ପୁଲିସ୍‌ ଉପସ୍ଥିତରେ ପ୍ରଶାସନ ଭାଙ୍ଗିଦେଇଛି ଘର, ବର୍ଷାରେ ଭିଜୁଛନ୍ତି କାନପୁର ପ୍ରକଳ୍ପ ବିସ୍ଥାପିତ

କେନ୍ଦୁଝର : କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ଯେତିକି ବିଳମ୍ବ ହେଉଛି, ବିସ୍ଥାପିତଙ୍କ ଦୁଃଖ ସେତିକି ବଢ଼ୁଛି। ଘରବାଡ଼ି ନଦେଇ ପ୍ରକଳ୍ପ କର୍ତ୍ତୃପକ୍ଷ ଲୋକଙ୍କୁ ବେଘର କରୁଥିବାରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ବିସ୍ଥାପିତ ଗ୍ରାମର ବାସିନ୍ଦା। ଅନ୍ୟପକ୍ଷରେ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ମୁରୁସୁଆଁ ଗାଁରେ ଗତ ୧୭ ଓ ୧୮ ତାରିଖରେ ପ୍ରଶାସନ ଅତି ନିର୍ଦୟଭାବେ ପୁଲିସ ଉପସ୍ଥିତିରେ ଲୋକଙ୍କ ଘର ଭାଙ୍ଗି ଦେଇଛି। ଏଭଳି ସ୍ଥିତିରେ ବିସ୍ଥାପିତ ପରିବାରଗୁଡ଼ିକ ବର୍ଷାରେ ଭିଜୁଛନ୍ତି।

ମୁରୁସୁଆଁ ଗାଁର ପୂର୍ଣ୍ଣ ମହାନ୍ତଙ୍କ ପରିବାର କାନପୁର ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଛନ୍ତି। ପତ୍ନୀ ଦମୟନ୍ତୀ ଏବଂ ପୁଅ ସ୍ମୃତିରଂଜନଙ୍କୁ ନେଇ ତାଙ୍କ ପରିବାର। ସେ ଗାଁରେ ଚାଷବାସ କରି ଚଳୁଥିଲେ। କାନପୁର ପ୍ରକଳ୍ପ ପାଇଁ ତାଙ୍କୁ ବିସ୍ଥାପିତ ହେବାକୁ ନିର୍ଦ୍ଦେଶ ଆସିବା ପରେ ପୂର୍ଣ୍ଣଙ୍କ ମୁଣ୍ଡରେ ବଜ୍ର ପଡ଼ିଥିଲା। ସରକାରଙ୍କ ପକ୍ଷରୁ ତାଙ୍କୁ ୧୦ ଡିସିମିଲ ଘରଡିହ ମିଳିଲା। ଏହି ଜମିରେ ପୂର୍ଣ୍ଣ ଘର କରିନାହାନ୍ତି। ଏଭଳି ସ୍ଥଳେ ପ୍ରଶାସନ ଗତ ୧୭ ତାରିଖରେ ଜେସିବି ଲଗାଇ ତାଙ୍କ ଘରକୁ ମାଟିରେ ମିଶାଇ ଦେଲା। ସବୁଠୁ ବଡ଼କଥା ହେଉଛି, ଘର ଭଙ୍ଗାଯିବା ସମୟରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିଲା। ଯାହା ଆଜିପର୍ଯ୍ୟନ୍ତ ମଧ୍ୟ ଛାଡ଼ିନି। ଘର ଭାଙ୍ଗିବା ପରେ ପୂର୍ଣ୍ଣଙ୍କ ପରିବାର ପାଲ ଟାଣି ରହୁଛନ୍ତି। ବର୍ଷା କିପରି ଛାଡ଼ିବ ସେଥିପାଇଁ ଇନ୍ଦ୍ରଦେବତାଙ୍କୁ ପୂଜା କରୁଛନ୍ତି। ବର୍ଷା ହେଲେ ଭାତହାଣ୍ଡିରେ ପାଣି ପଶିଯାଉଥିବା ପୂର୍ଣ୍ଣ କହିଛନ୍ତି।

ପୂର୍ଣ୍ଣଙ୍କ ପରି ସାଏବ ନାଏକଙ୍କ ଅବସ୍ଥା ମଧ୍ୟ ସମାନ। ସାଏବ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୧୭ ତାରିଖରେ ଘର ଭଙ୍ଗାଯିବା ପରେ ସେ ପାଲ ତଳେ ଜୀବନ ବିତାଉଛନ୍ତି। ସକାଳୁ ଉଠିଲେ ରୋଷେଇ ସାରି ନିଜ ଆସବାବପତ୍ରକୁ ଜଗି ବସୁଛନ୍ତି। ସାଏବଙ୍କ କହିବା କଥା ହେଲା, ପ୍ରଶାସନ ବର୍ଷା ସମୟରେ ଘର ଭାଙ୍ଗିଦେଲା। ଏବେ ପ୍ରତିଦିନ ବର୍ଷା ହେଉଛି। ଭାତହାଣ୍ଡି ଭିଜି ଯାଉଛି ବୋଲି କୋହଭରା କଣ୍ଠରେ କହିଛନ୍ତି ସାଏବ। ପୂର୍ଣ୍ଣ, ସାଏବଙ୍କ ସମେତ ଏହି ଗାଁର ଭରତ ମହାନ୍ତ, ଲେମ୍ବୁଧର ପାତ୍ର, ପଦ୍ମାବତୀ ମହାନ୍ତ, ଜନାର୍ଦ୍ଦନ ମହାନ୍ତ, ଡମ୍ବରୁଧର ମହାନ୍ତ, ପ୍ରଶ୍ନ ମହାନ୍ତ, ସନାତନ ମହାନ୍ତ, ରାମ ମୁଣ୍ଡା, ଛୋଟରାୟ ମୁଣ୍ଡାଙ୍କ ପରି ୧୪ଟି ପରିବାର ଦୁଃଖଦୁର୍ଦଶାରେ ଦିନ କାଟୁଛନ୍ତି।

ମୁରୁସୁଅଁ ଗ୍ରାମର ୧୪ଟି ବିସ୍ଥାପିତ ପରିବାରଙ୍କ ପାଇଁ ସ୍ଥାନୀୟ ମୁକୁନ୍ଦପୁର ଗ୍ରାମରେ ଏକ ଥଇଥାନ କଲୋନି ନିର୍ମାଣ କରାଯାଇଛି। କିନ୍ତୁ ତାହା ରହିବା ଯୋଗ୍ୟ ନୁହେଁ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କାନପୁର ବିସ୍ଥାପିତଙ୍କୁ ଥଇଥାନ ପାଇଁ ୧୨ଟି ପୁନର୍ବାସ ଥଇଥାନ କଲୋନି ନିର୍ମାଣ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର