ପୁଷୁଗୁଡ଼ାରେ କଙ୍ଗାରୁ କୋର୍ଟ

ମହିଳା ଓ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା

ମାଲକାନଗିରି : ଅନୈତିକ ସଂପର୍କ ପାଇଁ କଙ୍ଗାରୁ କୋର୍ଟରେ ବିବାହିତା ମହିଳା ଓ ଯୁବକଙ୍କୁ ଦଣ୍ଡ। ସମସ୍ତଙ୍କ ସାମ୍ନାରେ ଖୁଣ୍ଟରେ ବାନ୍ଧି ପ୍ରଥମେ ଅପଦସ୍ତ କରାଗଲା। ଏହାପରେ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇ ଛଡାଗଲା। ଖବର ପାଇ ପୁଲିସ ପହଞ୍ଚିବା ବେଳକୁ ନ୍ୟାୟ ନିଶାପ ସରି ଯାଇଥିଲା। ଯୁବକଙ୍କୁ ନେଇ ଗାଁରୁ ଫେରିଥିଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ସଦର ବ୍ଲକ ଶିଖପାଲି ପଞ୍ଚାୟତ ଅନ୍ତର୍ଗତ ପୁଷୁଗୁଡା ଗାଁରେ। ଦୁଇ ଦିନ ତଳେ ଏହି ଘଟଣା ଘଟିଥିବା କୁହାଯାଉଛି। ପୂରା ଘଟଣାର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲିବାରୁ ଏହି ଅମାନବୀୟ ବିଚାର ପ୍ରକ୍ରିୟା ପଦାକୁ ଆସିଛି।

ପୁଷୁଗୁଡା ଗାଁର ବିବାହିତା ମହିଳାଙ୍କ ସହ ଏମଭି-୧୭ ନମ୍ବର ଗାଁର ଜଣେ ଯୁବକଙ୍କ ଦୀର୍ଘ ଦିନ ହେଲା ଅନୈତିକ ସଂପର୍କ ରହିଥିଲା। ଗ୍ରାମବାସୀ ଏହି ବିଷୟରେ ଜାଣିବା ପରେ ଦୁହିଁଙ୍କୁ ପ୍ରଥମେ ତାଗିଦ୍‌ କରିଥିଲେ। କିନ୍ତୁ ଏହାକୁ ନ ମାନି ଯୁବକ ଜଣକ ବାରମ୍ବାର ମହିଳାଙ୍କ ଘରକୁ ଯାଉଥିଲା। ଉଭୟଙ୍କ ମିଳାମିଶାରେ ଗ୍ରାମବାସୀ ପ୍ରତିବନ୍ଧକ ସାଜିବାରୁ ଗାଁ ବାହାରେ ଭେଟ ହେବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ। ତେଣୁ ଗାଁ ନିକଟକୁ ଯୁବକ ଜଣକ ଆସିବା ପରେ ମହିଳାଙ୍କୁ ଫୋନ କରି ଡାକୁଥିଲେ। ନିକଟସ୍ଥ ଜଙ୍ଗଲରେ ଅବାଧରେ ମିଳାମିଶା କରୁଥିଲେ। ଦୁଇ ଦିନ ତଳେ କିନ୍ତୁ ଗ୍ରାମବାସୀଙ୍କ ହାବୁଡ଼ରେ ପଡି ଯାଇଥିଲେ ଦୁହେଁ। ଗାଁ ଭିତରକୁ ଦୁହିଁଙ୍କୁ ଆଣିବା ପରେ ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଜଣ ଜଣ କରି ଗ୍ରାମବାସୀ ଖୁଣ୍ଟ ପାଖକୁ ଯାଇ ଗାଳିଗୁଲଜ କରିଥିଲେ। ଅପଶବ୍ଦ କହି ଅପଦସ୍ତ କରିଥିଲେ। ଶେଷରେ ଯୁବକଙ୍କୁ ୫୦ହଜାର ଟଙ୍କା ଜରିମାନା ନିର୍ଦେଶ ଦିଆଯାଇଥିଲା।

ପୁଷୁଗୁଡା ଗ୍ରାମବାସୀ ପୁଅକୁ ବାନ୍ଧିଥିବା ସୂଚନା ପାଇବା ପରେ ଯୁବକଙ୍କ ବାପା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଯୁବକଙ୍କୁ ଗାଁରୁ ଆଣିଥିଲା।

ସମ୍ବନ୍ଧିତ ଖବର