କୂଳ ଖାଉଛି କପାଳୀ ନଦୀ, ଲୀନ ହେବ ଗ୍ରାମ ଓ ଚାଷଜମି

ଗଣିଜାଙ୍ଗ: ବନ୍ତ ବ୍ଲକର ଦୁଃଖ କପାଳୀ ନଦୀ। କପାଳୀ ନଦୀ ନିକଟସ୍ଥ କେନ୍ଦୁଝର ଜିଲ୍ଲାରୁ ବାହାରି ଏହି ବ୍ଲକ ଟିଲୋ, ଗଣିଜାଙ୍ଗ, ଛୟାଳସିଂ, ରାମପୁର, ରାମକୃଷ୍ଣପୁର ପଞ୍ଚାୟତ ଦେଇ ଭଦ୍ରକ ଜିଲ୍ଲାର ବୈତରଣୀରେ ମିଶିଛି। ଏହାର ପାର୍ଶ୍ବରେ କଣ୍ଟିଗଢିଆ, ପଳସା, ଇଚ୍ଛାପୁର, କାଶୀପୁର, ତରଡ଼ିପାଳ, ବଗଦାଶାସନ, କନ୍ତିଆ, ରୁପୁଡ଼ି, ନାରଣପୁର, ନାହୋ, ଭୋଗପୁର, ଗୋପାଳସାହି, ଦେଉରିସାହି, ବାଲୋ ଶାସନ ଆଦି ଗ୍ରାମ ରହିଛି। ଏହି ନଦୀଟି ପ୍ରଥମେ ଏକ ସରୁ ଧାର ଦେଇ ଗତି କରୁଥିଲା। କାଳକ୍ରମେ ଏହା କୂଳ ଖାଇ ଏବେ ଓସାରିଆ ହୋଇଛି। ଏହି ନଦୀ ଏବେ ପାର୍ଶ୍ବସ୍ଥ ଚାଷଜମି ଆଡକୁ ମାଡି ଆସିବା ସହିତ ଏବେ ସଂପୃକ୍ତ ଗ୍ରାମଆଡକୁ ନଦୀ ମାଡି ଆସୁଛି।

ବର୍ଷା ଦିନରେ ବଢି ପାଣି କୂଳ ଲଙ୍ଘି ନଦୀକୂଳିଆ ଗ୍ରାମଗୁଡ଼ିକରେ ପଶି ଧନଜୀବନ ନଷ୍ଟ କରୁଥିବାରୁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ନଦୀର ବନ୍ୟା ଯୋଗୁଁ ଗୋରୁ ଗାଈ ଭାସିଯିବାର ନଜିର ରହିଛି। ବାରମ୍ବାର ଦାବୀ ସ‌େତ୍ତ୍ବ ପ୍ରଶାସନ ଦୃଷ୍ଟି ଦେଉନାହିଁ କି ଗ୍ରାମଗୁଡ଼ିକୁ ରକ୍ଷା କରିବା ନିମନ୍ତେ କୌଣସି ଦୀର୍ଘସ୍ଥାୟୀ ଯୋଜନା କରାଯାଇପାରୁ ନାହିଁ। ନଦୀ ସଂସ୍କାର ଯୋଜନାରେ କାଁ ଭାଁ କେତେବେଳେ କେମିତ ସାମାନ୍ୟ ମାଟି ପକାଯାଇ ନଦୀ କୂଳକୁ ସୁରକ୍ଷିତ କରାଯାଉଛି। ତେବେ ଗ୍ରାମଗୁଡ଼ିକ ନିକଟରେ କପାଳି ନଦୀର ଗାର୍ଡ଼ୱାଲ ନିର୍ମାଣ ହୋଇ ପାରିଲେ ନଦୀକୂଳିଆ ଗ୍ରାମ ଗୁଡ଼ିକର ଦୁଃଖ ଦୂର ହୋଇ ପାରନ୍ତା ବୋଲି ସଂପୃକ୍ତ ଗ୍ରାମର ଅଧିବାସୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର