ପୁରୀ: ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନ ମିଳିଛି। ଉକ୍ତ ଗ୍ରାମର ସୋମନାଥ ମନ୍ଦିର ନିକଟସ୍ଥ ସଂଗ୍ରହାଳୟରୁ ଅଭିଲେଖ ସମ୍ବଳିତ ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତିର ସନ୍ଧାନ କରାଯାଇଛି। ୨୨ ଜଣ ଚରିତ୍ରଙ୍କୁ ନେଇ ରହିଥିବା ଶିଳା ମୂର୍ତ୍ତିରେ ‘ଏକ ଧାଡ଼ିଆ’ ଶିଳାଲେଖ ଚିହ୍ନଟ ପରେ ଏହାର ପାଠୋଦ୍ଧାର କରାଯାଇଛି। ଓଡ଼ିଶୀ ସଂଗୀତ ଓ ସଂସ୍କୃତି ଗବେଷକ ପ୍ରତୀକ ପଟ୍ଟନାୟକ ଏହି ମୂର୍ତ୍ତି ସମୂହ ମଧ୍ୟରେ ଶିଳାଲେଖ ଚିହ୍ନଟ କରିଥିଲେ। ଏହା ପାଠୋଦ୍ଧାର ଉଦ୍ଦେଶ୍ୟରେ ସେ ପାରଳାଖେମୁଣ୍ଡିର ଲିପିତତ୍ତ୍ବ ଗବେଷକ ବିଷ୍ଣୁମୋହନ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ। ସୂଚନା ମୁତାବକ ଉକ୍ତ ଶିଳାଲେଖର ଧାଡ଼ିକିଆ ବାକ୍ୟଟି ହେଉଛି ‘ଏଠାର ଠାକୁରେ ଅବକାଶ ବିଜେ କରି ଅଛତି’।  ଶ୍ରୀ ଅଧିକାରୀଙ୍କ କହିବା ମୁତାବକ, ‘ଏଠାର ଠାକୁର’ର ଅର୍ଥ ସ୍ବୟଂ ଗଜପତି କପିଳେନ୍ଦ୍ର ଦେବଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଗଜପତି ଭ୍ରମଣକାଳୀନ ବିଶ୍ରାମ ନେବା ସ୍ଥିତିରେ ବସିଛନ୍ତି। ଗଜପତିଙ୍କ ନିକଟରେ କିଛି ମୂର୍ତ୍ତି ସେବା ଦେବା ମୁଦ୍ରାରେ ଡମ୍ବରୁ ଆସନରେ ବସିଥିବା ଚିତ୍ରରୁ ସ୍ପଷ୍ଟ ହେଉଛି। ଗଜପତିଙ୍କ ନିକଟରେ ଥିବା ବ୍ୟକ୍ତିବିଶେଷମାନେ ସେବା ଦେଉଥିବା ପାର୍ଷଦ ବୋଲି ସେ କହିଛନ୍ତି।

Advertisment

ରାଜାଙ୍କ ଅବକାଶ ସମୟରେ କିଏ ତାମ୍ବୁଳ, ପିକଦାନି ସେବା କରୁଛନ୍ତି। ଅନ୍ୟ କେହି ଛତ୍ର ଚାମର ସେବା ଭେଟି ଦେଉଛନ୍ତି। ଉତ୍କଳୀୟ ସଂସ୍କୃତିରେ ଗଜପତି ସ୍ବୟଂ ଠାକୁର ରୂପେ ବିବେଚିତ ହେବାର ଏହା ପ୍ରତ୍ୟକ୍ଷ ପ୍ରମାଣ ବୋଲି ସେ କହିଛନ୍ତି। ପ୍ରତୀକଙ୍କ କହିବା ଅନୁଯାୟୀ, ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଏହିପରି ଆଉ ଏକ ମୂର୍ତ୍ତି ଭୁବନେଶ୍ୱରସ୍ଥିତ କପାଳୀ ମଠ ଗାତ୍ରରେ ଖୋଦିତ ହୋଇଛି। ଏହା ରଣସୂର ମହାସେନାପତି କପିଳେନ୍ଦ୍ର ଦେବଙ୍କ ୧୨ ଅଙ୍କରେ ଦେଇଥିବା ବିଷ୍ଣୁମୋହନ କହିଛନ୍ତି। ଐତିହାସିକଙ୍କ ମତରେ ଦେଉଳଟି ଗଙ୍ଗବଂଶୀୟ ରାଜନ୍ୟବର୍ଗଙ୍କ ଦ୍ୱାରା ଚତୁର୍ଦ୍ଦଶ  ଶତାବ୍ଦୀରେ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତା ଲାଭ କରିଥିଲା। ଏହି ସ୍ଥାନରେ ସର୍ବମୋଟ ୪ଟି କପିଳେନ୍ଦ୍ର ଦେବଙ୍କ ମୂର୍ତ୍ତି ରହିଥିଲା। ତେବେ ଗଜପତିଙ୍କ ମୂର୍ତ୍ତି ସମ୍ବଳିତ ଶିଳାଲେଖ ମାତ୍ର ଗୋଟିଏ ରହିଛି। ମୂର୍ତ୍ତିଟି ଓଡ଼ିଶାରେ ଅନ୍ୟତ୍ର ମିଳୁଥିବା କପିଳେନ୍ଦ୍ର ଦେବଙ୍କ ଅବିକଳ ମୂର୍ତ୍ତି ଭଳି ହୋଇଛି। ଏହା ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଅଭିଷେକ ନିକଟ ସମୟର ବୋଲି ଉଭୟ ଗବେଷକ ମତ ଦେଇଛନ୍ତି। ଏଯାବତ୍ ପୁରୀ ଶ୍ରୀମନ୍ଦିରରୁ କପିଳେନ୍ଦ୍ର ଦେବଙ୍କ ୫ଟି ଶିଳାଲେଖ ପ୍ରାପ୍ତ ହୋଇସାରିଛି। ଏହା  ଷଷ୍ଠ ଅଭିଲେଖ ସମ୍ବଳିତ ବିରଳ ବିଗ୍ରହ ବୋଲି ସେ କହିଛନ୍ତି।