ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି ଜଣେ ପୁଲିସ କନେଷ୍ଟବଳ। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଣି ଜଣେ ଏସ୍ଓଜି ଯବାନ୍, ଯିଏ ଫେରାର୍ ହୋଇଯାଇଛି। ସବୁଠାରୁ ଉଲ୍ଲେଖନୀୟ ହେଲା କଙ୍ଗାରୁ କୋର୍ଟର ନେତୃତ୍ୱ ନେଉଥିଲେ ଜଣେ ଏସ୍ଓଜି ଯବାନ୍। ଜିଲ୍ଲା ମୁଖ୍ୟାଳୟ, ଯେଉଁଠି ଜିଲ୍ଲାପାଳ, ଏସ୍ପିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବରିଷ୍ଠ ପୁଲିସ ଓ ପ୍ରାଶାସନିକ ଅଧିକାରୀ ରହନ୍ତି, ସେଠାରେ ସମସ୍ତଙ୍କ ନାକ ତଳେ କଙ୍ଗାରୁ କୋର୍ଟ ଚାଲିଲା। ଜଣେ ପୁଲିସ କନେଷ୍ଟବଳଙ୍କୁ ଲଣ୍ଡା କରି, ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇ ବନ୍ଦ କୋଠରୀରେ ବାନ୍ଧି ରଖାଗଲା। ଏତେ ସବୁ ଘଟିଗଲା ପରେ ବିଳମ୍ବରେ ପୁଲିସ ପହଞ୍ଚି କନେଷ୍ଟବଳଙ୍କୁ ଉଦ୍ଧାର କରିଥିଲା। ଫୁଲବାଣୀ ଟାଉନ ଥାନା ବଦାଙ୍ଗି ସାହିରେ ଏହା ଘଟିଛି। ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ସେହି ସାହିର ରହୁଥିବା ଚକାପାଦ ବ୍ଲକ ପସରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଗୌରଚନ୍ଦ୍ର କହଁରଙ୍କୁ ଗାଁ ମଣ୍ଡପରେ ବୈଠକ କରି ଦୋଷୀ ସାବ୍ୟସ୍ତ କରାଗଲା। ତାଙ୍କୁ ଲଣ୍ଡା କରି ଗୋବର ପାଣିରେ ଗାଧୋଇଲେ। ଶେଷରେ ବିଷ୍ଠା ଖୁଆଇ ଏକ କୋଠରୀରେ ବନ୍ଦୀ କରି ରଖିଲେ। ପୁଲବାଣୀ ଟାଉନ ଥାନାରେ ଗୌରଙ୍କ ଝିଅ ପହଞ୍ଚି ଖବର ଦେବା ପରେ ପୁଲିସ ପଦକ୍ଷେପ ନେଲେ। ଗୌରଚନ୍ଦ୍ରକୁ ବନ୍ଦ କୋଠରୀରୁ ମଧ୍ୟରୁ ବାହାର କରି ମନ୍ଦିରକୁ ନିଶାପ ପାଇଁ ନେଉଥିବା ବେଳେ ପୁଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଗୌରଚନ୍ଦ୍ରଙ୍କୁ ଉଦ୍ଧାର କରିଛି। ପୁଲିସ ସିଦ୍ଧାନ୍ତ କହଁର, ବୁଦ୍ଧେଶ୍ୱର କହଁର, ରତ୍ନାକର ମଲ୍ଲିକ ଓ ଅଜୟ କହଁରଙ୍କୁ ଗିରଫ କରିଥିବା ବେଳେ ଏଥିରେ ସଂପୃକ୍ତ ଏସଓଜି ଯବାନ୍ ଅମରେନ୍ଦ୍ର ଫେରାର ରହିଛି। ନେଇ ୨୦୨/୧୭ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି। ଘଟଣାରୁ ପ୍ରକାଶ ଯେ ଏସ୍ଓଜି ଯବାନ୍ ଥିବା ଓ ଫୁଲବାଣୀ ସହର ବଦାଙ୍ଗି ସାହିରେ ରହୁଥିବା ଅମରେନ୍ଦ୍ର କହଁରଙ୍କ ଭଉଣୀ କିଛିଦିନ ହେଲା ବାରମ୍ବାର ଦେହ ଖରାପ ହେଉଥିଲା। ଗତ ଶୁକ୍ରବାର ୮ ତାରିଖ ଦିନ ଅମରେନ୍ଦ୍ର ଭଉଣୀକୁ କୁଆଡ଼େ ରାତିରେ ସ୍ୱପ୍ନ ହେଲା ଗୌରଚନ୍ଦ୍ର ତାକୁ ଗୁଣି ଗାରେଡ଼ି କରିଛି । ସେଥିପାଇଁ ତାର ବାରମ୍ବାର ଦେହ ଖରାପ ହେଉଛି । ଏକଥା ଭାଇ ଅମରେନ୍ଦ୍ରକୁ ଜଣାଇଥିଲା ତାଙ୍କ ଭଉଣୀ । ଅମରେନ୍ଦ୍ର ଭଉଣୀ ଠାରୁ ଏକଥା ଶୁଣିବା ପରେ ସିଧା ଗୌରଚନ୍ଦ୍ରକୁ ଏବିଷୟରେ ପଚାରିଥିଲା । ହେଲେ ଏହାକୁ ଗୌରଚନ୍ଦ୍ର ଅସ୍ୱୀକାର କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏ ବିଷୟରେ ସାହି ଲୋକଙ୍କୁ ଜଣାଇଥିଲେ ଅମରେନ୍ଦ୍ର। ସାହି ଲୋକେ ଏକ୍ଜୁଟ ହେଲେ। ସୋମବାର ଦିନ ଗୌରଚନ୍ଦ୍ରଙ୍କୁ ସାହି ମଣ୍ଡପକୁ ଆସିବା ପାଇଁ ଖବର ଦେଇଥିଲେ। ଗତକାଲି ସନ୍ଧ୍ୟା ବେଳେ ଗୌର ପୁଲବାଣୀ ଆସି ରାତିରେ ସାହି ଲୋକଙ୍କ ନିର୍ଦ୍ଦେଶ ପ୍ରକାରେ ମଣ୍ଡପକୁ ଯାଇଥିଲେ। ତାପରେ ଏସ୍ଓଜି ଯବାନ ଅମରେନ୍ଦ୍ର ଓ ତାଙ୍କ ସାଥୀ ତାକୁ ଘେରିଯାଇଥିଲେ। ସେଠାରେ କିଛି ସମୟ ମଧ୍ୟରେ କଙ୍ଗାରୁ କୋର୍ଟ ଆରମ୍ଭ ହୋଇଗଲା।, ରାତି ସାରା ଚାଲିଲା। ସେଠାରେ ତାଙ୍କୁ ଲଣ୍ଡା କରି ବିଷ୍ଠା ଖୁଆଇ ଗୋବର ପାଣିରେ ଗାଧୁଆ ଯାଇଥିବା ଗୌରଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ କିଛିମାସ ତଳେ ସଦର ମହକୁମା ଜିଲ୍ଲା ଚିକିତ୍ସାୟରେ ଜଣେ ସାପ କାମୁଡ଼ା ରୋଗୀଙ୍କୁ ବଞ୍ଚାଇବାକୁ ଯାଇ ବେଡ୍ ପାଖରେ କୁକୁଡ଼ା ବଳି ଦିଆ ଯାଇଥିଲା। ଗତକାଲି ପୁଣି ମେଡ଼ିକାଲ ପରିସର ୧୦ ନଂ ଓ୍ଵାର୍ଡ଼ରେ ଏକ କୁକୁଡ଼ା ବଳି ଦିଆ ଯାଇଥିବା ଜଣାପଡ଼ିଛି। ତେଣୁ ଏଭଳି ଘଟଣା ଜିଲ୍ଲାରେ ନିତି ଦିନିଆ ହୋଇଥିବା ବେଳେ ପ୍ରଶାସନ ଏହାକୁ ରୋକିବା ଦିଗରେ ତତ୍ପରତା ଦେଖାଉ ନଥିବା ସାଧାରଣରେ ଆଲୋଚନା ହେଉଛି ।