କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ ପୁଣି ମାମଲା, ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା

କଟକ : କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ ଆଉ ଏକ ମାମଲା ହାଇକୋର୍ଟରେ ରୁଜୁ ହୋଇଛି। ପୂର୍ବରୁ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ରିଟି ପିଟିସନ୍ ଦାୟର ହୋଇଥିବା ବେଳେ ଏବେ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବର ଆଇଆର୍‌ସି ଭିଲେଜର ସୁବ୍ରତ କୁମାର ଛାଟୋଇ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ମାମଲାରେ ଇଲେକ୍ସନ କମିସନ ଅଫ୍ ଇଣ୍ଡିଆ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ, କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପରେ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ୧ ଲକ୍ଷ ୮୨ ହଜାର ୪୧୧ଜଣ ମତ ସାବ୍ୟସ୍ତ ଘୋଷଣା କରାଯାଇଥିବା ବେଳେ ଗଣତି ବେଳେ ଇଭିଏମରୁ ୧ଲକ୍ଷ ୯୧ ହଜାର ୭୭ଜଣ ମତଦାତାଙ୍କ ଭୋଟ ବାହାରିଥିଲା। ଅର୍ଥାତ୍‌ ପୂର୍ବ ମତଦାତା ସଂଖ୍ୟା ଘୋଷଣାଠାରୁ ଅଧିକ ୮ ହଜାର ୬୬୬ଟି ଭୋଟ୍‌ ଇଭିଏମ୍‌ରୁ ବାହାରିଥିଲା। ଏଭଳି ସ୍ଥିତିରେ ହାଇକୋର୍ଟରେ ଏବେ ଗୋଟିଏ ପରେ ଗୋଟିଏ ମାମଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପ୍ରସଙ୍ଗକୁ ଅଧିକ ଜଟିଳ କରିଦେଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶ୍ବିନୀ କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର