ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣା ୨୦୧୪ ନିର୍ବାଚନରେ କଂଗ୍ରେସ ଓ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। ପୂର୍ବ ଅପେକ୍ଷା ବହୁତ କମ୍ ଭୋଟ ବ୍ୟବଧାନରେ ଜିତିଥିଲେ। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନ ଭଳି ତାଙ୍କୁ ବିରୋଧ କରି ଏଥର ମଧ୍ୟ ଏକ ଗୋଷ୍ଠୀ ମୁଣ୍ଡ ଟେକିଲାଣି। ମହୀଧରଙ୍କ ବିଜୟଧାରାର ପୁନରାବୃତ୍ତି ହେବ ନା ପରିବର୍ତ୍ତନ ହେବ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

Advertisment

୨୦୧୪ ସାଧାରଣ ନିର୍ବାଚନରେ ମହୀଧରଙ୍କୁ ୪୯,୨୦୨ ଭୋଟ ମିଳିଥିଲା। ତାଙ୍କ ପ୍ରତିଦ୍ବନ୍ଦ୍ବୀ ହରିନାରାୟଣ ପ୍ରଧାନ ୨୩,୮୩୬ ଭୋଟ ପାଇଥିବା ବେଳେ ବ୍ୟବଧାନ ୨୫, ୩୬୬ ଥିଲା। ୨୦୧୯ରେ ଶ୍ରୀ ରଣା ବିଜୟଧାରା ବଜାୟ ରଖି ୪୩,୦୯୯ ଭୋଟ ପାଇଥିଲେ। ତେବେ ବିଜେପି ପ୍ରାର୍ଥୀ ୩୯,୪୪୯ ଭୋଟ ପାଇଥିଲେ। ଭୋଟ ବ୍ୟବଧାନ ମାତ୍ର ୩,୬୫୦ ଥିଲା। ଗତ ନିର୍ବାଚନରେ ବିଧାୟକ ଶ୍ରୀ ରଣା ବିରୋଧର ସମ୍ମୁଖୀନ ହୋଇଥିଲେ। ଏବେ ନିର୍ବାଚନକୁ ବର୍ଷକରୁ କମ୍ ସମୟ ଥିବାବେଳେ ତାଙ୍କ ନେତୃତ୍ବ ବିରୋଧରେ ପୁଣି ବିରୋଧାଭାସ ଆରମ୍ଭ ହେଲାଣି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବୌଦ୍ଧ ବ୍ଲକର ୧୨ ଓ କଣ୍ଟାମାଳ ବ୍ଲକର ୨୪ଟି ପଞ୍ଚାୟତ ରହିଛି। କଣ୍ଟାମାଳ ବ୍ଲକର ୧୬ ଜଣ ସରପଞ୍ଚ ଓ ୧୫ ଜଣ ସମିତିସଭ୍ୟ ବିଧାୟକଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି। କିଛି କଥା ସାମ୍ନାକୁ ଆସୁଥିବା ବେଳେ କିଛି ନେପଥ୍ୟରେ ଥିବା ଜଣାପଡ଼ିଛି। ବିଜେଡିରେ ଶ୍ରୀ ରଣାଙ୍କ ପରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନଙ୍କକୁ ନେଇ ଚର୍ଚ୍ଚା ହେଉଛି।

ବିଜେପି ପକ୍ଷରୁ ଗତ ନିର୍ବାଚନର ପ୍ରାର୍ଥୀ ​କହ୍ନେଇ ଚରଣ ଡାଙ୍ଗଙ୍କ ନାମ ଶୀର୍ଷରେ ରହିଛି। ତାଙ୍କ ପରେ ୪ ନଂ. ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀଙ୍କ ସଙ୍ଗଠନ ବିଷୟରେ ଆଲୋଚନା ହେଉଛି। ସେହିଭଳି ଗତ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଥିବା ପ୍ରଶାନ୍ତ ସାହୁ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେଉଥିବା ଦେଖାଯାଉଛି। ଏମାନଙ୍କ ଛଡ଼ା ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ପୂର୍ବରୁ ସେ ବିଜେଡିର ରାଜ୍ୟସ୍ତରୀୟ ପଦବିରେ ଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ। ୨୦୧୯ ନିର୍ବାଚନ ସମୟରେ ସେ ନିରବ ରହିଥିବା ବେଳେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଅଇଁଳାପାଲି ପଞ୍ଚାୟତରୁ ସମିତି ସଭ୍ୟ ନିର୍ବାଚିତ ହୋଇ ଏବେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ନିଜକୁ ସ୍ବାଧୀନ ବୋଲି କହୁଥିଲେ ସୁଦ୍ଧା ବିଜେଡି ଓ ବିଜେପିର ରାଜ୍ୟସ୍ତରୀୟ ମହଲରେ ତାଙ୍କର ସୁସମ୍ପର୍କ​ ଥିବା ଆଲୋଚନା ହେଉଛି।