କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଆର୍ଆଇ ଜଣେ ବ୍ୟକ୍ତିଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।
ସୂଚନାନୁସାରେ କର୍ଲାମୁଣ୍ଡାର ବିରଞ୍ଚି ଚୌଧୁରୀ ତାଙ୍କ ଜମିର ଡିମାରକେସନ୍ ଓ ସ୍କେଚ୍ ମ୍ୟାପ୍ କରି ଦେବା ପାଇଁ ବାରମ୍ବାର ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ, ଏଥିପାଇଁ ରାଜସ୍ବ ନିରୀକ୍ଷକ ବରାଳ ଟଙ୍କା ଦାବି କରିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଶ୍ରୀ ଚୌଧୁରୀ ଆଜି ଆର୍ଆଇଙ୍କୁ ୨ ହଜାର ଟଙ୍କା ଦେବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କଠାରୁ ୨ ହଜାର ଟଙ୍କା ଜବତ କରିଥିଲେ। ଏ ନେଇ ଭିଜିଲାନ୍ସ ଟିମ୍ ଏକ ମାମଲା ରୁଜୁ କରିବା ସହ ଆର୍ଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ରାଜେଶ ନାଏକ, ଶିବ ପ୍ରସାଦ ପଧାନ, ଗୁଣନିଧି ସାହୁ, ବ୍ରହ୍ମାନନ୍ଦ ପଣ୍ଡା, ସନ୍ତୋଷ ମହାନ୍ତି ଏହି ଚଢ଼ଉରେ ସାମିଲ ହୋଇଥିଲେ।