ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ୍ ଓ କୋଦଳା ଇଲାକା ବର୍ତ୍ତମାନ ବିରଳ କୃଷ୍ଣସାର ଏବଂ କଳାବଉଦିଆ ହରିଣଙ୍କ ପ୍ରମୁଖ ବିଚରଣସ୍ଥଳ ଏବଂ ଆସ୍ଥାନ ପାଲଟିଛି। କିନ୍ତୁ ସୁରକ୍ଷା ପାଇଁ ଏଯାବତ୍ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହୋଇପାରୁ ନଥିବାରୁ ସେମାନଙ୍କ ଜୀବନ ସଂକଟରେ ପଡ଼ିଛି। ଶିକାରୀଙ୍କ ଦ୍ବାରା ଶିକାର ଏବଂ ଯାନବାହନ ଧକ୍କାରେ ପ୍ରତିମାସରେ ଏକାଧିକ ହରିଣ ପ୍ରାଣ ହରାଉଛନ୍ତି।
ସୂଚନା ଅନୁସାରେ ଖଲ୍ଲିକୋଟ ବ୍ଲକ୍ ଝାଡ଼େଶ୍ୱର ପାହାଡ଼ ତଳି ଅଞ୍ଚଳରେ ହରିଣପଲ ବିଚରଣ କରିଥା’ନ୍ତି। ସେହିପରି ମଲିକେଶ୍ୱର, ଭାଟପଡ଼ା, ରାଣୀପଡ଼ା, ବାଣିଆ, ଚିକିଲି, କୋଦଳା, କେ.ବରିଡ଼ା, ବଡ଼ଖଇରଖମା ଓ କୁମାରପାରି ପାହାଡ଼ ପାଦଦେଶରେ କୃଷ୍ଣସାର ଏବଂ କଳାବଉଦିଆ ମୃଗପଲ ଦେଖିବାକୁ ମିଳେ। ବର୍ତ୍ତମାନ ସେଠାରୁ ହରିଣପଲ ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳକୁ ଆସି କୁମାରିପାରି, ଭାବିନିପୁର, ପାଇକପଡ଼ା, ଚନ୍ଦନପୁର, ମର୍ଦ୍ଦକୋଟ, କେ.ବରିଡ଼ା ଏବଂ ସୁମଣ୍ଡଳ ଠାରୁ ଭେଜିପୁଟ ରାସ୍ତା ପାର୍ଶ୍ବ ଜଙ୍ଗଲ ଇଲାକାରେ ଗତ କିଛିବର୍ଷ ହେଲା ଆସ୍ଥାନ ଜମାଇଛନ୍ତି। କିନ୍ତୁ ସେମାନଙ୍କ ସୁରକ୍ଷା ଏବେ ବଡ଼ ପ୍ରସଙ୍ଗ ପାଲଟିଛି।
ଗତବର୍ଷ ମେ’ ମାସରେ ବାଲିପୋଇ ଛକରେ ଗାଡ଼ି ଧକ୍କାରେ ଏକ କୃଷ୍ଣସାର ପ୍ରାଣ ହରାଇଥିବା ବେଳେ ଜୁନ୍ ମାସରେ କୋଦଳା ନିକଟସ୍ଥ ଇଣ୍ଡେନ ଗ୍ୟାସ୍ ଗୋଦାମ ନିକଟରେ ଆଉ ଏକ ହରିଣର ମୃତ୍ୟୁ ଘଟିଥିଲା। ସେହିପରି ବନ ବିଭାଗ ଦ୍ବାରା ମର୍ଦ୍ଦକୋଟରୁ ଏକ ହରିଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ଏଭଳି ଭାବେ ବିଗତ କିଛି ବର୍ଷ ମଧ୍ୟରେ କୋଦଳାରୁ ଖଲ୍ଲିକୋଟ ରାସ୍ତା ପାର ହେବା ବେଳେ ପ୍ରାୟ ୫୦ରୁ ଅଧିକ ହରିଣ ଯାନବାହନ ଧକ୍କାରେ ପ୍ରାଣ ହରାଇଛନ୍ତି।
ହରିଣ ସଂଖ୍ୟା ବଢ଼ିବା ସହ ଶିକାରୀଙ୍କ ପ୍ରାଦୁର୍ଭାବ ବି ବଢ଼ିଛି। ବିଭିନ୍ନ ସମୟରେ ହରିଣଙ୍କୁ ଶିକାର କରି ମାଂସ ଚୋରାରେ ବିକ୍ରି କରାଯାଉଛି। ବନ ବିଭାଗ ଶିକାରୀଙ୍କୁ ବିଭିନ୍ନ ସମୟରେ ଗିରଫ କରୁଛି। କିନ୍ତୁ କୌଣସି ସୁଫଳ ମିଳୁନି। ଖଲ୍ଲିକୋଟ ରେଞ୍ଜ୍, କୋଦଳା ଓ ସୁମଣ୍ଡଳ ବନ ବିଭାଗ ପକ୍ଷରୁ ହରିଣ ସୁରକ୍ଷା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ହରିଣ ବିଚରଣ କରୁଥିବା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଯାନବାହନ ଧୀରେ ଗତିରେ ଚଳାଇବାକୁ ସତର୍କତା କରିବାର ଆବଶ୍ୟକ ରହିଛି। ଏହାସହ ଉକ୍ତ ଇଲାକାଗୁଡ଼ିକରେ ହରିଣ ଶିକାର ରୋକିବାକୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି।