ମହୋଦଧିରେ ବୁଡ ପକାଇ ପାପର ପ୍ରାୟଶ୍ଚିତ କଲେ କଂସ ମହାରାଜ

ପୁରୀ: ପ୍ରଚଳିତ ପରମ୍ପରା ଅନୁସାରେ  ଆଜି ମହୋଦଧିରେ ସ୍ନାନ କରି ପାପ ଧୋଇଛନ୍ତି କଂସ ମହାରାଜ । ଏହାପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଦୀର୍ଘ ୧୧ ଦିନ ଧରି ବରଗଡ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଧନୁଯାତ୍ରା ଗତକାଲି ଶେଷ ହୋଇଛି । ଏଥିରେ କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ଅଭିନେତା  ଭୁବନେଶ୍ୱର ପ୍ରଧାନ ମହୋଦଧିରେ ସ୍ନାନ କରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।

ପରମ୍ପରା ଅନୁସାରେ କଂସ ଭୂମିକାରେ ଥିବା ବେଳେ ସେ ଶ୍ରୀକୃଷ୍ଣଙ୍କୁ  କଟୁ ଭାଷା ପ୍ରୟୋଗ କରିଥିବାରୁ ଶ୍ରୀଜୀଉଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥାଆନ୍ତି । ପ୍ରତି ବର୍ଷ ଧନୁଯାତ୍ରା ଶେଷ ହେବାପରେ କଂସ ଭୂମିକାରେ ଥିବା ଅଭିନେତା ସଙ୍ଗେ ସଙ୍ଗେ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥାଆନ୍ତି। ପର ଦିନ ସକାଳେ ସେ ମହୋଦଧିରେ ସ୍ନାନ କରି ନିଜର ପାପନାଶ କରିଥାଆନ୍ତି।

୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଂଚରେ ଚାଲିଥିବା ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଗତକାଲି ଉଦଯାପିତ ହୋଇଛି । ଆଉ ଉଦଯାପନୀ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିବା ସହ ଶେଷରେ କଂସ ଦରବାରରେ ପହଂଚିଥିଲେ । କଂସ ଦରବାରରେ କୁବଳୟା ବଧ, ଅଷ୍ଟମଲ୍ଲ ବଧ ପରେ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କ˚ସ। କୃଷ୍ଣ-ବଳରାମ ମହାରାଜଙ୍କ ସମ୍ମୁଖରେ ଶିବଧନୁ ଭାଙ୍ଗି ପକାଇଥିଲେ। ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ। ସେମାନଙ୍କୁ ଦେଖି ମହାରାଜ କ˚ସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା। ଶେଷରେ ମାମୁ-ଭଣଜାଙ୍କ ସମରରେ ମାମୁ କ˚ସ ହୋଇଥିଲେ ଧରାଶାୟୀ। ମଞ୍ଚ ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର