ଖଣ୍ଡପଡ଼ାରେ କଙ୍ଗାରୁ କୋର୍ଟ : ବୃଦ୍ଧ ଦମ୍ପତିଙ୍କୁ ନିଆଁ ପାଣି ବାସନ୍ଦ

ଖଣ୍ଡପଡ଼ା : ଖଣ୍ଡପଡ଼ା ପୁଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏପରିକି ସାଧାରଣ ଲୋକଙ୍କୁ ପୁଲିସ ଆଇନ ଅନୁଯାୟୀ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତ ବିଗୁଡ଼ୁଛି, ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଣ୍ଡପଡ଼ା ଥାନା ଓ କୋସକା ଫାଣ୍ଡି ଅନ୍ତର୍ଗତ ସିଂଘିବାଡ଼ି ଗ୍ରାମରେ। ୮୦ ବର୍ଷର ବୃଦ୍ଧ ଦମ୍ପତି ବରିଷ୍ଠ ନାଗରିକ ହୋଇ ଅଦାଲତର ଆଶ୍ରୟ ନେଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଅଭିଯୋଗ ଉପରେ ନିରବ ରହୁଥିବା ଦେଖିବାକୁ ମିଳିଛି। ଫଳରେ ଦମ୍ପତିଙ୍କ ଅଭିଯୋଗକୁ ଗ୍ରାମବାସୀ ବିଚାରକୁ ନ ନେଇ ଜମି ସଂକ୍ରାନ୍ତୀୟ ଅଦାଲତ କେସ୍‌କୁ କିଛି ଖଳ ପ୍ରକୃତିର ଲୋକ ଗାଁରେ ରଫାଦଫା କରିବାକୁ ବାଧ୍ୟ କରୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ ଆଣିଛନ୍ତି। ଏପରିକି ଗାଁରେ କଙ୍ଗାରୁ କୋର୍ଟ କରି ବୃଦ୍ଧ ଦମ୍ପତିକୁ ୨୦ ହଜାର ଟଙ୍କା ଜରିମାନା ଲଗାଇଥିବା ଦେଖିବାକୁ ମିଳିଛି। ଜରିମାନା ନ ଦେବାରୁ ବୃଦ୍ଧ ଦମ୍ପତିଙ୍କୁ ଏବେ ଗାଁରେ କୂଅ, ପୋଖରୀ, ଦୋକାନ ଓ ରାସ୍ତାଘାଟ ବନ୍ଦ ଆଦି ନିଆଁ ପାଣି ବାସନ୍ଦ କରିଥିବା ଜଣାପଡ଼ିଛି। ଫଳରେ ବୃଦ୍ଧ ବୟସରେ ସାହାରା ହେବାକୁ କେହି ନ ଥିବାରୁ ଜମି ହଡ଼ପ କରିବା ପାଇଁ ଗ୍ରାମବାସୀ ଜାଣିଶୁଣି ହଇରାଣ ହରକତ କରୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସିଂଘିବାଡ଼ି ଗ୍ରାମର ଦୁଇ ବୃଦ୍ଧ ଦମ୍ପତି ସୁଦର୍ଶନ ବେହେରା (୮୦) ଓ ତାଙ୍କ ଧର୍ମ ପତ୍ନୀ ମୀନତି ‌ବେହେରା ନିଜ ଘର ଡିହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ନିର୍ମାଣ ପାଇଁ ନିଅଁ ଖୋଳି ଥିଲେ। କିନ୍ତୁ ଏହି ନିଅଁ ଖୋଳାକୁ ନେଇ ପଡ଼ୋଶୀ ପାଟି ତୁଣ୍ଡ କରିବା ସହ ଗଣ୍ଡଗୋଳ କରିବାରୁ ପ୍ରଥମେ ସେ ଜାଗା ମାପ ସହ ସମସ୍ୟାର ସମାଧାନ ନିମନ୍ତେ କୋସକା ଫାଣ୍ଡି ଅଧିକାରୀ ଅରୁଣ କୁମାର ଜେନାଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଫାଣ୍ଡି ଅଧିକାରୀ କିଛି ନ ଶୁଣିବାରୁ ବୃଦ୍ଧ ଦମ୍ପତି ଦୁହେଁ ଖଣ୍ଡପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଜାଗା ଚିହ୍ନଟ ନିମନ୍ତେ ମାମଲା ରୁଜୁ କରିଥିଲେ। କୋର୍ଟ ମାମଲାର ବିଚାର କରି ଫାଣ୍ଡି ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଏହି ଘଟଣାରେ ନିରବ ରହିଥିଲେ ଏବଂ ଏହି ସମସ୍ୟାକୁ ଗ୍ରାମବାସୀଙ୍କ ଉପରେ ନ୍ୟସ୍ତ କରି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କାହିଁକି କେସ୍ କରିଛ ବୋଲି କହି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ ଆଣିଛନ୍ତି। ଏବେ ବୃଦ୍ଧ ଦମ୍ପତିଙ୍କ ଜୀବନ ଉପରେ ବିପଦ ଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଲୋକଙ୍କୁ ସାହା ହେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଶ୍ରୀ ଜେନାଙ୍କୁ ପଚାରିବାକୁ ଫୋନ୍‌ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ।

ସମ୍ବନ୍ଧିତ ଖବର