ସୁନ୍ଦରଗଡ଼: ସୁନ୍ଦରଗଡ଼ ଏମ୍ସିଏଲ୍ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ବର୍ଷବର୍ଷ ଧରି ବେଆଇନ ଖଣିରୁ କୋଇଲା ଲୁଟ୍ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କୋଇଲା ଲୁଟ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ହେମଗିର ଥାନା କନିକାସ୍ଥିତ ଆର୍ଯ୍ୟନ୍ କୋଲ୍ ୱାସେରିକୁ ସିଲ୍ କରିଛି। ଅପରାହ୍ଣରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ହେମଗିର ତହସିଲଦାର ସାରିକାରାଣୀ ଧମେଲ, ରାଉରକେଲା ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ ପ୍ରମୁଖ ଯାଇ ୱାସେରି ଅଫିସକୁ ଜଉମୁଦ ମାରି ସିଲ୍ କରିବା ସହ ଚୋରା କୋଇଲା ଜବତ କରିଛନ୍ତି। ଏହା ସହ ୱାସେରିର ଅନୁମତି (ଲାଇସେନ୍ସ)କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ଅନ୍ୟପଟେ ଖଣି ଉପନିର୍ଦ୍ଦେଶକ ଶ୍ରୀ ସେଠୀ ହେମଗିର ଥାନାରେ କୋଲ୍ ୱାସେରି ମାଲିକ ଓ କର୍ମଚାରୀଙ୍କ ନାମରେ ଏତଲା ଦେଇଛନ୍ତି। ଏ ନେଇ ଭାରତୀୟ ନ୍ୟାୟ ସଂହିତା ୩୦୩ (୨) ୩୧୭ (୨), ୨୧ ଖଣି ଓ ଖଣିଜ ଆଇନରେ ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଛି। ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଜଙ୍ଗଲରେ ଦୁଇଟି ସ୍ଥାନରେ ବେଆଇନ ଭାବେ ଆର୍ଯ୍ୟନ କୋଲ୍ ୱାସେରିର ହଜାର ହଜାର ଟନ୍ ଚୋରା କୋଇଲା ଠାବହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଲାଇସେନ୍ସ ରଦ୍ଦ, କୋଇଲା ଜବତ
ଚୋରି ଲୁଚାଇବାକୁ ନିଆଁ ଲଗାଇଲେ
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ଖଣି ଲୁଟ୍ର ପର୍ଦ୍ଦାଫାସ କରିବା ପରେ ଖଣି ବିଭାଗ, ରାଜସ୍ବ ବିଭାଗ, ବନ ବିଭାଗ ଓ ପୁଲିସ ୧୦ ଦିନ ଧରି ଅଞ୍ଚଳର ଚୋରାଖଣି, କାରଖାନା, କୋଲ୍ ୱାସେରି ଉପରେ ଚଢ଼ଉ କରିଥିଲେ। ଏହାପରେ ଭୁବନେଶ୍ୱରରୁ ଖଣି, ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇଦିନ ତନାଘନା କରି ଫେରି ଯାଇଥିଲେ। ତେବେ ଚଢ଼ଉ ଓ ଯାଞ୍ଚ ବନ୍ଦ ହେବା ପରେ ମଙ୍ଗଳବାର ଆର୍ଯ୍ୟନ କୋଲ୍ ୱାସେରିରେ ବଡ଼ଧରଣର କୋଇଲା କେଳେଙ୍କାରୀ ସାମନାକୁ ଆସିଥିଲା। ୱାସେରିଠାରୁ ୨ କିଲୋମିଟର ଦୂର ଏକ ଜଙ୍ଗଲ ମଝିରେ ଆର୍ଯ୍ୟନର ୨ଏକର ଜମିରେ ୧୨ ହଜାର ଟନ୍ ଓ ୱାସେରି ନିକଟ ଜଙ୍ଗଲରେ ୨ ଏକର ଜମିରେ ଲକ୍ଷାଧିକ ଟନ୍ କୋଇଲା ଗଚ୍ଛିତ ରଖାଯାଇଥିବା ଜଣାପଡ଼ିଥିଲା। ୧୦ ତାରିଖରେ ମିଳିତ ଟିମ୍ ଆର୍ଯ୍ୟନ କୋଲ୍ ୱାସେରିରେ ଚଢ଼ଉ କରି ଯାଞ୍ଚ କଲା ବେଳେ ରେଜିଷ୍ଟର୍ରେ ଷ୍ଟକ୍ ଥିବା କୋଇଲାରୁ ୨୮ ଶହ ଟନ୍ କମ୍ ଥିବା ଜଣାପଡ଼ିଥିଲା। ତା’ର ୫ ଦିନ ପରେ ୱାସେରିଠାରୁ ୨ କିଲୋମିଟର ଦୂରରେ ଏତେ ପରିମାଣର କୋଇଲା ଠାବହେବା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ମଙ୍ଗଳବାର ଜିଲ୍ଲା ପ୍ରଶାସନକୁ ଏହି ଚୋରା କୋଇଲା ସଂପର୍କରେ ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଶ୍ରୀ ସରାବୁଙ୍କ ନିର୍ଦ୍ଦେଶରେ ହେମଗିରି ତହସିଲଦାର ସାରିକାରାଣୀ ଧମେଲ ଓ ପୁଲିସ ଟିମ୍ ପହଞ୍ଚି ତନାଘନା କରିଥିଲେ। ୱାସେରି ପକ୍ଷରୁ ବାହାରେ କୋଇଲା ରଖିବା ନେଇ ଖଣି ବିଭାଗ କିମ୍ବା ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇ ନଥିଲା। ପ୍ରଶାସନ ମଙ୍ଗଳବାର ଗୋଟିଏ ଗଦାରୁ ୯,୫୯୫ ଟନ୍ କୋଇଲା ଜବତ କରିଥିଲା। କିନ୍ତୁ ୱାସେରି ପଛପଟ ଜଙ୍ଗଲରେ ଗଚ୍ଛିତ ପାହାଡ଼ ଉଚ୍ଚର କୋଇଲା ଗଦାକୁ ମାପ କି ଜବତ କରାଯାଇ ନଥିଲା।
ଏଠାରୁ ଶହଶହ ଭାରୀଯାନରେ କମ୍ପାନି ରାତାରାତି ୫୦ ହଜାର ଟନ୍ରୁ ଅଧିକ କୋଇଲା ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିବା ଅଭିଯୋଗ ହେଉଛି। ଏପରିକି ଚୋରି ଲୁଚାଇବାକୁ ଜଙ୍ଗଲରେ ଗଛକାଟି କୋଇଲାରେ ନିଆଁ ଲଗାଇଥିବା ଦେଖିବାକୁ ମିଳିଛି। ବୁଧବାର ମଧ୍ୟାହ୍ନରେ ତହସିଲଦାର ପହଞ୍ଚିଲା ବେଳକୁ ହୁତୁହୁତୁ ହୋଇ କୋଇଲା ଜଳୁଥିଲା। ମଙ୍ଗଳବାର ଖଣି ବିଭାଗ ସବୁ ଦେଖିବା ଓ ବୁଧବାର ଆକଳନ କରାଯିବ ବୋଲି କହିଥିବା ବେଳେ ଚୋରି ଲୁଚାଇବାକୁ ୱାସେରି କର୍ତ୍ତୃପକ୍ଷ ରାତାରାତି କୋଇଲା ସ୍ଥାନାନ୍ତର କରିବା ସହ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ଏସବୁ ବେଆଇନ କାରବାର ସାମନାକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ହେମଗିର ଗୋପାଳପୁର ଅଞ୍ଚଳରେ ଖଣିଲୁଟ୍ ଘଟଣା ପଦାକୁ ଆସିବା ପରେ ଚୋରା କୋଇଲା ସବୁ କୋଲ୍ ୱାସେରି ଓ କୋଲ୍ ଡିପୋମାନଙ୍କୁ ଯାଉଥିବା ସନ୍ଦେହ ଉପୁଜିଥିଲା। ଅଞ୍ଚଳର ସମସ୍ତ କୋଲ୍ ୱାସେରି ଓ କୋଲ୍ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ୍ର ହିସାବ ନେବା ପାଇଁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଖଣି ଉପନିର୍ଦେଶକ ଓ ହେମଗିର ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/17/1J9hnyStSumqbh0NWIhG.jpg)