ଗଜରାଜଙ୍କ ମୃତ୍ୟୁର ଦୂତ ‘ହର୍ପିସ୍‌’, କପିଳାସକୁ ନନ୍ଦନକାନନ ଭୟ

ଢେଙ୍କାନାଳ : ଅତି ମାରାତ୍ମକ ହର୍ପିସ୍‌ ଭୂତାଣୁ। ହାତୀଙ୍କ ପାଇଁ ମୃତ୍ୟୁର ଏ ଦୂତ ନନ୍ଦନକାନନରୁ ଚାରି ଚାରିଟା ଜୀବନ ନେଲା ପରେ ଏବେ ଭୂତାଣୁର ଛନକା ଢେଙ୍କାନାଳ ଜିଲ୍ଲାକୁ ଘାରିଲାଣି। କପିଳାସ ଚିଡ଼ିଆଖାନାର ହାତୀମାନଙ୍କ ଆଡ଼କୁ ଯଦିଓ ଏଯାବତ୍‌ ହର୍ପିସ୍‌ର କୌଣସି ଲକ୍ଷଣ ଘନେଇ ନାହିଁ, ତଥାପି ଭୂତାଣୁ ବ୍ୟାପିବା ଆଶଙ୍କାରେ କୌଣସି ଅନନ୍ୟୋପାୟ ନ ପାଇ ଚିଡିଆଖାନା କର୍ତୃପକ୍ଷ ଦେଶୀ ଚିକିତ୍ସା ସ୍ବରୂପ ଏବେ ହାତୀଙ୍କୁ ନିମ୍ବପତ୍ର ଏବଂ ଝୁଣାଧୂପ ଦିଆ ଚାଲିଛି।

ପ୍ରାପ୍ତ ସୂଚନା ମୁତାବକ, କପିଳାସ ଚିଡ଼ିଆଖାନାର ଏବେ ହାତୀ ସଂଖ୍ୟା ହେଉଛି ଚାରି। ସବୁଠାରୁ ବଡ଼ କାର୍ତ୍ତିକ। ବୟସ ୧୦ବର୍ଷ। ତା’ ତଳକୁ ଚନ୍ଦୁ ସାଢ଼େ ଆଠ ବର୍ଷର। ଉମା ୭ବର୍ଷର ହୋଇଥିବା ବେଳେ ସର୍ବକନିଷ୍ଠ ହିରୋକୁ ମାତ୍ର ଦୁଇ ବର୍ଷ। ରାଜା, ଗଣେଶ, ନନ୍ଦିନୀ ଭଳି ଆହୁରି ଅନେକ ହାତୀ ଛୁଆଙ୍କ ପାଇଁ କେଇଟା ବର୍ଷ ତଳେ ଗର୍ବିତ ଥିଲା କପିଳାସ। କିନ୍ତୁ, କପିଳାସର ପାହାଡ ତଳର ଅତ୍ୟଧିକ ଥଣ୍ତା ଅନେକ ହାତୀଙ୍କ ଜୀବନ ନେଇଛି। ଯେହେତୁ ହର୍ପିସ୍‌ର କୌଣସି ପ୍ରତିଷେଧକ ଟିକା ଏଯାବତ୍‌ ବାହାରି ନାହିଁ, ଦେଶୀ ଉପାୟରେ ଯାହା କିଛି ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି। ହାତୀଶାଳରେ ଏବେ ନିମ୍ବପତ୍ର ଏବଂ ଝୁଣାର ଧୂପ ଆମେ ଦେଉଛୁ ବୋଲି ଚିଡିଆଖାନାର ରେଞ୍ଜର ଦର୍ଶନୀୟା ଭୋଇ କହିଛନ୍ତି। ଆମର ଏଠି ତ ସ୍ବତନ୍ତ୍ର ଡାକ୍ତର ବ୍ୟବସ୍ଥା ନାହିଁ। ଚିକିତ୍ସା କଥା ଉଠିଲେ ଆମେ ସ୍ଥାନୀୟ ଭିଏଏସ୍‌ଙ୍କ ଉପରେ ନିର୍ଭର କରୁଛୁ। ବର୍ତ୍ତମାନ ସୁଦ୍ଧା ହାତୀଙ୍କଠାରେ ରୋଗର କୌଣସି ଲକ୍ଷଣ ଆମେ ଦେଖି ପାରିନାହୁଁ।

ସମ୍ବନ୍ଧିତ ଖବର