କାଣୀ ନାଳ ଖନନ ଦୁର୍ନୀତିର ତଦନ୍ତ

ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁରରେ କାଣୀ ନାଳ ଖନନରେ ଡ୍ରେନେଜ ବିଭାଗର ଦୁର୍ନୀତି ପଦାରେ ପଡ଼ିଛି। ଆଜି ରବିବାର ଛୁଟିଦିନ ଥିଲେ ହେଁ ନିଜେ ବିଭାଗୀୟ ଏସ୍‌ଇ ଅଶୋକ ମିଶ୍ର ଆସି ତଦନ୍ତ କରିଛନ୍ତି। ଏଭଳି ଅପ୍ରତ୍ୟାଶିତ ତଦନ୍ତକୁ ସ୍ଥାନୀୟ ଲୋକେ ସମର୍ଥନ ଜଣାଇଥିଲେ ବି କିଛି ମଦ୍ୟପଙ୍କ ଜରିଆରେ ବ୍ୟାଘାତ ସୃଷ୍ଟି ପାଇଁ ଉଦ୍ୟମ ହୋଇଥିଲା। ଦୁଇଦିନ ମଧ୍ୟରେ ପ୍ରଥମେ ସୂଚନା ଫଳକ ଲଗାଯିବ, ଅଭିଯୋଗ ହୋଇଥିବା ସ୍ଥାନକୁ ଆଉଥରେ ମରାମତି ଏବଂ ତଳି ଜମିରୁ ପାଣି ନିଷ୍କାସନ ପାଇଁ ୧୯ଟି ପେଟି ନାଳକୁ ମୁଖ୍ୟ ନାଳ ସହ ସଂଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି ଏସ୍‌ଇ ଶ୍ରୀ ମିଶ୍ର।

ଏସ୍‌ଇ ଶ୍ରୀ ମିଶ୍ରଙ୍କ ସହିତ ନିର୍ବାହୀ ଅଧିକାରୀ ମଂଗୁଳି ବିଶ୍ୱାଳ, ଏସ୍‌ଡିଓ ଅଧର ଜେନାଙ୍କ ସହ ଜେଇ ଏସ୍‌ ଦେଓ ପହଞ୍ଚି ଅନୁଧ୍ୟାନ କରିଥିଲେ। ତେବେ, ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରାଣକୃଷ୍ଣ ବେହେରାଙ୍କୁ ଦେଖିବାକୁ ମିଳିନଥିଲା। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

ସୂଚନାଥାଉକି କାଣୀ ନାଳ ଖନନ କାର୍ଯ୍ୟରେ ନିର୍ବାହୀ ଅଧିକାରୀ ମଂଗୁଳି ବିଶ୍ୱାଳ, ଏସ୍‌ଡିଓ ଅଧର ଜେନା ଓ ଜେଇ ପ୍ରାଣକୃଷ୍ଣ ବେହେରା ମିଳିତ ଭାବେ ଏହି କାର୍ଯ୍ୟ କରାଉଛନ୍ତି। ଠିକାଦାର ଅଭୟ କୁମାର ଦାସଙ୍କୁ ସେମାନେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା। ସଫେଇ କାର୍ଯ୍ୟ ପାଇଁ ଡ୍ରେନେଜ ବିଭାଗ ପକ୍ଷରୁ ୫ କୋଟି ୬୨ ଲକ୍ଷ ଯୋଗାଇଦିଆଯାଇଛି।

ସମ୍ବନ୍ଧିତ ଖବର