୍ତ କରୁଛି ବୋଲି ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର