ଭୁବନେଶ୍ୱର: କର୍ଣ୍ଣାଟକରେ ଥିବା ଓଡ଼ିଆମାନେ ଭୟଭୀତ ହୁଅନ୍ତୁ ନାହିଁ । ଏଠାରେ ଥିବା ସମସ୍ତ ଓଡ଼ିଆଙ୍କ ପାଇଁ କର୍ଣ୍ଣାଟକ ସରକାର ବ୍ୟବସ୍ଥା କରୁଛନ୍ତି । ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମ କରନ୍ତୁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ଭାସ୍କର ରାଓ ପରାମର୍ଶ ଦେଇଛନ୍ତି । ପୁଲିସ କମିସନର ଶ୍ରୀ ରାଓ କହିଛନ୍ତି, ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ବହୁତ ରହିଛି । ଓଡ଼ିଶା ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଲୋଚନା କରିଛନ୍ତି ।
ପୁଲିସ କମିସନର ଶ୍ରୀ ରାଓ କହିଛନ୍ତି, କର୍ଣ୍ଣାଟକରେ ସମସ୍ତ ପ୍ରକାର କାମ ଆରମ୍ଭ ହୋଇଯାଇଛି । ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମରେ ଯୋଗଦିଅନ୍ତୁ । ଏଠାରେ ଥିବା ସମସ୍ତ ଓଡ଼ିଆମାନଙ୍କ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଓଡ଼ିଆମାନେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସ୍ଥାନୀୟ ଥାନା ସହ ଯୋଗାଯୋଗ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟନ କର୍ଣ୍ଣଟକ ବିଏସ୍ ୟେଦୁରପ୍ପା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହିତ ଭିଡିଓ ବାର୍ତ୍ତା ଜରିଆରେ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ କଥା ହୋଇଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ମଧ୍ୟ ଭିଡିଓ ବାର୍ତ୍ତା ଜରିଆରେ କଥା ହୋଇଥିଲେ ।