କଙ୍ଗାରୁ କୋର୍ଟରେ ବୃଦ୍ଧ ବାପାକୁ ହଲାପଟା, ଝିଅ ଦ୍ବିତୀୟ ବିବାହ କଲା ବୋଲି ଲକ୍ଷେ ଟଙ୍କା ଜରିମାନା

ଗାଁରୁ ଏକଘରିଆ, ଏତଲା ଦେବା ପରେ ବି ପୁଲିସ ଚୁପ୍

କରଞ୍ଜିଆ : ଝିଅ ଦ୍ବିତୀୟ ବିବାହ କ‌‌‌ଲେ ବୋଲି ବୃଦ୍ଧ ବାପାକୁ କଙ୍ଗାରୁ କୋର୍ଟରେ ହଲାପଟା କରିଛନ୍ତି ଗ୍ରାମବାସୀ। ଗାଁ ସଭାରେ ଦୋଷୀ ସାବ୍ୟସ୍ତ କରି ଲକ୍ଷେ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଦେବାରେ ଅସମର୍ଥ ହେବାରୁ ରାତାରାତି ବୃଦ୍ଧଙ୍କ ଘରୁ ସମସ୍ତ ଜିନିଷପତ୍ର ନେଇଯିବା ସହ ତାଙ୍କୁ ଗାଁରୁ ଏକଘରିକିଆ କରାଯାଇଛି। ସବୁଠୁ ବଡ଼କଥା ହେଲା, ଏଭଳି ଏକ ସଙ୍ଗିନ ମାମଲାରେ ପୁଲିସ ଏଯାଏ କୌଣସି ମାମଲା ରୁଜୁ କରିନାହିଁ, ଯଦିଓ ଅଭିଯୋଗକାରୀ ଥାନାକୁ ଯାଇ ଏତଲା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବକଳା ପଞ୍ଚାୟତ ଧୁଡୁକୁ ଗାଁର ଏହି ଅମାନବୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ

ଅଭିଯୋଗ ଅନୁଯାୟୀ, ଧୁଡୁକୁ ଗ୍ରାମର ପିଅନ ନାଏକ (୬୨)ଙ୍କ ଝିଅ ପୂର୍ବରୁ ସେହି ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ ଯୁବକ ଜଣକ ଦୀର୍ଘ ମାସ ଧରି ଘରକୁ ନଫେରିବାରୁ ଝିଅ ବାପଘରକୁ ପଳାଇ ଆସିଥିଲା। ନିକଟରେ ଝିଅକୁ ଅନ୍ୟତ୍ର ବିବାହ କରାଇ ଦେଇଥିଲେ ବାପା ପିଅନ। ଏହି ଘଟଣାକୁ ନେଇ ଗତକାଲି ଗାଁରେ ଏକ ବୈଠକ ବସିଥିଲା। ଆମକୁ ନଜଣାଇ କଣ ପାଇଁ ଝିଅ ବାହାଘର କଲୁ ବୋଲି କହି ପିଅନଙ୍କୁ ଘେରିଥିଲେ ଗ୍ରାମବାସୀ। ଏଥିପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜରିମାନା ବାବଦରେ ୧ ଲକ୍ଷ ୧୧ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଏତେ ଟଙ୍କା କେଉଁଠୁ ଆଣିବେ ବୋଲି କହିବାରୁ ବୈଠକରେ ଉପସ୍ଥିତ ଲୋକେ ଜୋରଜବରଦସ୍ତ ତାଙ୍କ ଘରେ ପଶିଥିଲେ ଓ ଏକ ପିକଅପ୍‌ ଭ୍ୟାନ ଓ ଅଟୋରେ ପିଅନଙ୍କ ଘରୁ ୧୨ଟି ଛେଳି, ହଳେ ବଳଦ, ଟିଭି, ଫ୍ୟାନ୍‌, ୧୧ଟି କୁକୁଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଥିଲେ। ଏଥିସହ ତାଙ୍କୁ ଗ୍ରାମରେ ଏକଘରିଆ କରାଗଲା ବୋଲି ଘୋଷଣା କରିଥିଲେ। ଏ ନେଇ ଯଶିପୁର ଥାନାରେ ପିଅନ ଲିଖିତ ଅଭିଯୋଗ କରିବା ସହ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରିଛନ୍ତି। ହେଲେ ଏହି ସ୍ପର୍ଶକାତର ଘଟଣାରେ ଏ ଯାଏ ଯଶିପୁର ପୁଲିସ କେସ୍‌ ରୁଜୁ କରିନି।

ସମ୍ବନ୍ଧିତ ଖବର