କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ମାମଲା : ହଜା‌ରେ ଟଙ୍କା ତଣ୍ଡ ଗଣିବେ ଆବେଦନକାରୀ

କଟକ : କଣ୍ଟାବାଞ୍ଜି ବିଧାନସଭା ଆସନ ନିର୍ବାଚନୀ ଅନିୟମିତାକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରତିପକ୍ଷ ତଥା ବିଧାୟକଙ୍କ ପିଟିସନ୍ ଉପରେ ଆପତ୍ତି ରଖିବାକୁ ମହଲତ ପ୍ରଦାନ କରିଛନ୍ତି। ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଥିଲେ ବି ଅଧିକ ସମୟ ମାଗିଥିବାରୁ ଆବେଦନକାରୀଙ୍କୁ ୧ ହଜାର ଟଙ୍କା ଅର୍ଥଦଣ୍ଡ ପ୍ରଦାନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏକ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଶ୍ରୀ ଦାସଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ୨୦୧୯ ଏପ୍ରିଲ ୧୮ରେ କଣ୍ଟାବାଞ୍ଜି ଆସନ ପାଇଁ ନିର୍ବାଚନ ‌ଅନୁଷ୍ଠିତ ହୋଇଥିବା ବେଳେ ଏପ୍ରିଲ ୧୯ରେ ରିଟର୍ଣ୍ଣିଂ ଅଫିସର ସମସ୍ତ ପ୍ରାର୍ଥୀଙ୍କ ନିକଟକୁ ପଠାଇଥିବା ହ୍ବାଟ୍ସଆପ୍ ମେସେଜରେ ୯୦,୬୨୯ ପୁରୁଷ ଓ ୯୧,୭୮୨ ମହିଳା ମତ ସାବ୍ୟସ୍ତ କରିଥିଲେ ବୋଲି ଉଲ୍ଲେଖ କରିଥିଲେ। ମୋଟ ୧ ଲକ୍ଷ ୮୨ ହଜାର ୪୧୧ ଜଣ ମତଦାତା ଏହି ନିର୍ବାଚନମଣ୍ଡଳୀରେ ଭୋଟ ଦେଇଥିଲେ ବୋଲି କୁହାଯାଇଥିଲା। ସମାନ ତଥ୍ୟ ମଧ୍ୟ ନିର୍ବାଚନ କମିସନଙ୍କ ୱେବସାଇଟରେ ଉପଲବ୍ଧ ହୋଇଥିଲା। ଏପ୍ରିଲ ୨୩ରେ କଣ୍ଟାବାଞ୍ଜି ବିଧାନସଭା ଆସନର ଭୋଟ ଗଣତି ବେଳେ ଇଭିଏମରୁ ୧ଲକ୍ଷ ୯୧ ହଜାର ୭୭ଜଣ ମତଦାତାଙ୍କ ଭୋଟ ବାହାରିଥିଲା । ପୂର୍ବରୁ ରିଟର୍ଣ୍ଣିଂ ଅଫିସର ପ୍ରଦାନ କରିଥିବା ତଥ୍ୟଠାରୁ ଏହା ଥିଲା ସଂପୂର୍ଣ୍ଣ ଭିନ୍ନ। କେଉଁ ପରିସ୍ଥିତିରେ ଇଭିଏମରେ ଭୋଟର ସଂଖ୍ୟା ବୃଦ୍ଧି ପାଇଲା ‌ତାହାର କୌଣସି ଉତ୍ତର କାହା ପାଖରେ ନଥିଲା। ଇଭିଏମରେ ତ୍ରୁଟି ନଥିଲା ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଥିବା ବେଳେ କେଉଁଠି ତ୍ରୁଟି ରହିଲା ତାହା ଅସ୍ପଷ୍ଟ ରହିଥିଲା। ପୂର୍ବ ଘୋଷଣାଠାରୁ ଇଭିଏମରୁ ଅଧିକ ୮ ହଜାର ୬୬୬ଟି ଭୋଟ ମିଳିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ କଣ୍ଟାବାଞ୍ଜି ବିଧାନସଭା ଆସନ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସାନି ନିର୍ବାଚନ କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀ ଅଜୟ ଦାସଙ୍କ ପକ୍ଷରୁ ଆଇନଜୀବୀ ଅଶ୍ବିନୀ କୁମାର ଦାସ ଏବଂ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର