କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ମାହୋଲ ସରସଗରମ ରହିଛି। ନିର୍ବାଚନ ବର୍ଷ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ, ୟା ଭିତରେ ବିଜେଡି ଗୋଷ୍ଠୀ ତଥା ଦଳୀୟ ଯୁନନେତାଙ୍କ ବିଜେପି ଲିଙ୍କ୍‌କୁ‌ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଲବ କରୁଥିବା ଲକ୍ଷ୍ୟ କରାଯାଇଛି। ‌ବିଜେଡି ପକ୍ଷରୁ ବିଭିନ୍ନ ସଭା ଓ କର୍ମୀ ସମ୍ମିଳନୀର ଆୟୋଜନ କରାଯାଉଛି। ପୂର୍ବରୁ ବିଧାୟକ ଥିବା ଆୟୁବ ଖାନ ଆଗାମୀ ନିର୍ବାଚନରେ ପୁଣି ପ୍ରତିଦ୍ବନ୍ଦିତା କରିବେ ବୋଲି ଆଲୋଚନା ହେଉଛି। ସେହିପରି ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଜୟ ଦାସ ବିଭିନ୍ନ ଅଞ୍ଚଳ ବୁଲି ଲୋକ ସଂପର୍କ ବଢ଼ାଉଛନ୍ତି। ତାଙ୍କ ବ୍ୟତୀତ ମୁରିବାହାଲ ବ୍ଲକ୍‌ର ହଂସରାଜ ଜୈନ, କଂଟାବାଞ୍ଜିର ଯୁବନେତା ଗିରିରାଜ ସିଂମାଝୀ ମଧ୍ୟ ଲୋକଙ୍କ ପାଖକୁ ଯାଇ ଦଳୀୟ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।

Advertisment

publive-image

ଗତ କିଛିମାସ ପୂର୍ବରୁ ପାଟଣାଗଡ଼ଠାରେ ବଙ୍ଗୋମୁଣ୍ଡାର ବିଜେଡି ନେତା ତଥା ରାଜ୍ୟ ଯୁବ ବିଜେଡି ସଂପାଦକ ଅଜିତ ଯୋଷୀ, ହଂସରାଜ ଜୈନ, ଅଜୟ ଦାସ ଓ ଗିରିରାଜ ସିଂହ ମାଝୀ ଏକ ବୈଠକରେ ଏକାଠି ହୋଇ ବିଜେଡିକୁ ଏକଜୁଟ କରିବା ପାଇଁ ଶପଥ ନେଇଥିଲେ। ଏହି ୪ଜଣଙ୍କ ଗୋଷ୍ଠୀ ମଧ୍ୟ ଏବେ କଣ୍ଟାବାଞ୍ଜିରେ ଭାଙ୍ଗିବାକୁ ବସିଥିବା ଭଳି ପରିଲକ୍ଷିତ ହେଉଥିବା ଆଲୋଚନା ହେଉଛି। ଅଜୟ ନିଜର ପ୍ରଚାରରେ ଅଜିତଙ୍କୁ ନେଇ ବୁଲୁଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳରେ ଗିରିରାଜଙ୍କୁ ଭୁଲି ଯାଇଛନ୍ତି। ଏହାରି ଭିତରେ ଅଜିତ ଯୋଷୀ ବିଜେଡିର ରାଜ୍ୟସ୍ତରୀୟ ନେତା ହୋଇଥିଲେ ବି ତାଙ୍କ ବିଜେପି ଲିଙ୍କ୍ ଥିବା ଚର୍ଚ୍ଚା ଜୋର୍‌ଧରିଛି। କଣ୍ଟାବାଞ୍ଜିରେ ବିଜେପି ବିଧାୟକ ଥିବା ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ସ୍ଥାନରେ ସେ ଏଥର ବିଜେପିରେ ଯୋଗ ଦେଇ ଦଳର ମଙ୍ଗ ଧରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଅତି ନିକଟତର ହୋଇ ରହିଥିବା ବିଜେଡି ରାଜ୍ୟ ଯୁବ ସଂପାଦକ ଶ୍ରୀ ଯୋଷୀ ବିଜେପିର ହେବିୱେଟ୍ ନେତାମାନଙ୍କ ସହ କଥାବାର୍ତ୍ତା ହେବା ଓ ମିଳାମିଶା କରିବା ଭଳି କଥା ସାମ୍ନାକୁ ଆସିଲା ପରେ ଅନେକ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଶ୍ରୀ ଯୋଷୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ସମସ୍ତଙ୍କ ସହିତ ମିଳାମିଶା ଓ କଥାବାର୍ତ୍ତା କରନ୍ତି। ବିଜେପିରେ ଯୋଗଦେବା ନେଇ ବର୍ତ୍ତମାନ ସ୍ଥିର କରି ନାହାନ୍ତି। ଆଗାମୀ ନିର୍ବାଚନରେ କଣ ହେବ କହିହେବ ନାହିଁ ବୋଲି ସେ କହିଛନ୍ତି।