ଏମଭି-୫୦ ଗ୍ରାମରେ କଙ୍ଗାରୁ କୋର୍ଟ : ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କୁ ମାରପିଟ୍ ନେଇ ଅଭିଯୋଗ ହୋଇଛି। ଦୁଇ ଦିନ ଧରି ମହିଳାଙ୍କୁ ଗ୍ରାମବାସୀ ପିଟିଥିବା ବେଳେ ତାଙ୍କ ମା’ଙ୍କୁ ବି ଆକ୍ରମଣ କରାଯାଇଥିବା ସଂପୃକ୍ତ ମହିଳା ଜଣକ କହିଛନ୍ତି। ବହୁ କଷ୍ଟରେ ଗାଁରୁ ଖସି ଆସିବା ପରେ ଆଜି ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀଙ୍କ ପ୍ରରୋଚନାରେ ଗ୍ରାମବାସୀ ଏଭଳି କାଣ୍ଡ କରିଥିବା ସେ ପୁଲିସକୁ କହିଛନ୍ତି। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି।

ସୂଚନା ଅନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୫୦ଗାଁର ଜଣେ ମହଳା କିଛି ଦିନ ହେଲା ସ୍ବାମୀଙ୍କୁ ଛାଡ଼ି ନିଜ ଭଉଣୀ ନିକଟରେ ରହୁଥିଲେ। ଏହା ସ୍ବାମୀଙ୍କ ପାଇଁ ଅସହ୍ୟ ହେବାରୁ ସେ ଗାଁର ମୁଖିଆ ମାନଙ୍କୁ ଏନେଇ ଜଣାଇଥିଲେ। ଏପରିକି ପତ୍ନୀଙ୍କର ଅନୈତିକ ସଂପର୍କ ରହିଥିବା ନେଇ ସେ ଗ୍ରାମବାସୀଙ୍କୁ କହିଥିଲେ। ଏହାପରେ ଗତ ସୋମବାର ଦିନ ଗାଁରେ ବୈଠକ ବସିଥିଲା। ସେଠାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ଯାହା ବି ବିବାଦ ରହିଛି ତାହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି କୁହାଗଲା। ତେବେ ମହିଳା ଜଣକ ପ୍ରଥମେ ଏଭଳି ବୈଠକକୁ ଯିବାକୁ ପ୍ରସ୍ତୁତ ନଥିଲେ। ତେଣୁ ଗ୍ରାମବାସୀ ଅତି ଚତୁରତାର ସହ ବୁଝାସୁଝା କରି ତାଙ୍କୁ ବୈଠକକୁ ଡାକି ନେଇଥିଲେ। ଗାଁ ବୈଠକରେ ପୂର୍ବରୁ ଅପେକ୍ଷା କରି ରହିଥିବା ଗ୍ରାମବାସୀ ଏହାପରେ କୋର୍ଟ ଭଳି ଉଭୟ ପକ୍ଷର ବୟାନ ନେଇଥିଲେ। ରାତି ୮ରୁ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା। ହେଲେ ଏହି ବୈଠକରେ ଯାହା ବି ନିଷ୍ପତ୍ତି ନିଆଗଲା ପୂରା ଏକତରଫା ବୋଲି ମହିଳା ଜଣକ କହିଛନ୍ତି। କାରଣ ତାଙ୍କ ସ୍ବାମୀ କିଛି କାମ କରୁ ନଥିବା ବେଳେ ସେ ଯାହା ରୋଜଗାର କରୁଥିଲେ ତାହା ଉପରେ ନିର୍ଭର କରୁଥିଲେ। ଟଙ୍କା ନଦେଲେ ତାଙ୍କୁ ମାରପିଟ କରୁଥିବାରୁ ସେ ଆଉ ସ୍ବାମୀଙ୍କ ପାଖରେ ରହିବେ ନାହିଁ ବୋଲି କହିଥିଲେ। ଅନ୍ୟପଟେ ସ୍ବାମୀ ସଂଗିନ ଅଭିଯୋଗ କରିଥିଲେ ଯେ ମହିଳା ଜଣକ ଅନୈତିକ ସଂପର୍କ ରଖିଥିବାରୁ ଏଭଳି କହୁଛନ୍ତି। ତାଙ୍କ ପାଖରେ ରହିବା ପାଇଁ ଚାହୁଁ ନାହାନ୍ତି। ଏମିତି ଆରୋପ ପ୍ରତ୍ୟାରୋପ ମଧ୍ୟରେ ହଠାତ୍ ଗ୍ରାମର କିଛି ମହିଳା ଆତର୍କିତ ଭାବେ ସଂପୃକ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଗ୍ରାମର ଅନ୍ୟ କେତେ ଜଣ ବି ଏହି ଆକ୍ରମଣରେ ସାମିଲ ହୋଇଥିଲେ। ଶହ ଶହ ଗ୍ରାମବାସୀଙ୍କ ମଧ୍ୟରେ ଜଣେ ମହିଳାଙ୍କ ଉପରେ ଏମିତି ଅତ୍ୟାଚାର ଚାଲିଥିଲେ ମଧ୍ୟ କେହି ମୁହଁ ଫିଟାଇ ନଥିଲେ। ନିରବଦ୍ରଷ୍ଟା ସାଜି ପରୋକ୍ଷରେ ଏଭଳି ଆକ୍ରମଣକୁ ସମ୍ମତି ଜଣାଇଥିଲେ।

ପ୍ରବଳ ମାଡ଼ ଖାଇବା ପରେ ସର୍ବସମ୍ମୁଖରେ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ରହିବାକୁ ରାଜି ହେବାରୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଏତିକିରେ କମି ନଥିଲା ଗ୍ରାମବାସୀଙ୍କ ଆକ୍ରୋଶ। ପୁଣି ଗତକାଲି ସକାଳେ ଘରେ ପହଞ୍ଚି ତାଙ୍କୁ ମାରପିଟ୍ କରିବା ସହ ତାଙ୍କ ମା’ଙ୍କୁ ବି ପିଟିଥିଲେ। ବାରମ୍ବାର ଆକ୍ରମଣ ହେଉଥିବାରୁ ବାଧ୍ୟ ହୋଇ ମହିଳା ଜଣକ ଗତକାଲି ରାତିରେ ଗାଁରୁ ଲୁଚିଛପି ଚାଲି ଆସିଥିଲେ। ସୁରକ୍ଷା ପାଇଁ ମାଲକାନଗିରି ପହଞ୍ଚି ଥାନାରେ ଅଭିଯୋଗ ଜଣାଇଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି।

ମାଲକାନଗିରି ଜିଲ୍ଲାରେ କଙ୍ଗାରୁ କୋର୍ଟ ଆଦୌ ନୂଆ ଘଟଣା ନୁହେଁ। ପୂର୍ବରୁ ଏମିତି ଅନେକ ଥର ଗାଁରେ ବୈଠକ ବସି ଆଇନକୁ ହାତକୁ ନିଆଯିବାର ନଜିର ରହିଛି। ଯାହାକି ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଯଦି ମହିଳାଙ୍କର କିଛି ଭୁଲ ରହିଛି ତାହାହେଲେ ଆଇନ ଅନୁଯାୟୀ ଏହାର ସମାଧାନ କରାଯିବା କଥା। କିନ୍ତୁ ଗ୍ରାମବାସୀ ଏଭଳି ବେଆଇନ କାମ କରିବା ଆଦୌ ଗ୍ରହଣୀୟ ନୁହଁ ବୋଲି ମତ ପ୍ରକାଶ ପାଇଛି। ପୁଲିସ ଏହି ଘଟଣାକୁ ଗୁରୁତ୍ବ ଦେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର