ବଲାଙ୍ଗୀର/କଣ୍ଟାବାଞ୍ଜି : ଗତ ସୋମବାର ଦିନ କଣ୍ଟାବାଞ୍ଜି ଏନ୍ଏସି କାର୍ଯ୍ୟାଳୟ ପାଖରେ ନିର୍ମିତ ଆୟୁବ ଖାନ୍ ମଲ୍ଟିସ୍ପେସାଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା। ସ୍ଥାନୀୟ ରେଳବାଇ ଖେଳପଡ଼ିଆଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନେକ ମନ୍ତ୍ରୀ, ସାଂସଦ ସମେତ ବିଧାୟକ ମଧ୍ୟ ଉପସ୍ଥିତ ରହି ଏହାଦ୍ବାରା ଅଂଚଳର ଲୋକେ ଉତ୍ତମ ଚିକିତ୍ସା ସେବା ପାଇବେ ବୋଲି ପ୍ରକାଶ କରିଥିଲେ। ହେଲେ, ଉଦ୍ଘାଟନ ପରେ ଏହି ହସ୍ପିଟାଲରେ ତାଲା ଝୁଲୁଥିବାରୁ ଅଞ୍ଚଳରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ଅସଂପୂର୍ଣ୍ଣ ଥିବା ଏହି ହସ୍ପିଟାଲ ଉଦ୍ଘାଟନ କରାଯାଇଛି। ପୁଣି ଉଦ୍ଘାଟନ କାର୍ଯ୍ୟକ୍ରମ ହସ୍ପିଟାଲ ପରିସରରେ କରାନଯାଇ ଅନ୍ୟତ୍ର କରାଯାଇଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ହସ୍ପିଟାଲ କାର୍ଯ୍ୟଭାର ଆୟୁବ ଖାନଙ୍କ ପୁଅ ଡା. ଅମଜତ ଖାନ୍ ସମ୍ଭାଳିବେ ବୋଲି ଜଣାପଡ଼ିଛି। ଏନେଇ ପୂର୍ବ ବିଧାୟକ ଆୟୁବ ଖାନଙ୍କୁ ପଚାରିବାରୁ କହିଛନ୍ତି ଯେ, ଏହି ହସ୍ପିଟାଲକୁ ତରବରିଆ ଭାବେ ଉଦ୍ଘାଟନ କରାଯାଇଛି। ଭିତରେ ସମସ୍ତ ମେସିନ୍, ନର୍ସ, ଜରୁରୀ ସାମଗ୍ରୀ ଠିକ୍ କଲାପରେ ଏହା କାର୍ଯ୍ୟକ୍ଷମ ହେବ। ଦୁଇଦିନ ମଧ୍ୟରେ ଡାକ୍ତରମାନେ ଆସି ଯୋଗଦେବା ପରେ ରୋଗୀସେବା ଆରମ୍ଭ ହେବ ବୋଲି ସେ କହିଥିଲେ।