ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ମାଲକାନଗିରି: ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ  ସହାୟତାର ହାତ ବଢ଼ାଇଛି। ବଣ୍ଡା ମେଧାବୀ ଛାତ୍ରୀ ଦିନ ମଜୁରିଆ ଭାବେ କାମ କରୁ ଥିବା ଖବର ପ୍ରସାରଣ ପରେ ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କ ନିକଟରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ମଂଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ତଥା ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବିଶେଷ କରି କର୍ମା ଯୁକ୍ତ ୨ ବାଣିଜ୍ୟରେ ଜିଲ୍ଲା ଟପର ହେବା ପରେ କଣ ସବୁ ସରକାରୀ ସହାୟତା ପାଇଛନ୍ତି, ମୁଦୁଲିପଡ଼ା ପଡେଇଗୁଡା ଗାଁରେ ରହୁ ଥିବା ତାଙ୍କ ପିତାମାତା ପେନସନ ଆଦି ପାଉଛନ୍ତି ନା ନାହିଁ ଏବଂ କେଉଁ ପରିସ୍ଥିତିରେ କର୍ମା ଦିନ ମଜୁରିଆ ହୋଇ ମାଲକାନଗିରି ସଦର ମହକୁମାରେ ମୁଲ ଲାଗୁଛନ୍ତି, ତାହା ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିଛନ୍ତି ଡିବ୍ଲୁଓ ଓ ଡବ୍ଲୁ. ଇ. ଓ। ତେବେ କର୍ମାଙ୍କୁ ଭୁବନେଶ୍ବର ହଷ୍ଟେଲରେ ରହି ପାଠ ପଢିବାକୁ ଅତିକମରେ ମାସିକ ୩୦୦୦ ଟଙ୍କା ଆବଶ୍ୟକ ପଡୁଛି । ତେଣୁ ସେ ଖରା ଛୁଟିରେ ଘରକୁ ଆସି ମୁଲ ଲାଗି ଟଙ୍କା ରୋଜଗାର କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କର୍ମାଙ୍କୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକି ତାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କର୍ମାଙ୍କୁ ଖୁବ ଶୀଘ୍ର ଲ୍ୟାପଟପ୍ ଯୋଗାଇ ଦିଆଯିବ ବୋଲି ବି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ମଂଗଳ ଅଧିକାରୀ।

 

 

ସମ୍ବନ୍ଧିତ ଖବର