ରାୟଗଡ଼ାରେ ପ୍ରଥମ ମୁଣ୍ଡ ନେଲା କରୋନା, ଆଖି ବୁଜିଲେ ୮୦ ବର୍ଷୀୟ ବୃଦ୍ଧ

ସଂପର୍କୀୟଙ୍କ ଘରକୁ ସିଲ୍ କଲା ପ୍ରଶାସନ
ଡାକ୍ତରଙ୍କ ସମେତ ଆମ୍ବୁଲାନସ୍ ଡ୍ରାଇଭର କ୍ୱାରାଣ୍ଟିନରେ
ଶେଷକୃତ୍ୟରେ ସାମିଲ୍ ହୋଇଛନ୍ତି ସଂପର୍କୀୟ

ରାୟଗଡ଼ା : ରାୟଗଡ଼ାରେ ପ୍ରଥମ ମୁଣ୍ଡ ନେଇଛି କରୋନା। ଆଖି ବୁଜିଛନ୍ତି ୮୦ ବର୍ଷୀୟ ବୃଦ୍ଧ। ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାରୁ ଚିକିତ୍ସା କରିଥିବା ଡାକ୍ତର, ହସପିଟାଲ୍ କର୍ମଚାରୀ ଓ ପରିବାର ଲୋକଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ମୃତ୍ୟୁ ପରେ ପରିବାର ଲୋକ ବୃଦ୍ଧଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ଶେଷକୃତ୍ୟ କରିଥିବାରୁ ବଢ଼ିଛି ପ୍ରଶାସନର ମୁଣ୍ଡବ୍ୟଥା। ତେବେ ବୃଦ୍ଧଙ୍କ ଚିକିତ୍ସା ସମୟରେ ଡାକ୍ତର ମାସ୍କ, ଗ୍ଲୋବ ଓ ପିପିଇ କିଟ୍ ପିନ୍ଧି ଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ।

ଜୁନ୍ ୨୫ ତାରିଖରେ ବୃଦ୍ଧ ଜଣଙ୍କ ରାୟଗଡ଼ା ସାଇପ୍ରିୟା ନଗରରେ ରହୁଥିବା ସଂପର୍କୀୟଙ୍କ ଘରକୁ ଆସିଥିଲେ। ଜୁନ୍ ୩୦ ତାରିଖରେ ଅସୁସ୍ଥ ଅନୁଭବ କରିବା ପରେ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡା. ଡି. କେ. ଦେବ ବୃଦ୍ଧଙ୍କ ଚିକିତ୍ସା କରିଥିଲେ। ବୃଦ୍ଧ ଜଣଙ୍କ ଗଞ୍ଜାମରୁ ଆସିଥିବା ଏବଂ ଭୀଷଣ ଜ୍ୱର ସହ ଥଣ୍ଡା, କାଶ ସହ ଅନ୍ୟ ରୋଗରେ ପୀଡ଼ିତ ଥିବାରୁ ସନ୍ଦେହରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୃଦ୍ଧଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟା ସାଢ଼େ ୫ଟାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ରାତି ସାଢ଼େ ୯ଟାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୃତଦେହ ହସ୍ତାନ୍ତର ପରେ ସଂପର୍କୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନସରେ ବୃଦ୍ଧଙ୍କୁ ଗଞ୍ଜାମ ନେଇ ଜନ୍ମମାଟିରେ ଶେଷକୃତ୍ୟ କରାଯାଇଥିଲା। ମୃତ୍ୟୁର ୬ ଦିନ ପରେ ପରୀକ୍ଷା ପାଇଁ ଭୁବନେଶ୍ୱର ଆରଏମଆରସିକୁ ଯାଇଥିବା ମୃତ ବୃଦ୍ଧଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ହଡ଼ବଡେଇ ଯିବା ସହ ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ହସପିଟାଲ୍ କର୍ମଚାରୀ, ସଂପର୍କୀୟ, ଆମ୍ବୁଲାନସ୍ ଡ୍ରାଇଭର ଓ ଶେଷକୃତ୍ୟରେ ସାମିଲ୍ ହୋଇଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଥିଲା। ମୃତ ବୃଦ୍ଧଙ୍କୁ ଚିକିତ୍ସା କରିଥିବା ଡାକ୍ତର ଶ୍ରୀ ଦେବ ଚିକିତ୍ସା କରିବା ସମୟରେ ମାସ୍କ, ହ୍ୟାଣ୍ଡ ଗ୍ଲୋବ ଓ ପିପିଇ କିଟ୍ ପିନ୍ଧିଥିବା କହିଛନ୍ତି। ଏହା ସତ୍ତ୍ବେ ଡା. ଦେବଙ୍କ ସମେତ କିଛି ହସପିଟାଲ୍ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ହୋମ୍ କ୍ୱାରାଣ୍ଟିନରେ ରହିବାକୁ ନିର୍ଦେଶ ହୋଇଛି। ସେହିପରି ମୃତଦେହ ନେଇ ଯାଇଥିବା ଆମ୍ବୁଲାନସ୍ ସାନିଟାଇଜ୍ କରାଯିବା ସହ ଡ୍ରାଇଭରର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସଂପର୍କୀୟଙ୍କୁ କଣ୍ଟାକ୍ଟ ଟ୍ରେସିଂରେ ନେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନାୟକ। ଏଥି ସହିତ ସଂପର୍କୀୟ ରହୁଥିବା ସାଇପ୍ରିୟା ନଗର ଘରକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଉକ୍ତ ଘରେ କେହିନଥିବା ବେଳେ ସମଗ୍ର ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।

ଓଡ଼ିଶାରେ ସବୁଠୁ ପଛୁଆ ଜିଲ୍ଲା ଭାବେ କରୋନା ତାଲିକାରେ ସାମିଲ୍ ହୋଇଥିବା ରାୟଗଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରଥମ କରୋନା ମୃତ୍ୟୁ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି। ବାହାର ରାଜ୍ୟ ଓ ଜିଲ୍ଲାରୁ ଆସୁଥିବା ଲୋକଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଖରେ ସଠିକ୍ ସୂଚନା ରହୁନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ମୁଖ୍ୟ କାରଣ ହୋଇଛି।

ସମ୍ବନ୍ଧିତ ଖବର