କରଞ୍ଜିଆ ବିଧାନସଭା କ୍ଷେତ୍ର: ବିଜେଡିରୁ ବାସନ୍ତୀ ନା ବିଜୟ?

ସବୁ ଦଳରୁ ଏକାଧିକ ଆଶାୟୀ

ସିଙ୍ଗଡ଼ା: ରାଜନୈତିକ ଦୃଷ୍ଟିକୋଣରୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା କ୍ଷେତ୍ର ବେଶ ଗୁରୁତ୍ବପୂର୍ଣ୍ଣ। ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆସନରୁ ବିଜେଡି କ୍ରମାଗତ ୪ଥର ବିଜୟୀ ହେଲାଣି। ୨୦୦୪ ନିର୍ବାଚନରେ ଅଜିତ ହେମ୍ବ୍ରମ୍‌, ୨୦୦୯ ଓ ୨୦୧୪ରେ ବିଜୟ ନାଏକ, ୨୦୧୯ରେ ବାସନ୍ତୀ ହେମ୍ବ୍ରମ୍‌ ଦଳୀୟ ବ୍ୟାନରରେ ବିଜୟୀ ହୋଇଥିବା ବେଳେ ୨୦୨୪ରେ ଏଠାରୁ କିଏ ଟିକେଟ୍‌ ପାଇବ, ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏହାଛଡ଼ା ବିଜେପି ଓ କଂଗ୍ରେସରୁ ମଧ୍ୟ ଏକାଧିକ ଆଶାୟୀ ଥିବାରୁ ଏଥର ନିର୍ବାଚନ ବେଶ ରୋଚକ ହେବ ବୋଲି କୁହାଯାଉଛି।

କରଞ୍ଜିଆରୁ କ୍ରମାଗତ ୨ଥର ବିଧାୟକ ହୋଇଥିବା ବିଜୟ ନାଏକଙ୍କୁ ୨୦୧୯ ନିର୍ବାଚନରେ ଆଉ ସୁଯୋଗ ମିଳି ନଥିଲା। ତାଙ୍କ ଜାଗାରେ ଶୁକୃଳି ବ୍ଲକ୍‌ରୁ ଦୁଇଥର ଅଧ୍ୟକ୍ଷା ହୋଇଥିବା ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ଭରସା କରିଥିଲା ଦଳ। ବାସନ୍ତୀଙ୍କୁ ୬୦,୦୬୪ ଭୋଟ୍‌ ମିଳିଥିବା ବେଳେ ବିଜେପିର ପଦ୍ମଚରଣ ହାଇବୁରୁଙ୍କୁ ୫୧,୩୦୧ ଭୋଟ୍‌ ଓ କଂଗ୍ରେସ ପ୍ରାର୍ଥୀ ସୁଦାମ ଚରଣ ନାଏକଙ୍କୁ ମିଳିଥିଲା ୧୦,୮୪୦ ଭୋଟ୍‌। ବାସନ୍ତୀ ହେମ୍ବ୍ରମ୍‌ ଏବେ ମହିଳା, ଶିଶୁ ବିକାଶ ଓ ମିସନ୍‌ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଏଠାରୁ ନିର୍ବାଚନ ଲଢ଼ିବାକୁ ସେ ପୁଣି ଆଶାୟୀ ଥିବାବେଳେ ଗତ ନିର୍ବାଚନରେ ଦଳୀୟ ଟିକେଟରୁ ବାଦ୍ ପଡ଼ିଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ବ୍ରଜକିଶୋର ନାଏକ, ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌ଙ୍କ ନଣନ୍ଦ ରୁକ୍ମିଣୀ ହେମ୍ବ୍ରମ୍‌, ଠାକୁରମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା, ପୂର୍ବତନ କରଞ୍ଜିଆ ବ୍ଲକ୍‌ ଅଧ୍ୟକ୍ଷ ହରିଶ ନାୟକ ମଧ୍ୟ ଟିକେଟ୍‌ ଦୌଡ଼ରେ ରହିଛନ୍ତି। ତେବେ ଜିଲ୍ଲାରେ ବିଜେପିର ଆଧିପତ୍ୟ ଥିବାରୁ କେବଳ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଏଥର ଅଗ୍ରାଧିକାର ଦେବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ, ଗଲାଥର ଭଳି ବିଜେଡି ମହିଳା କାର୍ଡ ମଧ୍ୟ ଖେଳିବାର ସମ୍ଭାବନା ରହିଛି।

ବିଜେପିରେ ମଧ୍ୟ ଏକାଧିକ ଟିକେଟ୍‌ ଦାବିଦାର ଅଛନ୍ତି। ଗତ ନିର୍ବାଚନରେ ପୂର୍ବତନ ବିଧାୟକ ପଦ୍ମଚରଣ କଡ଼ା ପ୍ରତିଦ୍ବନ୍ଦ୍ବିତା କରି ବିଜେଡି ପ୍ରାର୍ଥିନୀଙ୍କଠାରୁ ହାରିଯାଇଥିଲେ। ଦଳୀୟ ସଙ୍ଗଠନରେ ତାଙ୍କର ଭଲ ପ୍ରଭାବ ଥିବାରୁ ଏଥର ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ। ତାଙ୍କ ଛଡ଼ା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୁଗଳ କିଶୋର ନାଏକ, ବରିଷ୍ଠ ନାରୀନେତ୍ରୀ ପୁଷ୍ପାଞ୍ଜଳି ସିଦ୍ଧୁଙ୍କ ନାଁ ମଧ୍ୟ ଆଲୋଚନା ପ୍ରସଙ୍ଗକୁ ଆସୁଛି। ତେବେ ବିଜେଡିକୁ ଚେକ୍ ଦେବାପାଇଁ ଦଳ ନୂଆ ରଣନୀତିକୁ ଆପଣାଇବାର ସମ୍ଭାବନା ରହିଛି। ସେହିପରି, କଂଗ୍ରେସରୁ ଅବସରପ୍ରାପ୍ତ ଶିକ୍ଷକ ଅଖିଳ ନାୟକ, ଶରତଚନ୍ଦ୍ର ମଲ୍ଲିକ, କିଶୁନ ସୋରେନ୍, ବ୍ରହ୍ମାନନ୍ଦ ଦେହୁରୀ, ଜବାମଣି ଟୁଡୁ ପ୍ରମୁଖ ଆଶାୟୀ ଅଛନ୍ତି। ଏହାଛଡ଼ା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ପଦ୍ମଲୋଚନ ଟୁଡୁ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଥିବା ବେଳେ ଏସ୍‌ୟୁସିଆଇ ମଧ୍ୟ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି। ଏହି ଚର୍ଚ୍ଚା ଭିତରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଦ୍ବାରା ଗଠିତ ସନାସେନା ମଧ୍ୟ କରଞ୍ଜିଆରେ ପ୍ରାର୍ଥୀ ଦେବ ବୋଲି ଶୁଣିବାକୁ ମିଳୁଛି, ଯଦିଓ ଏହାର ସତ୍ୟତା ବାବଦରେ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର