କାନପୁର ଜଳସେଚନ ପ୍ରକଳ୍ପରେ ପ୍ରତିବନ୍ଧକ ସାଜିଛି ଏନ୍‌ଏଚ୍‌ଏଆଇ

କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ତୁରନ୍ତ ଚାରି ଥାକିଆ ପୋଲ ନିର୍ମାଣ ପାଇଁ ହସ୍ତକ୍ଷେପ ଲୋଡ଼ିଲେ

ଭୁବନେଶ୍ୱର : ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ପ୍ରତିବନ୍ଧକ ସାଜିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆ‌ଇ)। ଏକ ପୋଲ ନିର୍ମାଣ ହୋଇପାରୁ ନ ଥିବା ପ୍ରକଳ୍ପ ଆଗକୁ ଯାଇପାରୁନି। ଏନ୍‌ଏଚ୍‌ଏଆଇ ନିଜେ ପୋଲ ନିର୍ମାଣ କରୁନି କି ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ବାଟ ଛାଡ଼ୁନି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ‌େଲଖି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସରକାର ବୈତରଣୀ ନଦୀ ଉପରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି ପ୍ରକଳ୍ପ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ୨୯୫୭୮ ହେକ୍ଟର୍ ଜମିରେ ଜଳସେଚନ ସୁବିଧା ଯୋଗାଇ ଦେବ। ପ୍ରକଳ୍ପ ପାଇଁ ଏଆଇବିପି ଅଧୀନରେ କେନ୍ଦ୍ରୀୟ ସହାୟତା ମିଳିଛି। ୨୦୦୪-୦୫ରୁ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲେ ବିଭିନ୍ନ ସମସ୍ୟା ପାଇଁ ଶେଷ ହୋଇପାରୁ ନାହିଁ।

ସ୍ପିଲ୍‌ୱେରେ ୫ଟି ବ୍ଲକ୍‌ ଓ ନଦୀରେ ୟାର୍ଥ ଡ୍ୟାମ୍‌କୁ ବାଦ୍ ଦେଲେ ଅନ୍ୟ ମୁଖ୍ୟ କାମଗୁଡ଼ିକ ‌େଶଷ ହୋଇଗଲାଣି। ଏହି ବଳକା କାମଗୁଡ଼ିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏହାର ମୁଖ୍ୟ କାରଣ ହେଲା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାତୀୟ ରାଜପଥ-୨୧୫ର ରିମୁଲି-ରକ୍ସି-ରାଜମୁଣ୍ଡା ସେକ୍ସନ୍‌ର ସ୍ପିଲ୍‌ ଚ୍ୟାନେଲ୍‌ ଉପରେ ଏକ ୩୧୫ ମିଟର୍‌ ଲମ୍ବର ୪ ଥାକିଆ ପୋଲ ନିର୍ମାଣ କରିବାକୁ ବାକି ଅଛି। ଏହି ପ୍ରସଙ୍ଗରେ ଏକାଧିକ ‌େବୖଠକ ଓ ପତ୍ରାଳାପ ପରେ ବି ଏନ୍‌ଏଚ୍‌ଏଆଇ କାମ କରୁନି। ଏନ୍‌ଏଚ୍‌ଆଇର ଅନୁମତି ପରେ ପୋଲ ନିର୍ମାଣ କାନପୁର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ କାମ ପରିସରକୁ ଆସିଥିଲା। ଏହା ପରେ ପ୍ରକଳ୍ପ କର୍ତ୍ତୃପକ୍ଷ ୪୦.୬୮ କୋଟି ଟଙ୍କାର ଟେଣ୍ଡର୍‌ ଡାକିଥିଲେ। ଏନ୍‌ଏଚ୍‌ଏଆଇ ୮୦% ଓ ପ୍ରକଳ୍ପ କର୍ତ୍ତୃପକ୍ଷ ୨୦% ଅଂଶ ବହନ କରିବେ ବୋଲି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ପୋଲର ଡିଜାଇନ୍‌ ବଦଳିବାରୁ ଏହାର ସଂଶୋଧିତ ବ୍ୟୟ ଅଟକଳ ୧୦୦.୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏନ୍‌ଏଚ୍‌ଏଆଇକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। କିନ୍ତୁ ଏନ୍‌ଏଚ୍‌ଏଆଇ ଏହି ସଂଶୋଧିତ ବ୍ୟୟ ଅଟକଳର ୮୦% ଖର୍ଚ୍ଚ ବହନ କରିବାକୁ ରାଜି ନ ହେବାରୁ କାମ ଅଟକିଯାଇଛି।

ଏହି ସମସ୍ୟାର ସମାଧାନ ପାଇଁ ୨୦୧୯ ମାର୍ଚ୍ଚ ୭ ତାରିଖରେ ନୂଆଦିଲ୍ଲୀରେ ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଓ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଏକ ବୈଠକ ହୋଇଥିଲା। ବୈଠକରେ ମୂଳ ବ୍ୟୟ ଅଟକଳ ୪୦.୬୮ କୋଟିର ୮୦ ପ୍ରତିଶତ ବହନ କରିବେ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଗଲା। ତାହା ଠାରୁ ଅଧିକ ସେମାନେ ବହନ କରିପାରିବେ ନାହିଁ ବୋଲି କହିଲେ। ସେଠାରେ ପ୍ରକଳ୍ପଟି ଏନ୍‌ଏଚ୍‌ଏଆଇ ନିଜେ କରିବାକୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରସ୍ତାବ ଦେଇଥିଲେ ଓ ରାଜ୍ୟ ସରକାର ମୂଳ ବ୍ୟୟ ଅଟକଳର ୨୦% ବହନ କରିବେ ବୋଲି କହିଥିଲେ। ଏହି ବୈଠକ ପରେ କାନୁପୁର ପ୍ରକଳ୍ପ କର୍ତ୍ତୃପକ୍ଷ ପୋଲ କାମ ବନ୍ଦ କରି ଏନ୍‌ଏଚ୍‌ଆଇ ପ୍ରକଳ୍ପ ନି‌େର୍ଦ୍ଦଶକଙ୍କୁ ଜଣାଇଲେ। ଏନ୍‌ଏଚ୍‌ଆଇ ନିଜେ ପୋଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଗଲା। ଏହା ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ଏନ୍‌ଏଚ୍‌ଏଆଇ କାମ ଆରମ୍ଭ କରୁନି କି ପୋଲର ଯୋଜନା, କାର୍ଯ୍ୟକାରିତା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଉନି।

ବର୍ତ୍ତମାନ ରାଜ୍ୟ ସରକାର ତୁରନ୍ତ କାନୁପୁର ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରି ଜମିକୁ ଜଳ‌ସେଚନ ସୁବିଧା ଯୋଗାଇ ଆଦିବାସୀଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲ ନିର୍ମାଣ ବହୁତ ଗୁରୁତ୍ବ ବହନ କରୁଛି। ତେଣୁ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଶ୍ରୀ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରୁଛନ୍ତି। ଏଥିରେ ବିଳମ୍ବ ହେଲେ ପ୍ରକଳ୍ପ ମୂଲ୍ୟ ବଢ଼ିବା ସହ ଉଦ୍ଦେଶ୍ୟ ପୂରଣ ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର