ରା.ଉଦୟଗିରି : ୧୪ ଦିନ ସଙ୍ଗରୋଧ ସରିବା ପରେ ସେମାନେ ଫେରିଥିଲେ ଗାଁକୁ। ସରକାରୀ ନିୟମ ଅନୁସାରେ ଆଉ ୭ ଦିନ ଘରୋଇ ସଂଘରୋଧରେ ରହିବା କଥା। ହେଲେ ଗ୍ରାମରେ ପହଞ୍ଚୁ ପହଞ୍ଚୁ କଙ୍ଗାରୁ କୋର୍ଟରେ କଡ଼ାବାଣୀ ଶୁଣାଇ ଦିଆଗଲା, କାହାକୁ ଗାଁ ଭିତରକୁ ଯିବାକୁ ଅନୁମତି ଦିଆଯିବନି। ୭ଦିନ ଜଙ୍ଗଲରେ ରହିବା ପାଇଁ ନିର୍ଦ୍ଦେଶ ଦିଆଗଲା। ନିର୍ଦ୍ଦେଶ ମାନି ପ୍ରବାସୀ ୭ ଜଣ ଯୁବକ ଗୃହ ସଙ୍ଗରୋଧ ବଦଳରେ ନିକଟ ଜଙ୍ଗଲରେ ପଲିଥିନ ଟାଣି ସଙ୍ଗରୋଧରେ ସପ୍ତାହେ ରହିଥିଲେ। ଅବଶ୍ୟ ଗ୍ରାମବାସୀ ସେମାନଙ୍କୁ ନିକଟସ୍ଥ ପୋଖରୀରୁ ଡ୍ରମ୍ରେ ପାଣି ଆଣି ଦେଉଥିଲେ। ଖାଇବା ବନ୍ଦୋବସ୍ତ ମଧୢ କରିଥିଲେ। ୭ଦିନ ଜଙ୍ଗଲରେ ଏଭଳି କାଟିବା ପରେ ଆଜି ସେମାନେ ଘରକୁ ଫେରିଛନ୍ତି। ସୌଭାଗ୍ୟବଶତଃ ଜଙ୍ଗଲରେ ଥିବା ସମୟରେ ସେମାନଙ୍କର କିଛି କ୍ଷତି ହୋଇନାହିଁ। ଘଟଣାଟି ରା.ଉଦୟଗିରି ବ୍ଲକ୍ ଖାରିପଦା ଗ୍ରାମରେ ଘଟିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଜୋର ଚର୍ଚ୍ଚା ଧରିଛି।
ଖାରିପଦା ଗ୍ରାମର ୭ ଜଣ ଯୁବକ କାମଧନ୍ଦା ଅନ୍ବେଷଣରେ ଗୁଜରାଟ ଯାଇଥିଲେ। ହେଲେ କରୋନା ପରିସ୍ଥିତି ଅସମ୍ଭାଳ ହେବାରୁ ସେଠାରୁ କଷ୍ଟେମଷ୍ଟେ ନିଜ ଖର୍ଚ୍ଚରେ ଗ୍ରାମକୁ ଫେରିଥିଲେ। କିନ୍ତୁ ଗ୍ରାମରେ ପହଞ୍ଚିବା ପରେ ସରକାରୀ ନିୟମ ଅନୁଯାୟୀ ୧୪ ଦିନ କେ.ଏମ୍.ଭାଲିଆସାହି ସଙ୍ଗରୋଧ କେନ୍ଦ୍ରରେ ରହିଲେ। ସଙ୍ଗରୋଧ ସରିବା ପରେ ଆଉ ୭ଦିନ ଘରେ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇ ପ୍ରଶାସନ ସେମାନଙ୍କୁ ଘରକୁ ଛାଡ଼ିଥିଲେ। କିନ୍ତୁ ଗାଁକୁ ଫେରିବା ପରେ ସେମାନଙ୍କୁ କଙ୍ଗାରୁ କୋର୍ଟର ସାମ୍ନା କରିବାକୁ ପଡ଼ିଥିଲା। ଗ୍ରାମବାସୀ ସେମାନଙ୍କୁ ଗାଁରେ ପୂରାଇ ଦେଇନଥିଲେ। ଗୃହ ସଙ୍ଗରୋଧ ସମୟ ଜଙ୍ଗଲରେ କାଟିବାକୁ କହିଥିଲେ। ନିର୍ଦ୍ଦେଶ ଅମାନ୍ୟ କଲେ ଦଣ୍ତବିଧାନ ହେବା ଭୟରେ ଏହି ଯୁବକମାନେ ଶେଷରେ ବଣକୁ ଯାଇ ରହିଥିଲେ।
ଏହି ଖବର ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ କାନରେ ପଡ଼ିବା ପରେ ଏହା ସମ୍ପୂର୍ଣ୍ଣ ବେଆଇନ ଓ ଦଣ୍ତନୀୟ ବୋଲି କହିଛନ୍ତି। ଟିମ୍ ପଠାଇ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଯେଉଁମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ସାର୍ଟିଫିକେଟ୍ ଦିଆଯାଇ ପଠାଯାଉଛି ସେମାନଙ୍କର ଘରକୁ ଯିବାରେ କୌଣସି ଅସୁବିଧା ନାହିଁ। ସେମାନେ ଘରେ ରହିପାରିବେ। ସବୁ ଦିଗରୁ ସୁରକ୍ଷିତ ହେବା ପରେ ହିଁ ପ୍ରଶାସନ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ତେଣୁ କେହି ଏହାର ପ୍ରତିବାଦ କରିପାରିବେ ନାହିଁ। ଯଦି ଏହାକୁ ଅମାନ୍ୟ କରାଯାଏ ତେବେ ଦୃଢ଼ ଦଣ୍ତବିଧାନ କରାଯିବ। ଏହି ଭ୍ରମଧାରଣା ଦୂର କରିବା ତଥା ଏଭଳି ନକରିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ଅଞ୍ଚଳରେ ସଚେତନ ମଧୢ କରାଯାଉଛି। କାହାକୁ ଏଭଳି ବାସନ୍ଦ କରିବା ଆଇନସମ୍ମତ ନୁହଁ। ଏଥିରୁ ନିବୃତ୍ତ ରହିବା ପାଇଁ ଗଜପତି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ ରା.ଉଦୟଗିରି ଥାନାରେ କୌଣସି ଏତାଲା ହୋଇନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/tent1198.jpg)