କଟକ : ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲାରେ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଆଜି ଶେଷ ହୋଇଛି।
ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଚୂଡାନ୍ତ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଆଜି ଆରମ୍ଭ ହୋଇଥିବା ଯୁକ୍ତି ଉପସ୍ଥାପନ ଅଧା ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଜାରି ରହିବ ବୋଲି ସୂଚନା ମିଳୁଛି।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୯, ଜାନୁଆରି ୨୦ ଅପରାହ୍ନ ୨ଟା ସମୟରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁଗୁଳ ଜିଲ୍ଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗ୍ରାମର ସରୋଜ ମହାରଣାଙ୍କ ୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅନାମ ହାବୁଡରେ ପଡିଥିଲା। ଏକୁଟିଆ ପାଇ ଅନାମ ସେଦିନ ପୀଡ଼ିତାକୁ କଣ୍ଟାଗଛ ମୂଳକ ଘୋସାରି ନେଇ ଦୁଷ୍କର୍ମ କରିଥିଲା। ଏହାପରେ ଅନାମ ପଥରେ ଛେଚି ଘଟଣାସ୍ଥଳରେ ପୀଡିତାକୁ ହତ୍ୟା କରିଥିଲା। ପୁଲିସ ଘଟଣାର ତଦନ୍ତ କରି ଅନାମକୁ କୋଲକାତାରୁ ଗିରଫ କରିଥିଲା। ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଇଥିଲା। ପ୍ରାୟ ଏକ ମାସ ଭିତରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ।
ନିମ୍ନ ଅଦାଲତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ସରକାରଙ୍କ ଆବେଦନ ସହିତ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ଦେହୁରୀ ଓରଫ ଶ୍ରୀନିବାସ ପକ୍ଷରୁ ଦାୟର ଅପିଲର ଶୁଣାଣି ହାଇକୋର୍ଟରେ ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ଓ ସରକାରଙ୍କ ତରଫରୁ ଏଜିଏ ବିଷ୍ଣୁ ପ୍ରସାଦ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Odisha-High-Court.jpg)