ଚମକପୁର: ଦିନ ଥିଲା ଅମାରରେ ଧାନଚାଉଳ ଭର୍ତ୍ତି ହୋଇ ରହୁଥିଲା। ବିଲବାଡ଼ିରେ ଭଳିକି ଭଳି ପନିପରିବା ଫଳୁଥିଲା। ହେଲେ କାନପୁର ଜଳଭଣ୍ଡାର ନିର୍ମାଣ ପରେ ବିସ୍ଥାପିତଙ୍କ ଭାଗ୍ୟ ବଦଳିଯାଇଛି। ଜମିବାଡ଼ି ହରାଇବା ପରେ ଜମିଦାର ପରିବାର ବି ଶ୍ରମିକ ହୋଇଯାଇଛନ୍ତି। ସେଦିନର ସ୍ମୃତି ଏବେ ଯନ୍ତ୍ରଣା ଦେଉଛି।

Advertisment

କାନପୁର ଜଳଭଣ୍ଡାର ଦ୍ବାରା ଯୋଡ଼ା ବ୍ଲକ୍‌ର ୫୪୧୭ଟି ପରିବାର ବିସ୍ଥାପିତ ହୋଇଛନ୍ତି। ଜଳଭଣ୍ଡାର ପାଇଁ ନିଜର ସର୍ବସ୍ବ ହରାଇଥିବା ରେଭେନ୍‌ସାପୁର (ଖ) ଜମିଦାର ପଲେଇ ପରିବାରର କାହାଣୀ କୌଣସି ସିନେମାର କାହାଣୀଠାରୁ ବି କମ୍‌ ନୁହେଁ। ବିସ୍ଥାପିତ ହୋଇ ଏବେ ବାସୁଦେବପୁର ଅଞ୍ଚଳରେ ରହୁଥିବା ବୈକୁଣ୍ଠ ପଲେଇଙ୍କ ପୁଅ ରଘୁନାଥ ପଲେଇଙ୍କ କହିବା ହେଲା, ଜେଜେବାପା ଅମଳରୁ ତାଙ୍କ ପରିବାରକୁ ଗାଁରେ ଲୋକେ ଜମିଦାର ପରିବାର ବୋଲି ଜାଣୁଥିଲେ। ବଡ଼ ପରିବାର ହୋଇଥିବାରୁ ୫୦ ଏକର ଜମିଥିଲା। ହେଲେ ଦିନ କେଇଟାରେ ସବୁକିଛି ବଦଳିଗଲା। ଜଳଭଣ୍ଡାର ପାଇଁ ଘରଡିହ ସାଙ୍ଗକୁ ସମସ୍ତ ୫୦ ଏକର ଜମି ଚାଲିଗଲା। ଜମିଜମା ଓ ଘରଡିହ ବାବଦକୁ ପାଖାପାଖି ୪ କୋଟି ଟଙ୍କା ମିଳିଲା। ହେଲେ ବଡ଼ ପରିବାର ହୋଇଥିବାରୁ ଟଙ୍କା ଭାଗବଣ୍ଟା ବେଳକୁ ବୈକୁଣ୍ଠଙ୍କ ଭାଗରେ ପଡ଼ିଲା ମାତ୍ର ୧୦ ଲକ୍ଷ। ଏହି ଟଙ୍କାରେ ସେ ବାସୁଦେବପୁରରେ ଘର ଖଣ୍ଡିଏ କରି ତିନିପୁଅଙ୍କୁ ନେଇ ରହୁଛନ୍ତି। ତିନିପୁଅ ମୂଲ ଲାଗି ଯାହା ଆଣୁଛନ୍ତି ସେଥିରେ ପରିବାର ଚଳୁଛି। ଜମିଦାର ପରିବାରର ସଦସ୍ୟମାନେ ଶ୍ରମିକ ହୋଇଯାଇଛନ୍ତି। ବୈକୁଣ୍ଠଙ୍କ ସାନଭାଇ ତ୍ରି‌ଲୋଚନ ପଲେଇଙ୍କ ପରିବାର ୨୦ କିମି ଦୂର ଭଦ୍ରାସାହିରେ ଘର କରି ରହୁଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ବିଭିନ୍ନ ସ୍ଥାନରେ ରହୁଥିବାରୁ କାଁଭାଁ ଭେଟଘାଟ ହେଉଥିବା ବୈକୁଣ୍ଠଙ୍କ ପୁଅ ରଘୁନାଥ କହିଛନ୍ତି।

ଚମକପୁରର ମୂଳବାସିନ୍ଦା ଉପେନ୍ଦ୍ର ମୁଣ୍ଡାଙ୍କ ପୁଅ ବୁଦ୍ଧୁରାମ ମୁଣ୍ଡା ବିସ୍ଥାପିତ ହୋଇ ଆଙ୍ଗୁଡ଼ିଆରେ ଘର ଖଣ୍ଡିଏ କରି ରହୁଛନ୍ତି। ବୁଦ୍ଧୁରାମଙ୍କ ୫୦ ଡିସିମିଲ ଜମି ଥିଲା। ଜଳଭଣ୍ଡାର ପାଇଁ ଜମି ଯିବା ପରେ ମିଳିଲା ମାତ୍ର ଦେଢ଼ଲକ୍ଷ ଟଙ୍କା। ଘରଡ଼ିହ ବାବଦକୁ ମିଳିଲା ୭ ଲକ୍ଷ ଟଙ୍କା। ଏହି ଟଙ୍କାରେ ବୁଦ୍ଧୁରାମ ଆଙ୍ଗୁଡ଼ିଆରେ ଏକ ଘର କରି ରହୁଛନ୍ତି। ସେ ଏବେ ଘରୋଇ ସ୍ପଞ୍ଜ ଆଇରନ କାରଖାନାରେ ଦୈନିକ ତିନିଶହ ଟଙ୍କାରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଛନ୍ତି। ରାସନ କାର୍ଡରେ ମିଳୁଥିବା ଚାଉଳ ହିଁ ସାହାଭରସା ବୋଲି ସେ କହିଛନ୍ତି। ଏମାନଙ୍କ ଭଳି ଶହଶହ ଲୋକ କାନପୁର ଜଳଭଣ୍ଡାର ପାଇଁ ନିଜର ସର୍ବସ୍ବ ହରାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି।