ବୌଦ୍ଧ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଣ୍ଟାମାଳ ବିଧାୟକ ମହୀଧର ରଣା ବିରୋଧର ଶିକାର ହୋଇଥିଲେ। ନିର୍ବାଚନ ଜିତିଥିଲେ ସୁଦ୍ଧା ବିରୋଧାଭାସର ପରିଣତି ଫଳାଫଳରେ ପ୍ରକାଶ ପାଇଥିଲା। ୨୦୧୪ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଭୋଟ ବ୍ୟବଧାନ ୨୫ହଜାର ୩୬୬ ଥିଲା। ପରବର୍ତ୍ତୀ ନିର୍ବାଚନରେ ଏହା ଖସି ୩,୬୫୦ ରହିଥିଲା। ଏବେ ପୁଣି ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଧାୟକ ଶ୍ରୀ ରଣାଙ୍କ ବିରୋଧରେ ଦଳୀୟ ଅସନ୍ତୁଷ୍ଟ ଗୋଷ୍ଠୀ ମେଳି କରିବାରେ ଲାଗିଛନ୍ତି। ବିରୋଧୀ ମେଳିର କାୟା କ୍ରମାଗତ ଭାବରେ ବଢ଼ି ଚାଲିଛି।
ରବିବାର ଘିକୁଣ୍ଡି ପଞ୍ଚାୟତ ହାତୀପାଲି ଗାଁରେ ମହୀଧର ବିରୋଧୀ ଏକାଠି ହୋଇ ନୂଆଁଖାଇ ଭେଟ୍ଘାଟ୍ ନାଁରେ ବଳ ପ୍ରଦର୍ଶନ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ନୂଆଁଖାଇ ଭେଟ୍ଘାଟ୍ ଆୟୋଜନ କରିଥିଲେ। ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହ ବିଧାୟକ ଶ୍ରୀ ରଣାଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ ଅସନ୍ତୁଷ୍ଟ ବିଜେଡି କର୍ମକର୍ତ୍ତା ଓ କର୍ମୀ। ଦଳ ଗଠନ ସମୟରୁ କାର୍ଯ୍ୟ କରୁଥିବା ପୁରୁଖା କର୍ମୀଙ୍କୁ ହତାଦର କରାଯାଉଛି। ଅନ୍ୟ ଦଳର ଅବହେଳିତ ନେତା ଆଜି ବିଜେଡିର ପୁରୋଧା ସାଜିଛନ୍ତି। ଫଳରେ ଅସଲ ବିଜେଡି କର୍ମୀ ଓ ନେତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ। ଦଳକୁ ଅଧିକ ସଂଗଠିତ କରି ମୁଖ୍ୟମନ୍ତ୍ରୀଙ୍କ ହାତକୁ ମଜଭୁତ କରିବା ସହ ଶ୍ରୀ ରଣା ଚଳିତ ଥର ପ୍ରାର୍ଥୀ ହେଲେ ଉଚିତ ଜବାବ ଦେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଫଳରେ ଜିଲ୍ଲା ରାଜନୀତିରେ କଣ୍ଟାମାଳ ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। କାର୍ଯ୍ୟକ୍ରମରେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନ ଖଲିଆପାଲି ପଞ୍ଚାୟତର ସମିତି ସଭ୍ୟ କେଦାର ସାହୁ, ଦପଲା ସମିତି ସଭ୍ୟାଙ୍କ ପ୍ରତିନିଧି ସୁଶୀଳ ପୁରୋହିତ, ଖଲିଆପାଲି ସରପଞ୍ଚଙ୍କ ପ୍ରତିନିଧି ଜେମାକାନ୍ତ ନାଏକ, ଦିଲୀପ ପ୍ରଧାନ, ପୂର୍ବ ସମିତି ସଭ୍ୟ ଗଣେଶ ମିଶ୍ର, ଘିକୁଣ୍ଡି ସମିତି ସଭ୍ୟ ସୁରେଶ ପାତ୍ର, ବହିରା ସରପଞ୍ଚ ଯଯାତିକେଶରୀ ମହାଲିକ, ଚୁମକି ମିଶ୍ର, ବୌଦ୍ଧ ପଞ୍ଚାୟତ ସମିତି ପୂର୍ବ ଅଧ୍ୟକ୍ଷ ପୟୋଧର ମହାକୁଳ, ନାରାୟଣ ପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ଗୋଛାପଡ଼ା ସରପଞ୍ଚ ପ୍ରତିନିଧି ବଳରାମ ମେହେର ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।