କରଞ୍ଜିଆ : ଗୋଟିଏ କି ଦୁଇଟି ନୁହେଁ, ମାଳମାଳ ହାତୀ। ସକାଳୁଠୁ ସଞ୍ଜ ଯାଏ ଲୋକେ ନାକେଦମ୍। ରାତିରେ ବି ନିସ୍ତାର ନାହିଁ। କେତେବେଳେ ବିଲରେ ପଶି ଧାନଫସଲ ଖାଇ ଯାଉଛନ୍ତି ତ ଆଉ କେଉଁଠି ଘରଦ୍ବାର ଭାଙ୍ଗି ପକାଉଛନ୍ତି। ପାଖରେ ଶିମିଳିପାଳ ଅଭୟାରଣ୍ୟ, ସେପଟେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଜ ଜଙ୍ଗଲ। ହାତୀପଲଙ୍କ ଉପଦ୍ରବରେ କିଲିବିଲି ହୋଇଗଲେଣି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡବାସୀ। ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ସରକାରୀ ବଡ଼ପଣ୍ଡାଙ୍କ ଯାଏ ଗୁହାରି କରି ଥକି ଗଲେଣି। ତଥାପି କାହାରି ନିଦ ଭାଙ୍ଗୁନି। ଏମିତି ସମୟରେ ଜନ ଆକ୍ରୋଶର ଶିକାର ହୋଇଛନ୍ତି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍। ହାତୀ ଉପଦ୍ରବ ଯୋଗୁଁ ଚାଷବାସ କେମିତି ଉଜୁଡିଯାଉଛି, ଲୋକେ କେମିତି ଦହଗଞ୍ଜ ହେଉଛନ୍ତି; ତାକୁ ଦେଖାଇବା ପାଇଁ ବିଧାୟିକାଙ୍କୁ ଶୁକ୍ରବାର ୭ କିଲୋମିଟର ବାଟ ଚଲାଇଛନ୍ତି ଗ୍ରାମବାସୀ।
ଶିମିଳିପାଳ ଓ ଝାଡ଼ଖଣ୍ଡରୁ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜକୁ ପଳାଇ ଆସିଥିବା ୨୩ଟି ହାତୀ ଆଉ ଜଙ୍ଗଲକୁ ଫେରିବାର ନାଁ ଗନ୍ଧ ଧରୁନାହାନ୍ତି। ହାତୀପଲ କରଞ୍ଜିଆ ଉପଖଣ୍ଡର କୁଁଜିଆ, ବିଉଁରିଆ, ନାକୁଡ଼ା, କାଦମଡ଼କ, ମତା ଆଦି ଗାଁରେ ଭୀଷଣ ଉପଦ୍ରବ ଚଳାଇଛନ୍ତି। ଘରଦ୍ବାର ଭାଙ୍ଗିବା ସହ ଫସଲ ଖାଇଯାଉଛନ୍ତି ଓ ନଷ୍ଟ କରୁଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଅନେକଥର ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ୍, ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗ ଅଧିକାରୀଙ୍କୁ ଅବଗତ କରିବା ସହ ପ୍ରତିକାର ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳି ନଥିଲା। ଏହିସବୁ ଗ୍ରାମର ଶତାଧିକ ଲୋକ ଆଜି ଦୁଧିଆଣି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। କରଞ୍ଜିଆ ଏସିଏଫ୍ ଦିଗନ୍ତ ଶୋଭନ ଚାନ୍ଦ ଓ ଦୁଧିଆଣି ରେଞ୍ଜର ସରୋଜ କୁମାର ପଣ୍ଡା ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥିତି ଥଣ୍ଡା ପଡ଼ି ଆସୁଥିବାବେଳେ ଏହି ସମୟରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଦେଖି ଲୋକମାନେ ଘେରିଯିବା ସହ ହାତୀ ଉପଦ୍ରବର ପ୍ରତିକାର ପାଇଁ କ’ଣ କରିଛନ୍ତି ବୋଲି ପଚାରିଥିଲେ। ଏମିତିକି କାଦମଡ଼କ ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ବିଧାୟିକା ଆକ୍ତାମାକ୍ତା ହୋଇ ଯାଇଥିଲେ। ନିଜ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଦେଖାଇବା ପାଇଁ ତାଙ୍କୁ ଗାଁ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ କରିଥିଲେ। ଫଳରେ କିଛି ଉପାୟ ନ ପାଇ ବିଧାୟିକା ଗ୍ରାମବାସୀଙ୍କ ସହ ୭ କିଲୋମିଟର ରାସ୍ତା ଚାଲିଚାଲି ଗାଁ ପର୍ଯ୍ୟନ୍ତ ଯାଇଥିଲେ। ବିଧାୟିକାଙ୍କ ସହ ବନ ବିଭାଗ ଏସିଏଫ୍ ଶ୍ରୀ ଚାନ୍ଦ ମଧ୍ୟ ରହିଥିଲେ।
ତେବେ ଏ ସମ୍ପର୍କରେ ବିଧାୟିକା ଶ୍ରୀମତୀ ହେମ୍ବ୍ରମ୍ଙ୍କୁ ପଚରାଯିବାରୁ ସେ ଘଟଣାକୁ ସ୍ବୀକାର କରିଥିଲେ। କିନ୍ତୁ ତାଙ୍କୁ କେହି ଗାଁ ଯାଏ ଚାଲିଚାଲି ଯିବାକୁ ବାଧ୍ୟ କରିନାହାନ୍ତି, ବରଂ ସେ ନିଜେ ଗ୍ରାମବାସୀଙ୍କ ସହ ଗ୍ରାମକୁ ଯାଇ ସ୍ଥିତି ପରଖିବାକୁ ଇଚ୍ଛା କରିଥିଲେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/karanjia-ff.jpg)