ଜମି ବିଦାଦରୁ ନୃଶଂସ କାଣ୍ଡ : କାକା ଓ ଖୁଡ଼ିଙ୍କୁ ହତ୍ୟା କଲା ପୁତୁରା

ଝିଅ ହାତରୁ ପାଣି ଟୋପାଏ ପିଇ ପାରିଲାନି ବାପା

କଂଟାବାଞ୍ଜି : ଫିକା ପଡ଼ିଗଲା ରକ୍ତର ସମ୍ପର୍କ। ଜମି ବିବାଦ ଯୋଗୁଁ ଚାଲିଗଲା ଦୁଇ ଦୁଇଟି ଅମୂଲ୍ୟ ଜୀବନ। ନିଜ କାକା ଓ ଖୁଡ଼ିଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ପୁତୁରା। ଏତିକିରେ ରାଗ ଶାନ୍ତ ହେଲା ନାହିଁ। ଗାଁ ଦାଣ୍ଡରେ ଉଭୟଙ୍କ ଶବ ଘୋଷାଡ଼ି ଘୋଷାଡ଼ି ନେଇ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଲା। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ପଞ୍ଚାୟତ କୁଟ୍ରାବେଡ଼ା ଗାଁରେ ଘଟିଥିବା ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ସାରା ଜିଲ୍ଲାରେ ଚାଞ୍ଚଲ୍ୟ‌ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କୁଟ୍ରାବେଡ଼ା ଗାଁର ତ୍ରିଲୋଚନ ନାଗ (୫୫)ଙ୍କ ଦୁଇ ବଡ଼ଭାଇ ହେଲେ ତ୍ରିନାଥ ନାଗ ଏବଂ ରୂପଧର ନାଗ। ରୂପଧରଙ୍କ ମୃତ୍ୟୁ ହୋଇ ସାରିଛି। ତ୍ରିଲୋଚନ ଏବଂ ତ୍ରିନାଥଙ୍କ ପରିବାର ମଧ୍ୟରେ ଜମି ବିବାଦକୁ ନେଇ ବହୁ ବର୍ଷରୁ ଶତ୍ରୁତା ରହି ଆସିଥିଲା। ତ୍ରିନାଥଙ୍କ ପୁଅ କୁଶ ନାଗ (୩୫) ଏହି ଜମି ବିବାଦ ଯୋଗୁଁ ଅନେକ ଥର ତାର କାକା ତ୍ରିଲୋଚନଙ୍କ ସହ ଗଣ୍ଡଗୋଳ କରି ଆସୁଥିଲା। ପୂର୍ବରୁ ମଧ୍ୟ ଝଗଡ଼ା କରି ଜେଲ ଯାଇ ଜାମିନରେ ଆସିଥିଲା। ଜାମିନରେ ଆସିଲା ପରେ କୁଶ ଅନେକ ସମୟରେ ତାର କାକାଙ୍କୁ ହତ୍ୟା କରିବାର ସୁଯୋଗ ଖୋଜୁଥିଲା। ଶୁକ୍ରବାର ରାତିରେ ତ୍ରିଲୋଚନ ଏବଂ ଅନ୍ୟ କିଛି ଲୋକ ଗାଁ ଦାଣ୍ଡରେ ତାସ୍‌ ଖେଳୁଥିଲେ। ଏହି ସମୟରେ ଅଚାନକ କୁଶ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତ୍ରିଲୋଚନଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ତାସ୍‌ ଖେଳୁଥିବା ଲୋକେ ଏହା ଦେଖି ଭୟରେ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ଖବର ପାଇ ତ୍ରିଲୋଚନଙ୍କ ସ୍ତ୍ରୀ ସୀମା ନାଗ (୪୫)ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଫଳରେ କୁଶ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଗାଁ ମଝିରେ ରକ୍ତମୁଖା ହୋଇ କୁଶ ଉଭୟଙ୍କୁ ହତ୍ୟା କରିଥିଲା। କେହି ସାହସ କରି ଘରୁ ବାହାରି ନଥିଲେ। ହତ୍ୟା ପରେ ଉଭୟଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ ଚାଷଜମିରେ ଥିବା ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇ ଘରକୁ ଚାଲିଯାଇଥିଲା। ଖବର ପାଇ ବଙ୍ଗୋମୁଣ୍ଡା ଥାନାଧିକାରୀ ପଞ୍ଚାନନ ନାଏକ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁଶକୁ କାବୁ କରି ଥାନାରେ ଅଟକ ରଖିଥିଲେ। ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅରୁ ଶବ ଦୁଇଟିକୁ କାଢ଼ିଥିଲେ। ତ୍ରିଲୋଚନ ଦୁଇଥର ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ଝିଅ ଗୋମତୀଙ୍କୁ ଅନ୍ୟ ଗାଁରେ ବିବାହ ଦେଇ ସାରିଛନ୍ତି। ଅନ୍ୟ ସ୍ତ୍ରୀଙ୍କ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି। ହତ୍ୟାକାଣ୍ଡ ସମୟରେ ଏହି ପିଲାମାନେ ପାଟି କରିବାରୁ କୁଶ ଗୋଟିଏ ଝିଅକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି। କଂଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ଝିଅ ହାତରୁ ପାଣି ଟୋପାଏ ପିଇ ପାରିଲାନି ବାପା

ଶୁକ୍ରବାର ରାତିରେ ହଠାତ୍‌ ତ୍ରିଲୋଚନଙ୍କ ଉପରେ ଅଭିଯୁକ୍ତ କୁଶ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ତ୍ରିଲୋଚନଙ୍କ ଝିଅ ଝିଲି ଘରୁ ବାହାରିଥିଲା। ବାପାଙ୍କୁ ଆକ୍ରମଣ କରାଯାଇଥିବା ଦେଖି ସେ ଘରୁ ପାଣି ଗ୍ଲାସ୍‌ ଧରି ଧାଇଁଥିଲା। ହେଲେ ପାଣି ଧରି ବାପାଙ୍କ ପାଖକୁ ପହଞ୍ଚିବା ସମୟରେ ତ୍ରିଲୋଚନଙ୍କ ମୃତ୍ୟୁ ହୋଇସାରିଥିଲା। ଅନ୍ୟପକ୍ଷରେ ଝିଲିକୁ ମଧ୍ୟ ଆକ୍ରମଣକାରୀ ହତ୍ୟା କରିବାକୁ ଉଦ୍ୟମ କରିବାରୁ ସେଠାରୁ ସେ ଭୟରେ କାନ୍ଦି କାନ୍ଦି ପଳାଇଥିଲା।

ସମ୍ବନ୍ଧିତ ଖବର