କଟକ: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରି ସ୍ବତନ୍ତ୍ର ଛାପ ଛାଡିଛନ୍ତି। ମାଟି, ମା, ମଣିଷ, ସ୍ବାଧୀନତା ସଂଗ୍ରାମ ଉପରେ ଅନେକ କବିତା ଲେଖିଛନ୍ତି। ତାଙ୍କ ଉପନ୍ୟାସ କଣାମାମୁଁ, କ୍ଷୁଦ୍ର ଗଳ୍ପ ବୁଢ଼ା ଶଙ୍ଖାରୀ, କବିତା ବନ୍ଦେ ଉତ୍କଳ ଜନନୀ ଆଦି ସୃଷ୍ଟି ଅତ୍ୟନ୍ତ ପ୍ରଭାବଶାଳୀ। ଏଭଳି ଲେଖା ଯିଏ ଲେଖିଛନ୍ତି ତାଙ୍କୁ କାନ୍ତକବି କହି ସୀମିତ ରଖିବା ଉଚିତ ହୋଇନାହିଁ। ତାଙ୍କ କବିତାରେ ମୁକ୍ତି ସଂଗ୍ରାମର ଝଙ୍କାର ଥିଲା, ଯାହା ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଉଥିଲା। ହାସ୍ୟବିକାଶ କେନ୍ଦ୍ର କଟକ ପକ୍ଷରୁ ଶତାବ୍ଦୀଭବନରେ ଆୟୋଜିତ ହାସ୍ୟସ୍ରଷ୍ଟା ଫତୁରାନନ୍ଦଙ୍କ ସ୍ମୃତି ସମାରୋହ ଓ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।
ବିଶିଷ୍ଟ ଆଇନଜୀବୀ ଗିରିଜାନନ୍ଦ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ବିଶିଷ୍ଟ ହାସ୍ୟସ୍ରଷ୍ଟା ତଥା ରାଜ୍ୟ ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କୁ ମର୍ଯ୍ୟାଦାଜନକ କାନ୍ତକବି ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ ଯୋଗଦେଇଥିଲେ। ହାସ୍ୟ ବିକାଶ କେନ୍ଦ୍ରର ସଂପାଦକ ପ୍ରଫେସର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଓ ବିବରଣୀ ପାଠ କରିଥିବା ବେଳେ ରଘୁନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସମାରୋହରେ ପ୍ରଫେସର ବିଜୟାନନ୍ଦ ସିଂହଙ୍କ ରଚିତ ‘ଅତୀତ ଓ ଅସ୍ମୀତା’ ପୁସ୍ତକକୁ ଶ୍ରୀ ହରିଚନ୍ଦନ ଲୋକାର୍ପଣ କରିଥିଲେ।