ମାଲକାନଗିରି: ଗତ ୧୬ ତାରିଖ ଦିନ ଛତିଶଗଡ଼ର କାଂକେର ଜିଲ୍ଲାର ଆପାଟୋଲା ଜଂଗଲରେ ହୋଇଥିବା ଗୁଳିବିନିମୟରେ ନକ୍ସଲ ସଂଗଠନର ୨୯ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିବା ସହ ନକ୍ସଲଙ୍କୁ ଧରି ଅତି ନିକଟରୁ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଆଜି ପ୍ରେସ ବିବୃତ୍ତିରେ ଉତ୍ତର ସବ୍ ଜୋନାଲ ବ୍ୟୁରୋର ପ୍ରବକ୍ତା ମଙ୍ଗୁଳି କହିଛନ୍ତି। ଏହି ନରସଂହାରକୁ ସମସ୍ତେ ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି। ତେଣୁ ଆସନ୍ତା ୨୫ ତାରିଖ ଦିନ କାଂକେର ଏବଂ ନାରାୟଣପୁର ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି।
ଏହି ଦୁଇ ଜିଲ୍ଲାରେ କେବଳ ଆମ୍ବୁଲେନସ, ପରୀକ୍ଷାର୍ଥୀ ଏବଂ ଜରୁରୀକାଳୀ ସେବାକୁ ହିଁ ଛଡାଯିବ ବୋଲି କହିଛନ୍ତି। ଏହି ବନ୍ଦକୁ ଲୋକମାନେ ସମର୍ଥନ କରି ପୁଲିସର ଏହି ହତ୍ୟାକାଣ୍ଡକୁ ବିରୋଧ କରନ୍ତୁ। ଏହି ଗୁଳିବିନମୟରେ ମୃତ୍ୟୁବରଣ କରିଥିବା ସଦସ୍ୟମାନେ ହେଲେ ଉତ୍ତର ବସ୍ତର ଡିଭିଜନାଲ କମିଟିର ସଚିବାଳୟ ସଦସ୍ୟ ଡି.ଶଂକର, ଆରକେବି ଡିଭିଜନର ସଦସ୍ୟ କମ୍ରେଡ ରୀତା ଅରଫ ରାମକୋ ଦର୍ରା, ବିନୋଦ ଅରଫ ସୋନୁ କାବଡେ,ସୁଖଲାଲ ଅରଫ ଶକଲୁ ପେଦ୍ଦା, ପିପିସିଏମ କମାଣ୍ଡର ରବି ଅରଫ ବଚନୁ ମାଣ୍ଡବୀ, ପିପିସି ସଦସ୍ୟ ରମେଶ ଅୟୋମ, ବଦରୁ ବାଡସେ ଓ ଅନୀତା ଉପେଣ୍ଡି, ବରିଷ୍ଠ ପାର୍ଟି ସଦସ୍ୟା ରଜିତା ଓ ଗୀତା, ସଦସ୍ୟ ସୁରେଖା ସିଡାମୀ, କବିତା ସୋଡି, ଲୋଶନ ଓରଫ କୋଶାଲ ମାଡବୀ, କାର୍ତ୍ତିକ ଅରଫ ସୋନୁ ମାଣ୍ଡବୀ, ସର୍ମିଲା ପଡିଆମି, ପିଏଲଜିଏ ସଦସ୍ୟ ସଂଜିଲା ଅରଫ ଇଡମେ ମାଡକାମ, ଭୁମେ ଅରଫ ସୁନିତା ମାଡକାମ, ଲାଲୁ ଅରଫ ଅବିନାଶ, ସଂଜିତା ଅରଫ ଲକ୍ଷ୍ମୀ ନୁରୋଟା, ବଜନାଥ ପଦ୍ଦା, ଜେନ୍ନୀ ନୁରୋଟ୍ଟୀ, ପିଣ୍ଟୁ ଓୟୋମ, ଜିନୁ ଅରଫ ଗୁଡ୍ଡୁ, ଜନିଲା ଅରଫ ମୋତି କୋବାଚି, ସୁନିଲା ମାଡକାମ, ସୀତାଲା ମାଡବୀ, ରାଜୁ କୁରସାମ, ସିଲୋ ଏବଂ କମ୍ରେଡ ଦେବାଲ।
ଆମ ସଂଗଠନର ସଦସ୍ୟମାନେ କୌଣସି ଅସ୍ତ୍ରଶସ୍ତ୍ର ନଧରି ବୈଠକ କରୁଥିଲେ। ହଠାତ୍ ପୁଲିସ ଚାରିପଡୁ ଘେରି ଗୁଳି ବର୍ଷଣ କରିଥିଲା। କମ୍ରେଡମାନେ ନିଜ ଜୀବନକୁ ବଞ୍ଚାଇବାକୁ ପାଲଟା ଜବାବ ଦେଇଥିଲେ ମଧ୍ୟ ପୁଲିସ ଗୁଳିରେ ଟଳି ପଡିଥିଲେ। ଏହି ଗୁଳିବିନମୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରି ନିର୍ମମ ଭାବେ ମାଡ ମାରିବା ସହ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ବୋଲି ଅଭିଯୋଗ କରାଯାଇଛି। ଦିନ ଗୋଟାଏ ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା ଦିନ ୩ଟା ବେଳେ ସମାପ୍ତ ହୋଇଥିଲା। କିନ୍ତୁ ପରେ ରହି ରହି ଯେଉଁ ଗୁଳି ଶଦ୍ଦ ଶୁଭୁଥିଲା ତାହା ଆମର ସଦସ୍ୟ ଓ ସଦସ୍ୟାମାନଙ୍କୁ ଧରି ହତ୍ୟା କରାଯାଉଥିଲା ବୋଲି ଅଭିଯୋଗ କରାଯାଇଛି। ଏହାର ଜବାବ ଖୁବଶୀଘ୍ର ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ବିଶେଷକରି ବିଜେପିର ନେତାମାନେ ଏଥିରେ ସାମିଲ ରହିଛନ୍ତି। ତେଣୁ ସେମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ। ଆଉ ଯେଉଁ ପୁଲିସ ଇନଫର୍ମର ଏନେଇ ପୁଲିସକୁ ଖବର ଦେଇଛି ତାକୁ ମଧ୍ୟ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ପୁଲିସ ଖେଳିଥିବା ରକ୍ତର ହୋଲିକୁ ବିରୋଧ କରିବା ସହ ବନ୍ଦ ପାଳନକୁ ସଫଳ କରିବାକୁ ଆହ୍ବାନ ଦିଆଯାଇଛି।