ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର

ଭୁବନେଶ୍ବର: ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟର୍‌ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର ଉଦ୍ଧାରକାରୀ ସେର୍ପା ଦଳ ଠାବ କରିଛନ୍ତି। ବାଲକୋନି ଅଞ୍ଚଳରୁ ଆଣି ଏବେ ତାଙ୍କ ପାର୍ଥିବ ଶରୀରକୁ କ୍ୟାମ୍ପ୍‌-୪ରେ ରଖାଯାଇଛି। ଓଡ଼ିଶା ପହଁଚିବାକୁ ଆଉ ଦୁଇ-ତିନି ଦିନ ଲାଗିବ ବୋଲି ସୂଚନା ମିଳିଛି।

କଳ୍ପନାଙ୍କ ମରଶରୀର ଠାବ ହେଲା

ଭୁବନେଶ୍ବର: ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟର୍‌ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର ଉଦ୍ଧାରକାରୀ ସେର୍ପା ଦଳ ଠାବ କରିଛନ୍ତି। ବାଲକୋନି ଅଞ୍ଚଳରୁ ଆଣି ଏବେ ତାଙ୍କ ପାର୍ଥିବ ଶରୀରକୁ କ୍ୟାମ୍ପ୍‌-୪ରେ ରଖାଯାଇଛି। ସେଠାରେ ରହିଥିବା ଔପଚାରିକତା ଶେଷ ହେବା ପରେ ଲୁକଲାସ୍ଥିତ ବେସ୍‌ କ୍ୟାମ୍ପ୍‌କୁ ଅଣାଯିବ। ସେଠାରୁ ବିମାନ ଯୋଗେ କାଠମାଣ୍ଡୁ ଅଣାଯିବ। ‘ସେର୍ପାମାନେ ଥକି ପଡ଼ିଥିବାରୁ ମଙ୍ଗଳବାର ବିଶ୍ରାମ ନେଉଛନ୍ତି। ରାତିରୁ ପୁଣି ଶବ ଖସାଇବା କାମ ପୁନଃ ଆରମ୍ଭ କରିବେ, ବୁଧବାର ଅପରାହ୍ନ ୩ କିମ୍ବା ୪ ସୁଦ୍ଧା ଶରୀର ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିପାରିଲେ ସେଠାରେ ପୁଲିସ ଔପଚାରିକତା ସମ୍ପନ୍ନ ହେବ ଏବଂ କାଠମାଣ୍ଡୁ ବିମାନ ଯୋଗେ ଅଣାଯିବ। ଏହା ପରେ ମେଡିକାଲ ପ୍ରକ୍ରିୟା ମଧ୍ୟ ରହିଛି।‌‌ ମୋଟ ଉପରେ ଅନ୍ୟୁନ ୨/୩ ଦିନ ଲାଗିଯିବ’ ବୋଲି କାଠମାଣ୍ଡୁ ଗସ୍ତ କରିଥିବା ୩ ଜଣିଆ ଓଡ଼ିଶା ଦଳର ସଦସ୍ୟ ରଂଜିତ କର୍ମି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଗସ୍ତ କରିଥିବା ଏହି ଦଳରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ମଧ୍ୟ ସାମିଲ ରହିଛନ୍ତି। ମରଶରୀର ଏଭେରେଷ୍ଟ୍‌ର ପାଖାପାଖି ୮,୬୦୦ ମିଟର ଉଚ୍ଚତାରେ ରହିଥିଲା। ତାଙ୍କୁ ଠାବ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ରାଜ୍ୟ ସରକାର କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ‌ ଲେଖିଥିଲେ। ଯେଉଁ ସଂସ୍ଥା (ସେଫର୍ଡ) କଳ୍ପନାଙ୍କ ଏଭେରେଷ୍ଟ୍ ଆରୋହଣ ଦାୟିତ୍ବ ନେଇଥିଲା ତାକୁ ହିଁ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର ଦାୟିତ୍ବ ଦିଆଯାଇଛି। ସଂସ୍ଥା ପକ୍ଷରୁ ଏକ ୧୦ ଜଣିଆ ସେର୍ପା ଦଳ ଶରୀର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୨୦୦୪ ଏବଂ ୨୦୦୬ରେ ବିଫଳ ହେବା ପରେ ୨୦୦୮ରେ ନିଜ ତୃତୀୟ ପ୍ରୟାସରେ ଏଭେରେଷ୍ଟ ଆରୋହଣ କରି ନୂଆ ଇତିହାସ ରଚିଥିଲେ କଳ୍ପନା। କିନ୍ତୁ ପ୍ରଥମ ଭାରତୀୟ ମହିଳା ଭାବେ ଶାଢ଼ୀ ପରିଧାନ କରି ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ଗତ ଗୁରୁବାର ଏଭେରେଷ୍ଟ୍‌ର ବାଲକୋନି ଅଞ୍ଚଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବୟସ ୫୩ ଏବଂ ଅସୁସ୍ଥତା ସତ୍ତ୍ବେ କଳ୍ପନା ନିଜ ଦୃଢ଼ମନା ଚରିତ୍ର ପାଇଁ ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର ବିରଳ କୀର୍ତିମାନ ପ୍ରତିଷ୍ଠା କରି ସାରିଥିଲେ।

ସମ୍ବନ୍ଧିତ ଖବର