ବଲାଙ୍ଗୀର : ନିର୍ବାଚନ ସରିଯାଇଛି। ଫଳାଫଳ ବି ଇତିମଧ୍ୟରେ ଘୋଷିତ ହୋଇ ସାରିଲାଣି। କିନ୍ତୁ କଂଟାବାଞ୍ଜି ନିର୍ବାଚନମଣ୍ଡଳୀର ମତଦାତାଙ୍କ ସଂଖ୍ୟାକୁ ନେଇ ବିବାଦ ଉଠିବା ପରେ ମାମଲା ହାଇକୋର୍ଟକୁ ପହଞ୍ଚିଛି। ପିଟିସନର ରୂପେଶ ବେହେରା ଓ ଭୁବନାନନ୍ଦ ମହାନ୍ତି କଣ୍ଟାବାଞ୍ଜି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଅଦାଲତରେ ପ୍ରାର୍ଥନା କରିଛନ୍ତି। ପିଟିସନର ରୂପେଶଙ୍କୁ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଧମକ ଦେଇଥିବାର ଏକ ଅଡିଓ ଭାଇରାଲ ହୋଇଛି। ଉକ୍ତ ଅଡିଓ ରେକର୍ଡିଂର ସତ୍ୟତା ଜଣାପଡ଼ି ନଥିଲେ ହେଁ ଚାରିଆଡ଼େ ଆଲୋଚନାର ପ୍ରସଙ୍ଗ ହୋଇଛି। ପିଟିସନର ରୂପେଶ କହିଛନ୍ତି, ଅନ୍ୟ ଜଣଙ୍କ ଫୋନରେ ତାଙ୍କୁ କଲ୍‌ କରି ନବନିର୍ବାଚିତ ବିଧାୟକ ଶ୍ରୀ ସାଲୁଜା ଜୀବନରେ ମାରିଦେବାର ଧମକ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, କଂଟାବାଞ୍ଜି ବିଧାନସଭା ଆସନରେ ବିଜେପି-କଂଗ୍ରେସ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ୧୨୮ ଖଣ୍ଡ ଭୋଟରେ ସନ୍ତୋଷ ସିଂ ସାଲୁଜା ବିଜୟଲାଭ କରିଥିଲେ। ଏହା ପରେ ହିଁ ଉଠିଥିଲା ମତଦାତାଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ। ମତଦାନ ଦିନ ଯେତେ ମତଦାତା ଭୋଟ ଦେଇଥିଲେ, ଫଳାଫଳ ବାହାରିଲା ଦିନ କିନ୍ତୁ ଭୋଟ ସଂଖ୍ୟା ଅଧିକ ଥିବା ନେଇ ନିକଟତମ ପ୍ରତିଦ୍ୱନ୍ଦ୍ବୀମାନେ ଅଭିଯୋଗ ଉଠାଇଥିଲେ। ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅଭିଯୋଗ କଲେ ବି କେହି କିଛି ଶୁଣି ନଥିଲେ। ଶେଷରେ ମାମଲା ଏବେ ହାଇକୋର୍ଟକୁ ପହଞ୍ଚିଛି ଓ ବିବାଦକୁ କଂଟାବାଞ୍ଜି ନିର୍ବାଚନମଣ୍ଡଳୀ ଆସିଛି। ପିଟିସନର ରୂପେଶ ଓ ଭୁବନାନନ୍ଦ ଅଦାଲତରେ ଦର୍ଶାଇଛନ୍ତି, ଏପ୍ରିଲ ୧୮ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରିଟର୍ଣ୍ଣିଂ ଅଫିସର ସମସ୍ତ ପ୍ରାର୍ଥୀ ଓ ଗଣମାଧ୍ୟମକୁ ମୋଟ ୧ଲକ୍ଷ ୮୨ହଜାର ୪୧୧ ଜଣ ମତଦାତା ଭୋଟ ଦେଇଥିବା ସୂଚନା ଦେଇଥିଲେ। କିନ୍ତୁ ଭୋଟ ଗଣତି ସମୟରେ ଇଭିଏମରୁ ୧ଲକ୍ଷ ୯୧ ହଜାର ୭୭ ଜଣ ମତଦାତା ଭୋଟ ଦେଇଥିବା କର୍ତ୍ତୃପକ୍ଷ ଦର୍ଶାଇଥିଲେ। ନିର୍ବାଚନ କମିସନରଙ୍କ ୱେବସାଇଟରେ ଉପଲବ୍ଧ ଥିବା ଭୋଟଠାରୁ ୮ହଜାର ୬୬୬ ଖଣ୍ଡ ଅଧିକ ଭୋଟ କିଭଳି ଇଭିଏମରୁ ବାହାରିଲା ତାହାର ସିବିଆଇ ତଦନ୍ତ କରାଯାଉ ବୋଲି ମାମଲା ହାଇକୋର୍ଟରେ ପିଟିସନର ଦାୟର କରିଛନ୍ତି। ଏହି ମାମଲା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ଥିବା ସମୟରେ ରୂପେଶଙ୍କୁ ଧମକ ଦେବାର ଅଡିଓ ଭାଇରାଲ ଏବେ ଏହି ପ୍ରସଙ୍ଗକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି।

ଅଭିଯୋଗକୁ ସାଲୁଜାଙ୍କ ଖଣ୍ଡନ
ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି, ସେ କୌଣସି ଧମକଚମକ ଦେଇ ନାହାନ୍ତି। କେଉଁ ଅଡିଓ ରେକର୍ଡିଂ ଭାଇରାଲ ହୋଇଛି ତାହାର କିଛି ଜାଣନ୍ତି ନାହିଁ। ସେ ଫୋନ ବି କରି ନାହାନ୍ତି। ଯଦି ସେମାନେ ଅଡିଓ ଭାଇରାଲ କଥା କହୁଛନ୍ତି, କୌଣସି ପ୍ରମାଣ ଥିଲେ ଆଇନଗତ ପଦକ୍ଷେପ ନେଇ ପାରିବେ। ଅଯଥାରେ ଏହାକୁ ପ୍ରସଙ୍ଗ କରାଯାଉଛି ବୋଲି ସେ କହିଛନ୍ତି।