ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ, ଗୁଣି ଗାରେଡ଼ିରେ ବିଶ୍ୱାସ କରି ଶବ ବ୍ୟବଚ୍ଛେଦ କରାଇଦେଲେନି ସ୍ତ୍ରୀ

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲାର ବେଲପଡ଼ା ଥାନା ଅନ୍ତର୍ଗତ ବିଲେଇମରା ଗ୍ରାମର ଜଣେ ଯୁବକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବେଳେ ଗୁଣି ଗାରେଡ଼ିରେ ବିଶ୍ୱାସ କରି ପରିବାର ଲୋକେ ଶବ ବ୍ୟବଚ୍ଛେଦ କରାଇ ନ ଦେବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ବିଲେଇମରା ଗ୍ରାମର ଦନାର ବରିହାଙ୍କ ପୁଅ ଅକ୍ଷୟ ବରିହା(୨୫)ଙ୍କୁ ଏକ ବିଷାକ୍ତ ସାପ ଘରେ ଶୋଇଥିଲା ବେଳେ କାମୁଡ଼ି ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସ୍ତ୍ରୀ ଇନା ବରିହା ଅକ୍ଷୟକୁ ସାଙ୍ଗରେ ଧରି ପ୍ରଥମେ ଗ୍ରାମର ଜଣେ ଗୁଣିଆଙ୍କ ନିକଟକୁ ନେଇଥିଲେ। ପରେ ପରିବାର ଲୋକେ ଅକ୍ଷୟଙ୍କ ଭିଣୋଇ ମୁରିବାହାଲ ଥାନା ରେଙ୍ଗାଲୀ ଗ୍ରାମର ମଧୁ ବରିହାଙ୍କ ଘରକୁ ଆଣି ବହୁ ସମୟ ଧରି ଗୁଣିଗାରେଡ଼ି କରି ଝଡାଫୁଙ୍କା କରିଥିଲେ।  କିନ୍ତୁ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ନ ହେବାରୁ ବହୁ ବିଳମ୍ବରେ ଗୁରୁତର ଅକ୍ଷୟଙ୍କୁ ସେଠାରୁ ମୁରିବାହାଲ ସିଏଚସିକୁ ଆଣିଥିଲେ। ସେତେବେଳକୁ ଅକ୍ଷୟଙ୍କ ମୃତ୍ୟୁ ହୋଇସାରିଥିବା ଦାୟିତ୍ୱରେ ଥିବା ମେଡ଼ିକାଲ ଇନଚାର୍ଜ ଡ଼ ସଂଗ୍ରାମ କେଶରୀ ନାଏକ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ।

ମୁରିବାହାଲ ଥାନା ପୁଲିସ ଏଏସଆଇ ପଦ୍ମନାଭ ରାଉତ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇ ଥାନା ଅପମୃତ୍ୟୁ କେଶ ନ ୦୮/୨୦ ରୁଜ୍ଜୁ କରିଥିଲେ। କିନ୍ତୁ କଣ୍ଟାବାଞ୍ଜିରେ ଶବ ବ୍ୟବଚ୍ଛେଦ କରିବାକୁ ଅକ୍ଷୟଙ୍କ ସ୍ତ୍ରୀ ଇନା ବରିହା ଓ ପରିବାର ଲୋକେ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସ୍ତ୍ରୀ ଇନା ‘ମୋ ସ୍ୱାମୀ ବଞ୍ଚିଛନ୍ତି  ଗୁଣିଆ କହିଛି ଭଲ କରିଦେବି’ ବୋଲି କହିଥିଲେ। ସେ ସ୍ୱାମୀଙ୍କ ଶବକୁ ଘରକୁ ନେଇ ଗୁଣିଗାରେଡ଼ି କରି ବୋଲି ହସ୍ପିଟାଲରେ ଲିଖିତ ଭାବେ ଦେଇ ସ୍ବାମୀଙ୍କ ଶବ ବିନା ବ୍ୟବଚ୍ଛେଦରେ ଫେରାଇ ଆଣିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର