କଣ୍ଟାବାଂଝି ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ମାମଲା

କଟକ : କଣ୍ଟାବାଂଝି ବିଧାନସଭା ଆସନ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବଲାଙ୍ଗୀରର ରୁପେଶ କୁମାର ବେହେରା ଓ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଦାୟର ରିଟ୍ ପିଟିସନରେ ଦର୍ଶାଯାଇଛି ଯେ ୨୦୧୯, ଏପ୍ରିଲ ୧୮ରେ କଣ୍ଟାବାଂଝିରେ ସାଧାରଣ ନିର୍ବାଚନ ‌ଅନୁଷ୍ଠିତ ହୋଇଥିଲା। ଏହା ପର ଦିନ ଅର୍ଥାତ୍‌ ଏପ୍ରିଲ ୧୯ରେ ରିଟର୍ଣ୍ଣିଂ ଅଫିସର କଣ୍ଟାବାଂଝିରୁ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ନିକଟକୁ ପଠାଇଥିବା ହ୍ବାଟ୍‌ସଆପ୍ ମେସେଜରେ ୧ ଲକ୍ଷ ୮୨ ହଜାର ୪୧୧ ଜଣ ମତଦାତା ଭୋଟ ଦେଇଥିବା ଉଲ୍ଲେଖ କରିଥିଲେ। ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଏ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ସମାନ ତଥ୍ୟ ନିର୍ବାଚନ କମିସନଙ୍କ ୱେବ୍‌ସାଇଟ୍‌ରେ ବି ଉପଲବ୍ଧ ହୋଇଥିଲା। ଏହା ପରେ ଏପ୍ରିଲ ୨୩ରେ ଭୋଟ ଗଣତି ହୋଇଥିଲା। ଗଣତିରେ ଇଭିଏମରୁ କଣ୍ଟାବାଂଝିରେ ୧ଲକ୍ଷ ୯୧ ହଜାର ୭୭ଜଣ ମତଦାତା ଭୋଟ ଦେଇଥିବା କର୍ତ୍ତୃପକ୍ଷ ଦର୍ଶାଇଥିଲେ, ଯାହାକି ପୂର୍ବରୁ ରିଟର୍ଣ୍ଣଂ ଅଫିସର୍‌ ଦେଇଥିବା ଓ ନିର୍ବାଚନ କମିସନ୍‌ଙ୍କ ଓ‌େବସାଇଟ୍‌ରେ ଉପଲବ୍ଧ ଥିବା ଭୋଟଠାରୁ ୮ ହଜାର ୬୬୬ଖଣ୍ଡ ଅଧିକ ଥିଲା। ରିଟର୍ଣ୍ଣିଂ ଅଫିସର୍‌ ମୋଟ୍‌ ୧ ଲକ୍ଷ ୮୨ ହଜାର ୪୧୧ ଖଣ୍ଡ ଭୋଟ ଦେଇଥିବା ଦର୍ଶାଇଥିବା ବେଳେ ଗଣତିରେ କିଭଳି ଇଭିଏମ୍‌ରୁ ଅଧିକ ବାହାରିଲା, ସେ ନେଇ ଆବେଦନକାରୀ ଆପତ୍ତି ଉଠାଇ ଅଭିଯୋଗ କରିଥିଲେ। କିନ୍ତୁ ରିଟର୍ଣ୍ଣିଂ ଅଫିସର ଏପରି ଅଭିଯୋଗ ଗ୍ରହଣ କରି ନ ଥିଲେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଣୁ ସମଗ୍ର ଘଟଣାର ସିବିଆଇ ତଦନ୍ତ କରାଯିବା ସହ କଣ୍ଟାବାଂଝି ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା ଏବଂ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅଦାଲତରେ ପ୍ରାର୍ଥନା କରିଛନ୍ତି।

ମାମଲାରେ ଭାରତ ନିର୍ବାଚନ କମିସନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, କଣ୍ଟାବାଂଝି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶ୍ବିନୀ କୁମାର ଦାସ ମାମଲା ପରିଚାଳନା କରୁଛନ୍ତି। ସୂଚନା ଯୋଗ୍ୟ, କଂଗ୍ରେସର ସନ୍ତୋଷ ସିଂ ସାଲୁଜା କଣ୍ଟାବାଞ୍ଜିର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର