ନୂଆପଡ଼ା/ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜନନେତା କପିଳ ନାରାୟଣ ତିଵାରୀ(୯୩ବର୍ଷ)ଙ୍କ ବୁଧବାର ଭୋର୍ ସମୟରେ ପରଲୋକ ହୋଇଯାଇଛି। ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି। ଏହାପରେ, ମରଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ପରେ ଖଡ଼ିଆଳସ୍ଥିତ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି । ପୁତୁରା ପଙ୍କଜ ତିୱାରୀ ମୁଖାଗ୍ନି ଦେଇଛନ୍ତି। ସ୍ବର୍ଗତ ତିୱାରୀ ତାଙ୍କ ପଛରେ ଦୁଇ ଝିଅ କରୁଣା ଓ ଅରୁଣାଙ୍କ ସହ ପରିବାରବର୍ଗଙ୍କୁ ଛାଡ଼ିଯାଇଛନ୍ତି।
ସ୍ବର୍ଗତ ତିୱାରୀ ୪ ଜୁନ୍ ୧୯୨୯ ମସିହାରେ ଖଡ଼ିଆଳରେ ଜନ୍ମଗ୍ରହଣ କରିଥିଲେ। ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାପରେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଛାତ୍ର ଜୀବନରେ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୧୯୬୫ ମସିହାରେ ସ୍ବର୍ଗତ କୃଷକ ନେତା କିଷନ ପଟ୍ଟନାୟକଙ୍କ ସହ ଅବିଭକ୍ତ କଳାହାଣ୍ଡି ଓ ନୂଆପଡ଼ା ମରୁଡ଼ିଜନିତ ସମସ୍ୟା ନେଇ ଉଚ୍ଚନ୍ୟାୟାଳୟରେ ନ୍ୟାୟ ପାଇଁ ଆବେଦନ କରିଥିଲେ। ଯାହାକି, ପରବର୍ତ୍ତୀ ସମୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ।
ନିଜର ରାଜନୈତିକ କାର୍ଯ୍ୟକଳାପ ସମୟରେ ସେ ଅର୍ଥାଭାବରୁ ଛୁଆବିକ୍ରି ଘଟଣା ଏବଂ ଅନାହାର ମୃତ୍ୟୁ ସମସ୍ୟାକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ସମାଜବାଦୀ ନେତା ଥିଲେ। ଶେଷ ସମୟରେ ମଧ୍ୟ ବହୁ ନେତା, ସମାଜସେବୀ, ସାମ୍ବାଦିକ ତାଙ୍କୁ ସାକ୍ଷାତ କରି ଦିଗ୍ଦର୍ଶନ ପାଉଥିଲେ। ତାଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲା ତଥା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଶୋକ ପ୍ରକାଶ କରିଛନ୍ତି।