ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିବା ମହାବଳ ବାଘ ଉପବାସରେ, ସାମ୍ନାରେ ବାର୍‌ହା ଛାଡ଼ିଲେ ବି ଖାଉ ନାହିଁ

ଅନୁଗୁଳ: ମଧ୍ୟପ୍ରଦେଶରୁ ଅାସିଥିବା ମହାବଳ ବାଘ ସାତକୋଶିଆ ଅଭୟାରଣ୍ୟରେ ବୁଲାବୁଲି କରୁଛି । ଜଙ୍ଗଲରେ ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ଗତକାଲିଠାରୁ ମହାବଳ ବାଘ ଖାଦ୍ୟ ଗ୍ରହଣ କରି ନଥିବା ସୂଚନା ମିଳିଛି । ବାଘ ଖୁଆଡରେ ଏକ ଜଙ୍ଗଲି ବାରହାକୁ ଛାଡି ଦିଆଯାଇଛି । ଯଦି ବାଘ ବାରହାକୁ ନିଜେ ମାରି ନ ଖାଏ, ତେବେ ବାରହାକୁ ମାରି ବାଘକୁ ଖାଇବାକୁ ମାଂସ ଦିଆଯିବ ବୋଲି ଜଣାପଡିଛି। ଅନ୍ୟପଟେ ୨ ଜଣ ପଶୁ ଡାକ୍ତର ବାଘ ଉପରେ ନଜର ରଖିଛନ୍ତି । ଖୁବ ଶୀଘ୍ର ମହାବଳକୁ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି ।

ଗତକାଲି ବନବିଭାଗ କର୍ମଚାରୀ ଏହି ମହାବଳକୁ ଜଙ୍ଗଲରେ ଛାଡିଥିଲେ । ବାଘର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ଶରୀରରେ ରେଡିଓ କଲର ଲଗାଯାଇଛି । ତେବେ ପ୍ରଥମ ଥର ପାଇଁ ଭାରତରେ ମହାବଳ ବାଘକୁ ୨୪ ଘଣ୍ଟିଆ ଯାତ୍ରାରେ ସ୍ଥାନାନ୍ତର କରାଯାଇଛି । ଓଡିଶାର ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି । କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ମହାବଳକୁ ଅଣାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ କାହ୍ନା ଅଭୟାରଣ୍ୟରୁ ଏବଂ ୨ଟି ମହାବଳ ବାନ୍ଧବଗଡ ଟାଇଗର ରିଜର୍ଭରୁ ଆଉ ୩ଟି ମହାବଳ ବାଘ ଅଣାଯିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର