କାକୁଡ଼ିଆରେ କଙ୍ଗାରୁ କୋର୍ଟ! ୭ ପରିବାର ବାସନ୍ଦ, ଲକ୍ଷେ ଲେଖାଏଁ ଜରିମାନା

ଗାଁ ନିଷ୍ପତ୍ତି ନମାନିବାରୁ ଦଣ୍ଡ, ମୌଳିକ ଅଧିକାର ଉଚ୍ଛେଦ ଘୋଷଣା

କଣିହାଁ : ଏକବିଂଶ ଶତାବ୍ଦୀରେ ବି ସାମାଜିକ ବାସନ୍ଦ! ଗାଁ ନିଷ୍ପତ୍ତି ନମାନିବାରୁ ୭ଟି ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ, ସେମାନଙ୍କର ସମସ୍ତ ଅଧିକାର ଉଚ୍ଛେଦ କରାଗଲା ବୋଲି ଗାଁ କମିଟି ଘୋଷଣା କରିବା ସହ ପରିବାର ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। କଣିହାଁ ବ୍ଲକ୍‌ କାକୁଡ଼ିଆ ଗାଁରେ ଘଟିଥିବା ଏଭଳି ଏକ ମଧ୍ୟଯୁଗୀୟ ଅମାନବୀୟ ଘଟଣା ଏବେ ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବାସନ୍ଦ ପରିବାର ମଧ୍ୟରୁ ୪ ଜଣ ଏସଂପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଗୁହାରି କରି ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।

ସୂଚନା ଅନୁଯାୟୀ, କଣିହାଁ ସ୍ଥିତ ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର (ଏନଟିପିସି) ପରିଚାଳନା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ଦାକିନୀ ‘ବି କୋଇଲା ଖଣି ଲିଜ୍‌ରେ ପ୍ରଦାନ କରାଯାଇଛି। ଏହି ପ୍ରସ୍ତାବିତ କୋଇଲା ଖଣି ପାଇଁ କାକୁଡ଼ିଆ ଗାଁ ଅଧିଗୃହୀତ ହୋଇଛି। ୨୦୧୯ ମସିହା ଜୁନ୍‌ ୧୨ ତାରିଖରେ କୋଲ୍‌ ବିୟରିଂ ଆକ୍ଟ, ଧାରା ୧୯୫୭ ଅନୁଯାୟୀ ଏଥିପାଇଁ ୭ (୧) ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଭାବିତ ପ୍ରଜାଙ୍କର କୌଣସି ଆପତ୍ତି ଅଭିଯୋଗ ଥିଲେ, ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ସେମାନେ ଭାରତ ସରକାରଙ୍କ କୋଲ୍‌ କଣ୍ଟ୍ରୋଲ୍‌ କାଉନ୍‌ସିଲ୍‌, କୋଲକାତା ନିକଟରେ ଅଭିଯୋଗ  କରିପାରିବେ ବୋଲି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଥିଲା। କିନ୍ତୁ ମନ୍ଦାକିନୀ କୋଇଲା ଖଣି କର୍ତ୍ତୃପକ୍ଷ ପୁନର୍ବାସ ତଥା ଥଇଥାନ ସଂପର୍କିତ ସେମାନଙ୍କ ଦ୍ବାରା ଉପସ୍ଥାପିତ ଦାବି ପୂରଣ ନକଲେ ତାଙ୍କୁ ସହଯୋଗ କରିବେ ନାହିଁ ବୋଲି କାକୁଡ଼ିଆ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ଖଣି ସଂକ୍ରାନ୍ତ କୌଣସି କାର୍ଯ୍ୟକ୍ରମରେ ଗାଁ ଲୋକ ଯୋଗଦେବେ ନାହିଁ ବୋଲି ସ୍ଥିର କରିଥିଲେ। ତେବେ ପରେ ଗାଁର ୭ ଜଣ ବ୍ୟକ୍ତି ଗାଁ ନିଷ୍ପତ୍ତିକୁ ନମାନି କୋଲକାତା ଯାଇ ସେମାନଙ୍କ ଅଭିଯୋଗପତ୍ର ଦେବା ନିମନ୍ତେ କୋଲ୍‌ କଣ୍ଟ୍ରୋଲ କାଉନ୍‌ସିଲ୍‌ଙ୍କୁ ସାକ୍ଷାତ କରିଥିଲେ। ଗାଁ ନିଷ୍ପତ୍ତିକୁ ବେଖାତିର କରି କୋଲକାତା ଯାଇଥିବା ବ୍ୟକ୍ତିମାନଙ୍କୁ ଗ୍ରାମବାସୀମାନେ ଡାକି ୨୦୧୯ ଅକ୍ଟୋବର ୨୧ ତାରିଖରେ ଏକ ବୈଠକ କରିଥିଲେ। ଗ୍ରାମବାସୀଙ୍କ କଥା ନମାନି କୋଲକାତା ଯାଇଥିବା ଏହି ୭ ଜଣଙ୍କୁ ପରିବାର ପିଛା ୧ ଲକ୍ଷ ଲେଖାଏଁ ଟଙ୍କା ଜରିମାନା କରାଯିବା ସହ ଗ୍ରାମର ସମସ୍ତ ଅଧିକାରରୁ ବଞ୍ଚିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଗାଁର ନିଷ୍ପତ୍ତି କ୍ରମେ ଗ୍ରାମ ସଭାପତି ଅଶୋକ ପ୍ରଧାନ, ଉପସଭାପତି ବିଜୟ ଦାସ, ସମ୍ପାଦକ ନନ୍ଦକିଶୋର ଜ୍ୟୋତିଷ ଓ ପୂର୍ବତନ ସଭାପତି ରତ୍ନାକର ପ୍ରଧାନ ସେମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ସମସ୍ତ ଅଧିକାରରୁ ସେମାନଙ୍କୁ ଉଚ୍ଛେଦ କରାଗଲା ବୋଲି ଘୋଷଣା କରିଥିଲେ। ବାସନ୍ଦ ୭ ଜଣଙ୍କ ମଧ୍ୟରୁ ଗତକାଲି ବାବୁଲା ପ୍ରଧାନ, ଦିଲୀପ ପ୍ରଧାନ, ଜୟନ୍ତ ପ୍ରଧାନ ଓ ଅନିଲ ପ୍ରଧାନ ଅନୁଗୁଳ ଜିଲ୍ଲାପାଳ, ଏସ୍‌ପି, ତାଳଚେର ଉପଜିଲ୍ଲାପାଳ, କଣିହାଁ ଥାନା ଅଧିକାରୀଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ବାସନ୍ଦ ପରିବାରର କୌଣସି ବ୍ୟକ୍ତିଙ୍କ ସହ ଗାଁ ଲୋକ କଥାବାର୍ତ୍ତା ହେଲେ ତାଙ୍କୁ ୫ ଶହ ଟଙ୍କା ଜରିମାନା କରାଯିବ, ବାସନ୍ଦ ବ୍ୟକ୍ତିଙ୍କ ଚାଷଜମିକୁ କୌଣସି ଚାଷୀ ଭାଗରେ ଧରିବେ ନାହିଁ, ଗାଁର ଅନ୍ୟ ଲୋକଙ୍କ ଜମି ଡେଇଁ ସେମାନେ ନିଜ ଜମିକୁ ଯାଇପାରିବେ ନାହିଁ, ସେମାନଙ୍କୁ ଦୋକାନବଜାର ବନ୍ଦ କରାଯିବା ସହ ବିବାହ, ବ୍ରତ ପ୍ରଭୃତି ସାମାଜିକ କାର୍ଯ୍ୟକ୍ରମରେ ସହଯୋଗ କରାଯିବ ନାହିଁ, ଗାଁରେ ଥିବା ଭାଇ, ବନ୍ଧୁ ସେମାନଙ୍କଠାରୁ ଦୂରେଇ ରହିବା ପାଇଁ ଗାଁରେ ନିଷ୍ପତ୍ତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାକୁଡ଼ିଆ ଗ୍ରାମ ସଭାପତି ଅଶୋକ ପ୍ରଧାନଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ୍‌ ନ ଉଠାଇବାରୁ ଏ ନେଇ ତାଙ୍କର ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର