କାହ୍ନା ପାଇଲା ନୂଆ ଚେହେରା : ଖୋଲିଲା ପଟି, ଆଉ ୧୦ଦିନ ଆଇସିୟୁରେ ରହିବ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଲୋମଶ ବାଳକ କାହ୍ନାର ଚିକିତ୍ସା ଜାରି ରହିଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଆଜି କାହ୍ନାର ମୁହଁରୁ ପଟି ଖୋଲାଯାଇଛି। ଏବେ ଏକ ନୂଆ ଚେହେରାରେ ସାମ୍‌ନାକୁ ଆସିଛି ଏହି ୬ ବର୍ଷର ଶିଶୁ। ଅପରେସନ୍‌ ପୂର୍ବର ଚେହେରା ତୁଳନାରେ ଏହି ଚେହେରାରେ ଢେର୍‌ ପରିବର୍ତ୍ତନ ବାରି ହୋଇପଡ଼ିଛି। ଯାହାକୁ ନେଇ କାହ୍ନାର ବାପାମା’ ମୁହଁରେ ଖୁସି ଖେଳିଯାଇଛି। କାହ୍ନାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବାବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ଆଉ ୧୦ ଦିନ ସେ ଆଇସିୟୁରେ ରହିବ ବୋଲି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ଡା. ଚରଣ ପଣ୍ଡା କହିଛନ୍ତି।

ଏମ୍‌କେସିଜି ମେଡିକାଲରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଡା. ରାଜୁ ଦାଶଙ୍କ ନେତୃତ୍ୱରେ ୧୨ ଜଣିଆ ଡାକ୍ତରୀ ଦଳ ଗତ ୨୬ ତାରିଖରେ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରିଥିଲେ। ଚେହେରାର ଡାହାଣ ପଟ ଅଂଶର ଲୋମଶ ଚମଡ଼ାକୁ ହଟାଇଯାଇ ଜଙ୍ଘରୁ ଚମଡ଼ା ବାହାର କରାଯାଇ ସେଠାରେ ସ୍କିନ୍‌ ଗ୍ରାଫ୍‌ଟିଂ ପଦ୍ଧତିରେ ପ୍ରତ୍ୟାରୋପଣ କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଜି ତାଙ୍କର ମୁହଁର ପଟି ଖୋଲାଯାଇଛି। ଲୋମ ଥିବା ସ୍ଥାନଟି ସଫା ରହିଥିବାବେଳେ ସେଠାରେ ନୂତନ ଚମଡ଼ା ଲାଗିଛି। କେବଳ ଷ୍ଟିଚ୍‌ ପଡ଼ିଥିବା ସ୍ଥାନରେ ଚିହ୍ନ ରହିଛି। ପରବର୍ତ୍ତୀ ଅସ୍ତ୍ରୋପଚାର ପରେ ତାହା ଆପେଆପେ ଚେହେରା ସହିତ ମିଶିଯିବ ବୋଲି ଡାକ୍ତର କହିଛନ୍ତି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ କାହ୍ନାର ଶରୀର ଲୋମଶ ପାଲଟିଯିବା ସଂକ୍ରାନ୍ତରେ ଗତ ୧୬ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ଵିଟ୍‌ରେ ବାର୍ତା ପହଞ୍ଚିଥିଲା। କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରିଥିଲେ। ସେ ନେଇ କାହ୍ନାକୁ ଚିକିତ୍ସା ପାଇଁ ଗତ ୧୯ତାରିଖରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କାହ୍ନାର ରକ୍ତ ପରୀକ୍ଷା ସହିତ ଆବଶ୍ୟକ ଟେଷ୍ଟ କରାଯାଇଥିଲା। ପରୀକ୍ଷାରେ କୌଣସି ତ୍ରୁଟି ନଥିବାରୁ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଛି।

ସେପଟେ ବହୁ ବଦାନ୍ୟ ବ୍ୟକ୍ତି କାହ୍ନାର ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି। କାହ୍ନାର ସମସ୍ତ ଖର୍ଚ୍ଚ ସରକାର ବହନ କରୁଥିବା ବେଳେ ଆର୍ଥିକ ସମସ୍ୟା ଯୋଗୁଁ ତାର ବାପା, ମା’ ବଡ଼ ଅସୁବିଧାରେ ଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ସହାୟତାର ସୁଅ ଛୁଟିଛି। ଆର୍ଥିକ ସହାୟତା ଦେଇଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ କାହ୍ନାର ମାତା, ପିତା ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର