ଗାଁରେ ପାଳିଲେ କାର୍ତ୍ତିକ ପୂର୍ଣ୍ଣମୀ,ସହରର ମନ୍ଦିରରେ ତାଲା ଠୁଙ୍କିଲା ପ୍ରଶାସନ

ଭଞ୍ଜନଗର : ଆଜି ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ସହ କାର୍ତ୍ତକ ମାସର ଶେଷ ସୋମବାର। ଧର୍ମୀୟ ଭାବନ ସହ ଆଜିର ଦିନକୁ ଲୋକମାନେ ବଡି ଭୋରରୁ ଉଠି ନଦୀରେ ବୋଇତ ଭସାଇବା ସହ ମନ୍ଦିର ବୁଲି କିର୍ତ୍ତନ କରି ଆଧ୍ୟାତ୍ମିକ ଭାବନା ଜାଗ୍ରତ କରୁଥିଲେ। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଦୃ୍ଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶନାମାର କୌଣସି ପ୍ରଭାବ ଗ୍ରାମାଞ୍ଚଳରେ ପଡିଥିବା ଦେଖିବାକୁ ମିଳିନଥିଲା। ଗାଁ ଠାରୁ ସହର ସବୁ ଦେବାଳୟ ଗୁଡ଼ିକରେ ଭୋର୍ ସମୟରୁ ହିଁ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଗ୍ରାମ ଗୁଡ଼ିକରେ ଦଳ ଦଳ ହୋଇ ସଂକୀର୍ତ୍ତନ ଦଳ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଗ୍ରାମରେ କରୋନା କଟକଣାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ଭଞ୍ଜନଗର ସହରର କିଛି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ଖବର ପାଇ ତହସିଲଦାର ଆଲୋକ କୁମାର ପ୍ରଧାନ କିଛି କର୍ମଚାରୀ ମାନଙ୍କ ସହ ମିଶି ବିଭିନ୍ନ ମନ୍ଦିର ବୁଲି ଲୋକ ମାନଙ୍କୁ ମନ୍ଦିର ଭିତରୁ ବାହାର କରିବା ସହ ମନ୍ଦିରରେ ତାଲା ଠୁଙ୍କି ଥିଲେ। ଏଥିସହ ମନ୍ଦିର ପୂଜକଙ୍କୁ ଏଥିରୁ ନିବୃତ ରହିବାକୁ ତାଗିତ୍ କରିଥିଲେ। ମୁଖ୍ୟ ରାସ୍ତାରେ ଥିବା ରଘୁନାଥ ମନ୍ଦିର ଠାକୁରାଣୀ ମନ୍ଦିର,ବାଞ୍ଛେଶ୍ବର ମନ୍ଦିର ଆଦି ବୁଲିବା ସହ ମନ୍ଦିର ଭିତରୁ ଶ୍ରଦ୍ଧାଳୁ ମାନଙ୍କୁ ବାହାର କରି ମନ୍ଦିର ସମ୍ମୁଖରେ ତାଲା ପକାଇ ଦେଇଥିଲେ। ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କରାଯାଇଥିବା ବେଳେ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହାର ପ୍ରଭାବ କେବଳ ସହରାଞ୍ଚଳରେ ସୀମିତ ରହୁଥିବାରୁ ସରକାରଙ୍କ ନିର୍ଦ୍ଦେଶନାମା ସଫଳ କାର୍ଯ୍ୟକାରୀ ହୋଇପାରୁନାହିଁ।

ଅନ୍ୟପକ୍ଷରେ କିଛି ବୁଦ୍ଧିଜୀବୀ ପ୍ରଶାସନର ଏଭଳି ଆଚରଣକୁ ପସନ୍ଦ କରି ନାହାନ୍ତି। ସେମାନଙ୍କ କହିବା ଅନୁଯାୟୀ ବ୍ୟବସାୟିକ ଅନୁଷ୍ଠାନକୁ ଯେଭଳି କୋଭିଡ ଗାଇଡ଼ଲାଇନ୍ ଅନୁଯାୟୀ ଖୋଲିବାକୁ ଅନୁମତି ଦିଆଯାଇଛି ସେଭଳି କୋଭିଡ ନିୟମ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ ଗୁଡିକୁ ମଧ୍ୟ ସରକାର ଖୋଲିବା ଆବଶ୍ୟକ ହୋଇପଡିଛି। ପର୍ବ ପର୍ବାଣୀ ଗୁଡ଼ିକରେ ମନ୍ଦିର ଗୁଡିକୁ ଯିବା ପାଇଁ ଭକ୍ତ ମାନଙ୍କ ବାରଣ କରାଗଲେ ତାହା ଧର୍ମିୟ ଭାବନାକୁ ଆଘାତ ଦେଉଛି ବୋଲି କିଛି ଲୋକ କହିଛନ୍ତି। ବିଜେପି ନେତା ତଥା ଆଇନଜୀବୀ ସନ୍ତୋଷ କୁମାର ପାଳ କହିଛନ୍ତି ଯେ,ପ୍ରଶାସନ ମନ୍ଦିର ଗୁଡ଼ିକ ବନ୍ଦ କରିବା ନିନ୍ଦନୀୟ ଏହା ମଣିଷର ଧାର୍ମିକ ସ୍ବତନ୍ତ୍ରତାକୁ କ୍ଷୁର୍ଣ୍ଣ କରୁଛି। ପ୍ରଶାସନ ସତର୍କ ହୋଇପାରିଲେ ସାମାଜିକ ଦୂରତ୍ୱ ରଖି ମନ୍ଦିର ଗୁଡ଼ିକ ଭକ୍ତ ମାନଙ୍କ ପାଇଁ ଖୋଲାଯାଇ ପାରନ୍ତା।

ସମ୍ବନ୍ଧିତ ଖବର