କରଙ୍ଗାମାଳ ପେକ୍ସ, ସାର ଦରକୁ ନେଇ ‌ତାତିଲେ ଚାଷୀ

କରଙ୍ଗାମାଳ / ବୋଡ଼େନ: କରଙ୍ଗାମାଳ ପେକ୍ସରେ ସାର ଦରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବୋଡେନ ଅତିରିକ୍ତ ତହସିଲଦାର ଜୟସନ ଧରୁଆ ସହିତ ବୋଡେନ ପୁଲିସ ପହଞ୍ଚି ଉତ୍ତେଜନା ନିୟନ୍ତ୍ରଣ କରିଥିଲେ ଏବଂ ଚାଷୀଙ୍କୁ ବୁଝାଇଥିଲେ। ସମାଧାନ ହେଲେ ସାର ଦେବାକୁ କହିଥିଲେ। ଏହି ପେକ୍ସରେ ଲର୍କା, ବାବେବିର, ରୋକାଲ, କରଙ୍ଗାମାଳ ଆଦି ପଞ୍ଚାୟତର ୩୦ଟି ଗ୍ରାମର ଚାଷୀ ନିର୍ଭର କରନ୍ତି।

ସାର ନେବା ପାଇଁ ଚାଷୀଙ୍କ ଭିଡ଼ ଜମିଥିଲା। ଡିଏପି ସାର ୧୪୦୦ ଟଙ୍କାରେ ଦେବାକୁ ଦାବି କରିଥିଲେ। ପୂର୍ବ ଥର ଅପେକ୍ଷା ଏଥର ଅଧିକା ଦର ଦେଇ ଆଣିଥିବା କହିଥିଲେ ପେକ୍ସ ସମ୍ପାଦକ ପଦ୍ମ ଲୋଚନ ବାଗ। ଗତ ୧୩ ତାରିଖ ଦିନ ୧୮୪୩ ଡିଏପି ୧୫୦ କ୍ବିଣ୍ଟାଲ ୧୩୮୦ ଟଙ୍କାରେ ବିକ୍ରି କରାଯାଇଥିଲା। ରବିବାର ଆସିଥିବା ଡିଏପି ପିପିଏଲ ୨୦୨୦୦୧୩ ଡିଏପି ୨୫୦ କ୍ବିଣ୍ଟାଲ ଅଣାଯାଇଛି। ଏହାର କିଣାଦର ୧୪୮୦ ଟଙ୍କା ଓ ୨୦ ଟଙ୍କା ନେବା ଆଣିବା ଏବଂ ଲୋଡ ଅନଲୋଡ ବାବଦକୁ ମିସସାଇ ୧୫୦୦ ଟଙ୍କାରେ ବିକ୍ରି କରୁଥିବା ସମ୍ପାଦକ ଶ୍ରୀ ବାଗ କହିଥିଲେ। ଚାଷୀ ୧୪୦୦ ଟଙ୍କାରେ ଦେବାକୁ ଦାବି କରିଥିଲେ ମାତ୍ର ପେକ୍ସ ସମ୍ପାଦକ ମନା କରିବାରୁ ଏହି ଉତ୍ତେଜନା ପ୍ରକାଶ ପାଇଥିଲା। ଚାଷୀ ବୁଝିବା ପରେ ମଙ୍ଗଳବାର ସାର ଦିଆଯିବ ବୋଲି ସମ୍ପାଦକ କହିଛନ୍ତି। ଏହି ସମୟରେ ପେକ୍ସ ସଭାପତି ମନୋରଞ୍ଜନ ବେହେରା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର