ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ : ଗୁରୁବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ଆରମ୍ଭ ହୋଇଛି। ଏଥିସହିତ, ଏହି ପୁଣ୍ୟମାସରେ ଶ୍ରୀଜିଉ ଗୁରୁବାରଠାରୁ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ସେପଟେ ଗୁରୁବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପବିତ୍ର ମାସ କାର୍ତ୍ତିକ ଆରମ୍ଭରୁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାକୁ ଆଜି ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଯାଇଛି।

ରାଧାଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପ୍ରତିବର୍ଷ ଭଳି ଚଳିତବର୍ଷ ଶ୍ରୀମନ୍ଦିରରେ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ, ମାସେ ଧରି ପ୍ରତିଦିନ ଶ୍ରୀଜିଉ ରାଧାଦାମୋଦର ବେଶରେ ଦର୍ଶନ ଦେବେ। ଚଳିତ ବର୍ଷ ଅକ୍ଟୋବର ୬ରୁ ‌ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁ‌ଷ୍ଠିତ ହେବ। ଆସନ୍ତା ୧୦ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାସହ ହବିଷ୍ୟାଳୀଙ୍କ ଭିଡ଼ ବଢ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରମ୍ପରା ଅନୁଯାୟୀ, ଗୁରୁବାର ଦିନ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବାପରେ ଶ୍ରୀବିଗ୍ରହଙ୍କ ରାଇଦାମୋଦର ବେଶ ନୀତି ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ଶ୍ରୀଜିଉଙ୍କୁ ବିଭିନ୍ନ ପାଟବସ୍ତ୍ର, ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ତ୍ରିକଛ ପରିଧାନ କରିଥିଲେ। ଦୁଇ ହସ୍ତରେ ସୁବର୍ଣ୍ଣର ନଳି ଭୂଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳର ଅଗ୍ରଭାଗରେ ରୁପା ଚନ୍ଦ୍ରିକା, ଦୁଇ କର୍ଣ୍ଣରେ କୁଣ୍ଡଳ, କଟି ଦେଶରେ ଓଡ଼ିଆଣି, କମରପଟି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ, ରାମାନନ୍ଦି ଚିତା ଆଦି ଅଳଙ୍କାରରେ ବିଭୂଷିତ ହୋଇଥିଲେ। ଦେବୀ ସୁଭଦ୍ରା ଓଡ଼ିଆଣି, ଚନ୍ଦ୍ର, ସୂର୍ଯ୍ୟ, ତଡଗି ଆଦି ଲାଗି ହୋଇଥିଲେ। ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଆଜି ସକାଳୁ ଭକ୍ତମାନେ ସିଂହଦ୍ବାରରେ ଭିଡ଼ ଲଗାଇଥିଲେ।

ସୂଚନାଯୋଗ୍ୟ, ଚଳିତବର୍ଷ ଅକ୍ଟୋବର ୬ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ତାରିଖ ସୋମବାର ଦିନ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେ‌ଶ ଏବଂ ହରି ଉତ୍‌ଥାପନ ନୀତି, ନଭେମ୍ବର ୫ରେ ବାଙ୍କଚୁଡ଼ ବା ବାମନ ବେଶ ଓ ଗରୁଡ଼ ଉତଥାପନ ନୀତି, ନଭେମ୍ବର ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୭ରେ ଲକ୍ଷ୍ମୀନୃସିଂହ ବେଶ, ନଭେମ୍ବର ୮ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର