କାନୁପୁର, ଇନ୍ଦ୍ର, ଲୋୟର ସୁକତେଲ ପ୍ରକଳ୍ପକୁ ଭୁଲିଗଲେ

ରାଜ୍ୟପାଳଙ୍କ ଅଭିଭାଷଣରେ ଥିବା ୫ ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇନି

ଲୋୟର ସୁକତେଲ ନେଇ ତନାଘନା ହେଲା, ସବୁ ଫୁସ୍
ହସ୍ତକ୍ଷେପ କରିଥିଲେ ବାଚସ୍ପତି, ନରସିଂହଙ୍କୁ ବି ଦିଆଯାଇଥିଲା ଦାୟିତ୍ବ
କାନୁପୁରକୁ ନେଇ କେନ୍ଦୁଝର ନାଗରିକ ମଞ୍ଚ ଲେଖିଲେଣି ୧୭ ଚିଠି

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ନଦୀମାନଙ୍କରେ ୫ବର୍ଷରେ ୧୨ହଜାର କୋଟି ଟଙ୍କା ନିବେଶ ହେବ। ୨୦୨୦-୨୧ ବଜେଟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଘୋଷଣା କରିଛନ୍ତି। ବଜେଟ ଅବ୍ୟବହିତ ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ରଖିଥିବା ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସରକାର ପ୍ରମୁଖ ୫ଟି ନଦୀକୁ ଗୁରୁତ୍ବ ଦେଉଛନ୍ତି ଓ ୨୦୨୦ ସୁଦ୍ଧା ସରିବ।

ଉଭୟ ରାଜ୍ୟପାଳଙ୍କ ଅଭିଭାଷଣ ଓ ରାଜ୍ୟ ବଜେଟର ସୂଚନା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ େହାଇଛି। କାରଣ ବଜେଟ୍‌ରେ ପ୍ରସ୍ତାବିତ ୧୨ ହଜାର କୋଟିରେ କେଉଁ କେଉଁ ନଦୀର ବିକାଶ ହେବ ସେ ନେଇ ସରକାର କିଛି ବି ସୂଚନା ଦେଇନାହାନ୍ତି। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣରେ କୁହାଯାଇଛି ଯେ ଦେଓ, ଆନନ୍ଦପୁର ବ୍ୟାରେଜ, ସୁବର୍ଣ୍ଣରେଖା, ରେଙ୍ଗାଳି ବାମ ଓ ଦକ୍ଷିଣ ପାର୍ଶ୍ବ କେନାଲ ପ୍ରକଳ୍ପ ଆସନ୍ତା ୫ ବର୍ଷ ମଧ୍ୟରେ ସରକାର ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଶ୍ନ ଉଠୁଛି, ଇନ୍ଦ୍ର, ଲୋୟର ସୁକତେଲ ଓ େକନ୍ଦୁଝରର କାନୁପୁର ପ୍ରକଳ୍ପର ଭାଗ୍ୟ କଣ ହେବ? ଏହାକୁ ନେଇ ସ୍ଥାନୀୟ ଅ଼ଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

କେନ୍ଦୁଝର ଜିଲ୍ଲାର ବହୁ ପ୍ରତୀକ୍ଷିତ କାନୁପୁର ପ୍ରକଳ୍ପ ୨୦୦୩ ମସିହାରେ କାର୍ଯ୍ୟକାରୀ କରିବା ପାଇଁ ୪୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିଲା ନାହିଁ। ତାର ୫ବର୍ଷ ପରେ ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ୧୦୭୮ କୋଟିରେ ପହଞ୍ଚିଗଲା। ବର୍ତମାନ ଏହା ୨୪୩୮ କୋଟି ଛୁଇଁଲାଣି। ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ କାରଣରୁ ଏହି ଆକଳନ ୨୫୦୦ କୋଟି ଡେଇଁଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ସବୁଠାରୁ ବଡ଼ କଥା ହେଲା, େକନ୍ଦୁଝର ନାଗରିକ ମଞ୍ଚ ଏ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ମଞ୍ଚର ସଭାପତି କିରଣ ଶଙ୍କର ସାହୁ ୧୭ଟି ଚିଠି ଲେଖିଛନ୍ତି। ହେଲେ ସରକାର ପଦକ୍ଷେପ ନେଉନାହାନ୍ତି। ସେପଟେ ବୈତରଣୀ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଏ ନଦୀ ଯେ କୌଣସି ସମୟରେ ମୃତ ନଦୀ ଭାବେ ଘୋଷଣା ହେବା ବିଚିତ୍ର ନୁହେଁ।

ଉତ୍ତର ଓଡ଼ିଶା ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ସମସ୍ୟାକୁ ବଳିଗଲାଣି ପଶ୍ଚିମ ଓଡ଼ିଶା ପ୍ରକଳ୍ପର ସ୍ଥିତି। ବଲାଙ୍ଗୀର ଜିଲ୍ଲା ସଂଲଗ୍ନ ଉଭୟ ଇନ୍ଦ୍ର ଓ ଲୋୟର ସୁକତେଲ ପ୍ରକଳ୍ପ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଜଳ ଜଳ ହୋଇ ବାରି ହୋଇପଡୁଛି। ଗତ ସରକାର ସମୟରେ ବିରୋଧୀ ଦଳ ନେତା ପଦରେ ଥିବା ବେଳେ ନରସିଂହ ମିଶ୍ର ଏ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏ ପାଳିରେ ବି ତମ୍ବିତୋଫାନ କରିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଧାନସଭାରେ ବ୍ୟାନର ପ୍ରଦର୍ଶନ କରିଥିଲେ। ଜଳସଂପଦ ମନ୍ତ୍ରୀଙ୍କ ପାଇଁ ଗୃହରେ ଉତ୍ତର ରଖୁଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ତାଙ୍କର ବାକ୍‌ ବିତଣ୍ଡା ଦେଖିବାକୁ ମିଳିଲା। ପରେ ବାଚସ୍ପତିଙ୍କ ନିର୍ଦେଶରେ ଜଳସଂପଦ ବିଭାଗର ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଆଲୋଚନା ହେଲା, େଯଉଁଥିରୁ ଆଶା କରାଯାଉଥିଲା ଏହି ଦୁଇ ପ୍ରକଳ୍ପର ଭାଗ୍ୟ ଫେରିବ। ହେଲେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିବା ଏହି ବୈଠକ ଫଳପ୍ରସୂ ହୋଇପାରିନାହିଁ କିମ୍ବା ଜଳସଂପଦ ବିଭାଗ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସେତେଟା ଆଗ୍ରହ ଦେଖାଇନାହାନ୍ତି।

ଏହି ବୈଠକରେ ବଲାଙ୍ଗୀର ବିଧାୟକ ଶ୍ରୀ ମିଶ୍ରଙ୍କୁ କିଛି ଦାୟିତ୍ବ ଦିଆଯାଇଥିଲା। ହେଲେ ଜଳସଂପଦ ବିଭାଗ ତାଙ୍କୁ ବିଶ୍ବାସକୁ ନେଲା ନା ନିଷ୍ପତ୍ତି କେବଳ ବୈଠକର ବିବରଣୀ ବା ଗଣମାଧ୍ୟମ ପୃ୍ଷ୍ଠାରେ ରହିଗଲା?

ଯାହା ଗଣମାଧ୍ୟମକୁ କୁହାଯାଇଥିଲା, ୨୦୧୯ ଡିସେମ୍ବର ମାସରେ ଏହି ପ୍ରକଳ୍ପ ଆରମ୍ଭ ହେବା କଥା। ମାତ୍ର ଜମି ଅଧିଗ୍ରହଣ କାର୍ଯ୍ୟ କେତେ ଆଗେଇଲା, ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ୨ମାସ ହେଲା କିନ୍ତୁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ମିଳୁଥିବା ସୂଚନା ଅନୁସାରେ, ପ୍ରକଳ୍ପ କ୍ଷେତ୍ରରେ ଥିବା ସମସ୍ତ ମେସିନ୍ ଇତିମଧ୍ୟରେ ଅନ୍ୟତ୍ର ଚାଲିଗଲାଣି। ଏହା ହିଁ ସଙ୍କେତ ଦେଉଛି ଯେ ଏହି ପ୍ରକଳ୍ପକୁ ଆଗକୁ ନେବାକୁ ସରକାର ସେତିକି ତତ୍ପର ନାହାନ୍ତି। ଇନ୍ଦ୍ର ପ୍ରକଳ୍ପ କ୍ଷେତ୍ରରେ ବି ସ୍ଥିତି ସେମିତି।

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ଆରମ୍ଭ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପର ମୂଳ ଅଟକଳ ଥିଲା ୨୧୭ କୋଟି ୩୦ଲକ୍ଷ ଟଙ୍କା। ହେଲେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ୨୪୪୮ କୋଟିରେ ପହଞ୍ଚିଛି। ସେହିଭଳି ୨୦୦୦ ମସିହାରେ ଆରମ୍ଭ େହାଇଥିବା ଲୋୟର ଇନ୍ଦ୍ର ପ୍ରକଳ୍ପର ମୂଳ ଅଟକଳ ୨୧୧ କୋଟି ୭୦ଲକ୍ଷ ଟଙ୍କା ଥିଲା। ମାତ୍ର ପ୍ରକଳ୍ପ ବିଳମ୍ବିତ ହେଉଥିବା କାରଣରୁ ଏହାର ବ୍ୟୟ ଅଟକଳ ୧୭୫୩ କୋଟି ୬୪ଲକ୍ଷରେ ପହଞ୍ଚିଲାଣି।

କାହା ଭୁଲରୁ ପ୍ରକଳ୍ପର ଅଟକଳ ବହୁଗୁଣିତ ହେଉଛି? ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ବରବାଦ କରିବା ଲାଗି କାହାକୁ ଦାୟୀ କରାଯିବ? ଆଉ କେତେ ଦିନ ସ୍ଥାନୀୟ ଅ଼ଞ୍ଚଳର ଲୋକମାନେ ଅପେକ୍ଷା କଲେ, ସେମାନଙ୍କୁ ନ୍ୟାୟ ମିଳିବ?

ସମ୍ବନ୍ଧିତ ଖବର