କାନପୁର ପ୍ରକଳ୍ପ ବିସ୍ଥାପିତ ବେସାହାରା

ହାଇକୋର୍ଟ ରାୟ ବି କାର୍ଯ୍ୟକାରୀ ହେଉନି

କେନ୍ଦୁଝର/ଯୋଡ଼ା : କେନ୍ଦୁଝର ଜିଲ୍ଲାର ବୃହତ୍ତ ଜଳସେଚନ ପ୍ରକଳ୍ପ କାନପୁର ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଗୁହାରି କେହି ଶୁଣୁନାହାନ୍ତି। ବିସ୍ଥାପିତଙ୍କ ସପକ୍ଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାୟ ଦେବା ସତ୍ତ୍ବେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ବେସାହାରା ହୋଇପଡ଼ିଛନ୍ତି କାନପୁର ବିସ୍ଥାପିତ।

କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ଏହି ବୃହତ୍ତ ଜଳସେଚନ ପ୍ରକଳ୍ପ ପାଇଁ ୧୬ଟି ଗାଁ ବିସ୍ଥାପିତ ହେବାକୁ ଥିବାବେ‌ଳେ ଏବେ ସୁଦ୍ଧା ୯ଟି ଗାଁର ଲୋକେ ଉଚ୍ଛେଦ ହୋଇଛନ୍ତି। ବିସ୍ଥାପିତଙ୍କ ସମସ୍ୟା ସମାଧାନ ହୋଇପାରୁ ନ ଥିବାରୁ ବାରମ୍ବାର ଆନ୍ଦୋଳନ ହେଉଛି। ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ କଣ୍ଡରା, ବାସୁଦେବପୁର,ଚମକପୁର, ରୁଗୁଡି, ମୁରୁସୁଆଁ, ରେଭେନସାପୁର(କ), ରେଭେନାସାପୁର(ଖ), ହରିହରପୁର, ଧୋବାକୁଚୁଡା, ଶଙ୍କରପୁର, ଦଡୁଆଁ, ଗୋବିନ୍ଦପୁର, ବିରିକଳା ସଂପୂର୍ଣ୍ଣ କ୍ଷତଗ୍ରସ୍ତ ହୋଇଥିବାବେଳେ ବିଲେଇପଦା, ଲହଣ୍ଡା ଓ ବଳଭଦ୍ରପୁର ଗ୍ରାମ ଗୁଡିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୦୦୬ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଗ୍ରାମ ଗୁଡିକରେ ସର୍ଭେ କରାଯାଇ ୩୮୬୯ ଜଣ ଗ୍ରାମବାସୀଙ୍କୁ ବିସ୍ଥାପିତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ଥଇଥାନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର, ଥଇଥାନସ୍ଥଳୀରେ ଉନ୍ନତୀକରଣ କରାଯାଇ ନାହିଁ କି ଘରଡିହ ପଟ୍ଟା ପ୍ରଦାନ କରାଯାଇନି।

ବିସ୍ଥାପିତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ ପକ୍ଷରୁ ଥଇଥାନ ନିମନ୍ତେ ସଂପୂର୍ଣ୍ଣ ସର୍ଭେ କରାଯାଇ ନାହିଁ। ସରକାରୀ ଜାଗାରେ ଘର କରି ରହିଥିବା ବିସ୍ଥାପିତଙ୍କୁ ତାଲିକାଭୁକ୍ତ କରାଯାଇନି। ଫଳରେ ସେମାନେ ବିସ୍ଥାପିତ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ଚାଷ ଜମି ପାଇଁ ଆବେଦନ କରିଥିବା ବିସ୍ଥାପିତଙ୍କୁ ଜମି ଯୋଗାଇ ଦିଆଯାଇନି। ସରକାରଙ୍କ ୨୦୧୩ ଗାଇଡଲାଇନ ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ବିସ୍ଥାପିତ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ୨୦୧୮ ମସିହାରେ ଥରେ ମାତ୍ର ସର୍ଭେ କରାଯାଇଥିଲା। ଏହାପରେ ସର୍ଭେ ନ ହେବାରୁ ୧ ହଜାରରୁ ଊର୍ଦ୍ଧ୍ବ ଯୁବକଯୁବତୀ ତାଲିକାରୁ ବାଦ‌୍ ପଡ଼ିଛନ୍ତି। ସେହିପରି ୨୦୧୮ ସର୍ଭେ ଅନୁଯାୟୀ ୪୦୭ ଯୁବକ ଯୁବତୀଙ୍କୁ ବିସ୍ଥାପିତ ତାଲିକାରେ ସ୍ଥାନ ଦିଆଯାଇ ନାହିଁ। ବିସ୍ଥାପିତ ତାଲିକା ଓ ଥଇଥାନ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ନ ଥିବାବେ‌ଳେ ୦୧/୦୧/୨୦୧୮ ମସିହାକୁ ପ୍ରକଳ୍ପ ପକ୍ଷରୁ ଶେଷ ସର୍ଭେ ତାରିଖ ଘୋଷଣା କରାଯାଇଛି।

ଥଇଥାନ କାର୍ଯ୍ୟ ଶେଷ ହେବା ପରେ ଏହି ଶେଷ ସର୍ଭେ ତାରିଖ ଘୋଷଣା କରାଯିବା କଥା। ଯାହାକୁ ନେଇ ବିସ୍ଥାପିତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଥଇଥାନ ନକରି ପ୍ରକଳ୍ପ ପକ୍ଷରୁ ବିସ୍ଥାପିତଙ୍କୁ ଘର ଭଙ୍ଗା ନୋଟିସ ଦିଆଯାଉଛି। ଏପରିକି ୪୨ ଜଣଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ ବି ଘରଡିହ ଓ ଚାଷଜମି ଦିଆଯାଇନଥିବା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର